ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ପଶ୍ଚିମବଙ୍ଗରେ ବିଜେପିକୁ ପରାଜୟ କରିବାପରେ ମମତା ବାନାର୍ଜୀ ପ୍ରସ୍ତୁତ କରୁଛନ୍ତି ନୂଆ ସ୍ଟ୍ରାଟେଜି | ଜାତୀୟ ରାଜନୀତିରେ ଏଣ୍ଟ୍ରି କରିବାକୁ ପ୍ରସ୍ତୁତ ହେଉଛନ୍ତି ମମତା | ଗତ ବିଧାନସଭା ନିର୍ବାଚନରେ ତୃଣମୂଳ କଂଗ୍ରେସର ବିପୁଳ ବିଜୟ ପରେ ମମତା ଆଗକୁ ଦିଲ୍ଲୀ ରାଜନୀତିରେ ସକ୍ରିୟ ରହିବେ ବୋଲି ସଙ୍କେତ ଦେଇଥିଲେ । ଏହାପରଠୁ ତାଙ୍କର ଜାତୀୟ ରାଜନୀତିରେ ଅଭ୍ୟୁଦୟ ବାବଦରେ ଅନେକ ଚର୍ଚ୍ଚା ହେଉଛି । ଏହାମଧ୍ୟମରେ ଶୁକ୍ରବାର ମମତା ଓ ଦଳର ରାଜନୀତିକ ରଣନୀତିଜ୍ଞ ପ୍ରଶାନ୍ତ କିଶୋରଙ୍କ ସହ ୩ ଘଣ୍ଟା ଘରି ଆଲୋଚନା କରିଛନ୍ତି । ବୈଠକରେ ଦଳର ଜିଲ୍ଲା ସ୍ତରରେ ସଙ୍ଗଠନରେ ପରିବର୍ତ୍ତନ ହେବ ବୋଲି ନିଷ୍ପତ୍ତି ନିଆଯାଇଛି । କାରଣ ଦଳ ଜଣେ ବ୍ୟକ୍ତି ଗୋଟିଏ ପଦବୀ ନୀତିରେ ଆଗକୁ ବଢିବାକୁ ଚାହୁଁଛି । ତେଣୁ ଜିଲ୍ଲା ସଙ୍ଗଠନରେ ଆମୂଳଚୂଳ ପରିବର୍ତ୍ତନ ହେବ । ଆସନ୍ତା ସପ୍ତାହରେ ଏହାକୁ ଚୂଡାନ୍ତ ରୂପରେଖ ଦିଆଯିବ । କେବଳ ଜିଲ୍ଲାସ୍ତର ନୁହେଁ, ମମତା ଜାତୀୟ ସ୍ତରରେ ରାଜନୀତି କରିବାକୁ ଇଚ୍ଛୁକ ରହିଛନ୍ତି । ଟିଏମସି ପକ୍ଷରୁ ଏନେଇ ବ୍ଲୁପ୍ରିଣ୍ଟ୍ ପ୍ରସ୍ତୁତ କରାଯାଉଛି । ଯାହାକୁ ଜୁଲାଇ ଶେଷ କିମ୍ବା ଅଗଷ୍ଟ ମାସର ଆରମ୍ଭରେ ସାର୍ବଜନୀନ କରାଯିବ । ତ୍ରିପୁରାରୁ ହିଁ ଟିଏମସି ଜାତୀୟ ରାଜନୀତିରେ ମୂଳଦୁଆ ପକାଇବ ବୋଲି ଅନୁମାନ କରାଯାଉଛି । ଏହାପରେ ମମତା ୨୦୨୪ ସାଧାରଣ ନିର୍ବାଚନ ପାଇଁ କ୍ଷେତ୍ର ପ୍ରସ୍ତୁତ କରିପାରନ୍ତି । ତ୍ରିପୁରାର ସ୍ଥିତିକୁ ନେଇ ଉଭୟ ପ୍ରଶାନ୍ତ ଓ ମମତା ଆଲୋଚନା କରିଥିବା ମଧ୍ୟ ଚର୍ଚ୍ଚା ହେଉଛି । ସୂଚନାଯୋଗ୍ୟ, ସାନିଟାଇଜେସନ ପାଇଁ ପଶ୍ଚିମବଙ୍ଗ ବିଧାନସଭା ବନ୍ଦ ରହିଛି । ଶୁକ୍ରବାର ମମତା ବିଧାନସଭା ଯାଇନଥିଲେ । ମମତା ନିଜ ବାସଭବନରେ ପ୍ରଶାନ୍ତ କିଶୋରଙ୍କ ସହ ୩ ଘଣ୍ଟା ଧରି ଦଳର ଅନେକ ଗୁରୁତ୍ୱପୂର୍ଣ୍ଣ ରଣନୀତି ଉପରେ ଆଲୋଚନା କରିଥିଲେ ।
Discussion about this post