Report Card Odisha

| Daily Odia News

୧୨ ଜିଲ୍ଲାରେ ବର୍ଷା ସମ୍ଭାବନା…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ବୁଧବାର ସକାଳୁ ପାଗ ମୁଖ୍ୟତଃ ମେଘୁଆ ରହିଥିବାବେଳେ ବାଲେଶ୍ବର, କେନ୍ଦୁଝର ଏବଂ ଭୁବନେଶ୍ବରରେ ଝିପିଝିପି ବର୍ଷା ହୋଇଛି। କେତେକ ସ୍ଥାନରେ ବିଜୁଳି ଘଡ଼ଘଡ଼ି ହୋଇଥିବା ନଜରକୁ ଆସିଛି। ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନାନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଭବାନୀପାଟଣାରେ ସର୍ବାଧିକ ୩.୮ ମିମି ବର୍ଷା ରେକର୍ଡ ହୋଇଥିବାବେଳେ ବୁଧବାର ବାଲେଶ୍ବରରେ ୦.୬ମିମି ବର୍ଷା ରେକର୍ଡ କରାଯାଇଛି। ଗୁରୁବାରଠାରୁ ପଶ୍ଚିମା ଝଡ଼ର ପ୍ରଭାବ ବଢ଼ିବା ଦ୍ବାରା ଝଡ଼ବର୍ଷା ସହ ବଜ୍ରପାତ ପରିମାଣ ବୃଦ୍ଧି ପାଇପାରେ। ଆସନ୍ତାକାଲି ପାଗ ସମ୍ପୂର୍ଣ୍ଣ ବଦଳିଯିବା ଆଶଙ୍କା ରହିଛି। ପଶ୍ଚିମାଝଡ଼ ପ୍ରଭାବରେ ସାରା ରାଜ୍ୟରେ ପାଗ ମେଘୁଆ ରହିବ ଓ କିଛି ଅଞ୍ଚଳରେ ବଜ୍ରପାତ ସହ ବର୍ଷା ହେବାର ସମ୍ଭାବନା ରହିଛି। ବିଶେଷକରି କୋରାପୁଟ, ମାଲକାନଗିରି, ନବରଙ୍ଗପୁର, ରାୟଗଡ଼ା, କଳାହାଣ୍ଡି, ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ଅନୁଗୋଳ, ଦେବଗଡ଼, ବୌଦ୍ଧ ଏବଂ କନ୍ଧମାଳରେ ବିଜୁଳି ଘଡ଼ଘଡ଼ି ସହ ଝଡ଼ବର୍ଷା ହେବ। ଏହି ସମୟରେ ବର୍ଷା ପରିମାଣ ବଢ଼ିବ। ଉପରୋକ୍ତ ସ୍ଥାନଗୁଡ଼ିକରେ ଘଣ୍ଟା ପ୍ରତି ପବନର ବେଗ ୪୦ରୁ ୫୦କିମି ବହିବା ସମ୍ଭାବନା ଥିବାରୁ ଉପରୋକ୍ତ ଜିଲାଗୁଡ଼ିକୁ ପାଣିପାଗ ବିଭାଗ ପକ୍ଷରୁ ହଳଦିଆ ସତର୍କ ସୂଚନା ଜାରି କରାଯାଇଛି। ଏଥିସହିତ ସୁବର୍ଣ୍ଣପୁର, ନୂଆପଡ଼ା, ବଲାଙ୍ଗୀର, ସମ୍ବଲପୁର, ଝାରସୁଗୁଡ଼ା ଏବଂ ବରଗଡ଼ ଜିଲାର ଗୋଟିଏରୁ ଦୁଇଟି ଅଞ୍ଚଳରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହୋଇପାରେ। ୧୭ ଏବଂ ୧୮ ତାରିଖରେ କାଳବୈଶାଖୀଜନିତ ଝଡ଼ବର୍ଷା ସହ ବଜ୍ରପାତ ବଢ଼ିବାର ସମ୍ଭାବନା ଥିବାରୁ ପାଣିପାଗ ବିଭାଗ ପକ୍ଷରୁ ସତର୍କ କରାଇ ଦିଆଯାଇଛି। ୧୯ରେ ପ୍ରଭାବ ସାମାନ୍ୟ କମିବାର ସମ୍ଭାବନା ଥିଲେ ମଧ୍ୟ ଉପକୂଳ ଏବଂ ଉତ୍ତର ଓଡ଼ିଶାର ଅନେକ ସ୍ଥାନରେ ବଜ୍ରପାତ ସମ୍ଭାବନା ରହିଛି।

Breaking News