ରିପୋର୍ଟ କାର୍ଡ / କୋଲକାତା
ଦେଶରେ କରୋନା ସଂକ୍ରମଣ ହ୍ରାସପାଉଛି | ତୃତୀୟ ଲହର ଆସିବା ନେଇ ସ୍ପଷ୍ଟ କରିସାରିଛନ୍ତି ବିଶେଷଜ୍ଞ । ଅନେକ ରାଜ୍ୟରେ ଲକଡାଉନ୍ କଟକଣା ଜାରି ରହିଛି । ଏହି କ୍ରମରେ ପଶ୍ଚିମବଙ୍ଗରେ ଅଗଷ୍ଟ ୩୦ ତାରିଖ ଯାଏଁ କୋଭିଡ୍ ନିୟମ କଡାକଡି କରିବାକୁ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ପଶ୍ଚିମବଙ୍ଗରେ କରୋନା ସଂକ୍ରମଣ ପୂର୍ବ ଅପେକ୍ଷା କମିଛି କିନ୍ତୁ ଅନ୍ୟ ରାଜ୍ୟମାନଙ୍କ ତୁଳନାରେ ସ୍ଥିତି ସାମାନ୍ୟ ଚିନ୍ତାଜନକ ରହିଛି । ରାଜ୍ୟରେ ପ୍ରତିଦିନ ୭ ଶହରୁ ୮ ଶହ ନୂଆ ସଂକ୍ରମିତ ଚିହ୍ନଟ ହେଉଛନ୍ତି । ସେହିଭଳି ପ୍ରତିଦିନ ୫/୬ ଜଣଙ୍କର ମୃତ୍ୟୁ ମଧ୍ୟ ଘଟୁଛି । ତେବେ ଲାଗୁ ହୋଇଥିବା ନୂଆ ନିୟମରେ ସାମାନ୍ୟ କୋହଳ କରାଯାଇଛି । ପୂର୍ବରୁ ରାତି ୯ଟାରୁ ଭୋର ୫ ଟା ଯାଏଁ କର୍ଫ୍ୟୁ ଲାଗୁ ହେଉଥିଲା । କିନ୍ତୁ ଏଣିକି ରାତି ୧୧ଟା ରୁ ଭୋର ୫ଟା ଯାଏଁ ଲାଗୁ ହେବ ନାଇଟ୍ କର୍ଫ୍ୟୁ । ତେବେ କର୍ଫ୍ୟୁ ବେଳେ କେବଳ ଅତ୍ୟାବଶ୍ୟକ ସେବା ଯେମିତିକି ଆମ୍ବୁଲାନ୍ସ ସେବା, ଅତ୍ୟାବଶ୍ୟକ ସେବା ଜାରି ରହିବ । ତେବେ ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଯେ, ଲୋକାଲ୍ ଟ୍ରେନ୍ ଚଳାଚଳ ବର୍ତ୍ତମାନ ମଧ୍ୟ ବନ୍ଦ ରହିଛି । ରାଜ୍ୟରେ ଟିକାକରଣକୁ ଗୁରୁତ୍ବ ଦିଆଯାଉଥିବାରୁ ଅଧିକରୁ ଅଧିକ ସଂଖ୍ୟକ ଲୋକ ଭ୍ୟାକସିନ ଦିଆଯିବା ଉପରେ ଜୋର ଦିଆଯାଉଛି । ସେ ପର୍ଯ୍ୟନ୍ତ ଲୋକାଲ୍ ଟ୍ରେନ ଚଳାଚଳ ବନ୍ଦ ରହିବ । ଏ ନେଇ ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ପଶ୍ଚିମବଙ୍ଗରେ କରୋନା ସଂକ୍ରମଣ କଥା କହିବାକୁ ଗଲେ, ବର୍ତ୍ତମାନ ସୁଦ୍ଧା ୧୮,୨୫୮ ଜଣଙ୍କର ମୃତ୍ୟୁ ହୋଇସାରିଲାଣି । ପଶ୍ଚିମବଙ୍ଗରେ ମୃତ୍ୟୁ ହାର ମଧ୍ୟ ଅନ୍ୟ ରାଜ୍ୟମାନଙ୍କ ତୁଳନାରେ ଅଧିକ ରହିଛି । ସେହିଭଳି ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ ୧୫ ଲକ୍ଷ ୩୫ ହଜାର ୬୯୯ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।
Discussion about this post