Report Card Odisha

| Daily Odia News

ପଶ୍ଚିମବଙ୍ଗରେ ପୋଷ୍ଟର ରାଜନୀତି……

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ପଶ୍ଚିମବଙ୍ଗରେ ଜୋରଧରିଛି ପୋଷ୍ଟର ରାଜନୀତି | ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ‘ଦୁର୍ଗା’ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ‘ମହିଷାସୁର’ ଦର୍ଶାଇବା ରାଜ୍ୟରେ ନୂତନ ବିବାଦ ସୃଷ୍ଟି ହୋଇଛି । ବିଜେପିର ଜଣେ ନେତା ଏହା ପ୍ରଧାନମନ୍ତ୍ରୀ ଏବଂ ସନାତନ ଧର୍ମ ପ୍ରତି ଅପମାନ ବୋଲି ଦର୍ଶାଇଛନ୍ତି। ପାର୍ଟି ଏହି ମାମଲାରେ ନିର୍ବାଚନ ଆୟୋଗଙ୍କ ଦ୍ଵାରସ୍ଥ ହେବ ବୋଲି ନେତା କହିଛନ୍ତି। ଏହି ପୋଷ୍ଟର ପଶ୍ଚିମବଙ୍ଗ ଜିଲ୍ଲାର ମେଦିନାପୁରରେ ଲଗାଯାଇଥିଲା। ଟିଏମସି ନେତା ଅନିମା ଶାହ ଏହି ଜିଲ୍ଲାର ଓ୍ଵାର୍ଡ ନମ୍ବର ୧ରୁ ପାର୍ଟିର ପ୍ରାର୍ଥୀ ଅଛନ୍ତି। ପୋଷ୍ଟରରେ ମମତା ବାନାର୍ଜୀଙ୍କୁ ଦେବୀ ଦୁର୍ଗା ଭାବେ ଚିତ୍ରଣ କରାଯାଇଥିବା ବେଳେ ପ୍ରଧାନମନ୍ତ୍ରୀ ମୋଦୀ ଏବଂ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ୍ ଶାହଙ୍କୁ ମହିଷାସୁର ଭାବେ ଦର୍ଶାଯାଇଛି। ହିନ୍ଦୁ ପୌରାଣିକ କଥା ଅନୁସାରେ, ମହିଷାସୁର ଏକ ରାକ୍ଷସ। ପୋଷ୍ଟରରେ ରାଜ୍ୟର ବିରୋଧୀ ଦଳକୁ ଛେଳି ଭାବେ ଦର୍ଶାଯାଇଛି। ଏଥିରେ ଲେଖା ହୋଇଛି, ଯଦି କେହି ବିରୋଧୀ ଦଳକୁ ଭୋଟ୍ ଦେବ, ତାଙ୍କର ବଳି ପକାଯିବ। ଏହି ପୋଷ୍ଟର ବିବାଦକୁ ନେଇ ମେଦିନାପୁରରେ ରାଜନୀତି ସରଗରମ ରହିଛି। ସ୍ଥାନୀୟ ବିଜେପି ନେତା ବିପୁଲ ଆଚାର୍ଯ୍ୟ କହିଛନ୍ତି, ନେତାଙ୍କୁ ଦେବତା ଭାବେ ଚିତ୍ରଣ କରାଯିବ ସନାତନ ଧର୍ମର ଅପମାନ। ଏହା ଆମ ପ୍ରଧାନମନ୍ତ୍ରୀ ଏବଂ ଗୃହ ମନ୍ତ୍ରୀଙ୍କ ପ୍ରତି ଘୋର ଅପମାନ। ବିଜେପି ଏହାରି ବିରୋଧରେ ନିର୍ବାଚନ ଆୟୋଗଙ୍କ ନିକଟରେ ଅଭିଯୋଗ କରିବ ବୋଲି ବିଜେପି ନେତା କହିଛନ୍ତି। ସେପଟେ ଟିଏମସି ନେତା ଅନିତା ଶାହ କହିଛନ୍ତି, ଏହି ପୋଷ୍ଟର କିଏ ଲଗାଇଛି ତାଙ୍କୁ ଜଣା ନାହିଁ। ଯିଏ ବି ଏମିତି କାମ କରିଛି ଭୁଲ୍ କରିଛି। ଯଦି ମୋତେ ଏହି ବିଷୟରେ ସୂଚନା ମିଳିଥାନ୍ତା ତେବେ ମୁଁ ଅଞ୍ଚଳରେ ଏମିତି ପୋଷ୍ଟର ଲଗାଇବାକୁ ଦେଇ ନଥାନ୍ତି ବୋଲି ଶାହ କହିଛନ୍ତି। ପଶ୍ଚିମବଙ୍ଗରେ ମ୍ୟୁନିସିପାଲଟି ନିର୍ବାଚନ ପାଖେଇ ଆସୁଥିବା ବେଳେ ଏହି ପୋଷ୍ଟର ରାଜ୍ୟ ରାଜନୀତିକୁ ଆହୁରି ରୋଚକ କରିଛି। ୧୦୭ ନଗର ପାଳିକା ପାଇଁ ଫେବୃଆରୀ ୨୭ରେ ମତଦାନ ହେବାକୁ ଯାଉଛି।

Breaking News