Report Card Odisha

| Daily Odia News

ପେଟ୍ରୋଲ ପମ୍ପରେ ହେଉଥିବା ଠକାମୀରୁ କିପରି ବର୍ତ୍ତିବେ ପାଇବେ ଜାଣନ୍ତୁ

ଦେଶରେ ବଢ଼ୁଥିବା ତେଲ ଦରକୁ ନେଇ ଚାରିଆଡ଼େ ଅସନ୍ତୋଷ ଦେଖିବାକୁ ମିଳିଛି। ପେଟ୍ରୋଲ ଓ ଡିଜେଲ ଦାମ ଶହେ ଛୁଇଁବାକୁ ବସିଲାଣି। ସାଧାରଣ ଜନତା ଉପରେ ଏହାର ଘୋର୍ ପ୍ରଭାବ ପଡ଼ିଛି। ଏପଟେ ବଢ଼ୁଥିବା ତେଲ ଦରକୁ ନେଇ ସାଧାରଣ ଜନତା ନାକେଦମ ଥିବା ବେଳେ ବେଡ଼ି ଉପରେ କୋରଡ଼ ମାଡ଼ ପରି ଠକାଉଛନ୍ତି ପେଟ୍ରୋଲ ପମ୍ପର କର୍ମଚାରୀ। ପେଟ୍ରୋଲ ପମ୍ପରେ ଗ୍ରାହକମାନେ ଠକେଇର ଶିକାର ହେଉଥିବା ଅଭିଯୋଗ ହେଉଛି।

ଗ୍ରାହକଙ୍କ ଆଖିରେ ଆଙ୍ଗୁଠି ଗେଞ୍ଜି ପେଟ୍ରୋଲ ପମ୍ପ କର୍ମଚାରୀମାନେ ପଇଶା ଠିକ୍‌ ନେଉଥିଲେ ବି ତେଲ କମେଇ ଦେଉଛନ୍ତି। ତେବେ ଆପଣ ସାବଧାନ ହେଲେ ଠକାମୀରୁ ରକ୍ଷା ପାଇପାରିବେ। ତାହା କେମିତି ଆସନ୍ତୁ ଜାଣିବା।

ପେଟ୍ରୋଲ ପମ୍ପ ଠକାମୀରୁ ବର୍ତ୍ତିବା ପାଇଁ ଟିପ୍ସ

ପେଟ୍ରୋଲ ପମ୍ପରେ ତେଲ ଭରିବା ସମୟରେ ମିଟର ସର୍ବଦା ଜିରୋ ରହିବା ଆବଶ୍ୟକ। ତେବେ ଅନେକ ସମୟରେ ମିଟର ଜିରୋ ଲେଖାଯାଇଥିଲେ ବି ଆପଣ ମାଗିଥିବା ପେଟ୍ରୋଲର ମୂଲ୍ୟ କିନ୍ତୁ ମିଟରରେ ଫିଡ୍ କରାଯାଏ ନାହିଁ। ଫଳରେ ଟଙ୍କା ବଦଳରେ କମ୍‌ ତେଲ ମିଳିଥାଏ। ତେଣୁ ତେଲ ପକାଇବା ପୂର୍ବରୁ ସେଲ୍ସ ମ୍ୟାନ୍‌ଙ୍କୁ ପ୍ରଥମେ ମିଟରରେ ଟଙ୍କା ଫିଡ୍‌ କରିବାକୁ କୁହନ୍ତୁ।

ପେଟ୍ରୋଲ ପମ୍ପରେ ତେଲ ପକାଇବା ସମୟରେ ଯଦି ମିଟର ବହୁତ ସ୍ପିଡରେ ଗତି କରୁଥିବ ତେବେ ଏଥିରେ କିଛି ଗଡ଼ବଡ଼ ଥାଇପାରେ। ତେବେ ମିଟର କାଉଣ୍ଟିଂ ଯେମିତି ୩ରୁ ଆରମ୍ଭ ହୁଏ ସେଥିପ୍ରତି ଧ୍ୟାନ ଦିଅନ୍ତୁ। ଆଉ ଯଦି ମିଟର କାଉଣ୍ଟିଂ ୩ ଠାରୁ ଅଧିକରୁ ଆରମ୍ଭ ହେଉଥାଏ ତେବେ ଆପଣ ଠକାମୀର ଶିକାର ହେଉଛନ୍ତି।

ସେହିପରି ପେଟ୍ରୋଲ ଭରିଲା ବେଳେ ଯଦି ମିଟର ରହି ରହି ଚାଲୁଛି ତେବେ ମିଟରରେ କିଛି ତ୍ରୁଟି ରହିଛି। ଏହା ଦ୍ୱାରା ପଇସା ଅନୁସାରେ ଆପଣଙ୍କୁ ତେଲ ମିଳୁ ନାହିଁ।

କ’ଣ କରିବେ ?

ବହୁତ ଲୋକ ଗାଡ଼ି ଟାଙ୍କି ଖାଲି ହେଲାପରେ ପେଟ୍ରୋଲ ଭରିଥାନ୍ତି। ଏପରି ଆଦୌ କରନ୍ତୁ ନାହିଁ। କାରଣ ଏମିତି କରିବା ଦ୍ୱାରା  ଟାଙ୍କିରେ ବାୟୁର ମାତ୍ରା ଅଧିକ ରହିଯାଏ। ଫଳରେ ପେଟ୍ରୋଲ କମିଯିବାର ଆଶଙ୍କା ରହିଛି। ତେଣୁ ଗାଡ଼ି ରିଜର୍ଭ ଲାଗିବା ପୂର୍ବରୁ ପେଟ୍ରୋଲ ଭରନ୍ତୁ।

ସବୁବେଳେ ଡିଜିଟାଲ ପେଟ୍ରୋଲ ପମ୍ପରେ ହିଁ ତେଲ ପକାନ୍ତୁ। ଯେଉଁଠି ଡିଜିଟାଲ ମିଟର ନାହିଁ କି ମିଟର କାମ କରୁ ନାହିଁ, ସେଠାରେ ତେଲ ପକାନ୍ତୁ ନାହିଁ। ହୁଏତ ଆପଣ ଅଧିକ ଠକାମୀର ଶିକାର ହୋଇପାରନ୍ତି।

ଅନେକ ସମୟରେ ବ୍ୟକ୍ତି ଗାଡ଼ିରୁ ନ ଓହ୍ଲାଇ ପେଟ୍ରୋଲ ପକାଇ ଥାଆନ୍ତି। ଆଉ ଏହି ସମୟରେ ପେଟ୍ରୋଲ ପମ୍ପର ସେଲ୍ସ ମ୍ୟାନ ଆପଣଙ୍କ ଉପରେ ନଜର ରଖି ତେଲ ଦେବାରେ ଏପଟ ସେପଟ କରିଦିଏ। ତେଣୁ ତେଲ ଭରିଲା ବେଳେ ସତର୍କ ରୁହନ୍ତୁ ଓ ସବୁବେଳେ ମିଟର ଉପରେ ନଜର ରଖନ୍ତୁ।

ତେଲ ଭରିବା ପରେ ନିଜ ଗାଡ଼ିର ମାଇଲେଜକୁ ଚେକ୍‌ କରନ୍ତୁ। ଯଦି ଠିକଠାକ୍‌ ମାଇଲେଜ ଆସୁଛି। ତାହେଲେ ଠିକ ଅଛି। ଆଉ ଯଦି କମ୍‌ ମାଇଲେଜ ଆସିଲା ତେବେ ପେଟ୍ରୋଲ ପମ୍ପରେ କିଛି ଗଡ଼ବଡ଼ ହୋଇଥାଇ ପାରେ।

ତେଲ ପକାଇବା ସମୟରେ ତେଲ ଟାଙ୍କିର ନୋଜେଲକୁ ଟାଙ୍କି ଭିତରକୁ ନ ପୂରାଇ ଟିକେ ଉପରକୁ ରଖିବାକୁ କୁହନ୍ତୁ। ଯାହା ଫଳରେ ଆପଣଙ୍କ ଟାଙ୍କିରେ ତେଲ ଭର୍ତ୍ତି ହେଉଛି କି ନାହିଁ ଜାଣି ପାରିବେ।

ଅଧିକାଂଶ ସମୟରେ ତେଲ ଆସୁଥିବା ପାଇପକୁ ସେଲ୍ସମ୍ୟାନ୍‌ମାନେ ଜୋରରେ ଚାପି ଧରନ୍ତି। ଫଳରେ ମିଟର ରିଡ଼ିଂ ଅନୁସାରେ ତେଲ କମ ଆସିଥାଏ। ଏଥି ପ୍ରତି ଧ୍ୟାନ ଦିଅନ୍ତୁ।

ସବୁବେଳେ ପେଟ୍ରୋଲ ପମ୍ପରେ ତେଲ ଭରିବା ବେଳେ ମେସିନ ଠାରୁ ଦୂରେଇ ରୁହନ୍ତୁ। ନ ହେଲେ କିଛି ପେଟ୍ରୋଲ ପାଇପରେ ରହିଯାଇଥାଏ।

କେବେହେଲେ ରାଉଣ୍ଡ ଫିଗରରେ ପେଟ୍ରୋଲ ପକାନ୍ତୁ ନାହିଁ। ଯେମିତିକି ଶହେ, ଦୁଇଶହ, ପାଞ୍ଚ ଶହ, ଟଙ୍କାରେ ତେଲ ଭରିଲେ ଠକାମୀ ହୋଇଥାଏ। ଏପରି ଆମାଉଣ୍ଟ ପାଇଁ ପେଟ୍ରୋଲ ପମ୍ପରେ କିଛି ସେଟ କରା ଯାଇଥାଏ।

ବେଳେବେଳେ ପାୱାର କଟ ସମୟରେ ସେଲସମ୍ୟାନ ପେଟ୍ରୋଲ ଭରିବାକୁ କହିଥାଏ। କିନ୍ତୁ ଏ ସମୟରେ ପେଟ୍ରୋଲ ଭରିଲେ ଗାଡ଼ି ଟାଙ୍କିକୁ ପେଟ୍ରୋଲ ଠାରୁ ଅଧିକ ପବନ ଚାଲି ଯାଇଥାଏ।

ଯଦି ଆପଣଙ୍କ ମନରେ ପେଟ୍ରୋଲ ଚୋରି ହେବାର ଆଶଙ୍କା ଦେଖାଯାଏ, ତାହାଲେ ଆପଣ ପେଟ୍ରୋଲ ଟାଙ୍କିର ମ୍ୟାନେଜରଙ୍କ ପାଖରେ ଲିଖିତ ଅଭିଯୋଗ କରନ୍ତୁ। ଯଦି ଆପଣଙ୍କୁ ଅଭିଯୋଗରେ ସମସ୍ୟା ହେଉଛି ତାହେଲେ କମ୍ପାନୀ କଷ୍ଟମର କେୟାର ସହିତ ନିଶ୍ଚିତ ଯୋଗାଯୋଗ କରନ୍ତୁ।

ବର୍ତ୍ତମାନର ସମୟରେ ସମସ୍ତଙ୍କ ପାଖରେ ଗାଡ଼ି ରହିଛି। ଅଧିକାଂଶ ଲୋକ ପେଟ୍ରୋଲ ବା ଡିଜେଲ ପକାଇବା ସମୟରେ ମିଟର ଉପରେ ଧ୍ୟାନ ଦିଅନ୍ତି ନାହିଁ। ଯାହାର ଫାଇଦା ଉଠାଇ ଥାଆନ୍ତି ପେଟ୍ରୋଲ ପମ୍ପ ମାଲିକ ଓ ସେଲସ ମ୍ୟାନ। ତେଣୁ ତେଲ ପକାଇବା ବେଳେ ମିଟର ଉପରେ ଧ୍ୟାନ ଦିଅନ୍ତୁ।

 

Breaking News