Report Card Odisha

| Daily Odia News

ରାଜ୍ୟସଭାରୁ ୧୯ ସାଂସଦ ନିଲମ୍ବିତ……

ରିପୋର୍ଟ କାର୍ଡ / ‌ନୂଆଦିଲ୍ଲୀ

ସଂସଦର ମୌସୁମୀ ଅଧିବେଶନରେ ହଙ୍ଗାମା ଜାରିରହିଛି । ଦରଦାମ ବୃଦ୍ଧି, ଜିଏସ୍‌ଟି ଏବଂ ତଦନ୍ତ ଅଧିକାରୀଙ୍କ କାର୍ଯ୍ୟାନୁଷ୍ଠାନକୁ ନେଇ ବିରୋଧୀଙ୍କ ହଙ୍ଗାମା କରିଛନ୍ତି | ଆଜି ବି କିଛି ସାଂସଦ ଆଲୋଚନା ଚାଲିଥିବା ବେଳେ ଗୃହର ମଧ୍ୟ ଭାଗକୁ ଆସି ସ୍ଲୋଗାନ ଦେବା ସହ ହୋହାଲ୍ଲା କରୁଥିଲେ। ମୁଦ୍ରାସ୍ଫୀତି ନେଇ ସରକାରଙ୍କ ନୀତିକୁ ସମାଲୋଚନା କରି ଏହାକୁ ବିରୋଧ କରିଥିଲେ। ସେଥି ପାଇଁ ରାଜ୍ୟସଭାର ୧୯ ଜଣ ସାଂସଦଙ୍କୁ ନିଲମ୍ବିତ କରାଯାଇଛି। ନିଲମ୍ବିତ ହୋଇଥିବା ସାଂସଦଙ୍କ ମଧ୍ୟରେ ତ୍ରୁଣମୂଳ କଂଗ୍ରେସ ସାଂସଦ ସୁସ୍ମିତା ଦେବ, ଡକ୍ଟର ଶାନ୍ତନୁ ସେନ୍‌, ଡୋଲା ସେନ୍‌, ମୂରଲିଧରନ୍‌, ଅବିର ବିଶ୍ୱାସ, ମୌସମ ନୁର୍‌, ଶାନ୍ତା ଛେତ୍ରୀ, ମହମ୍ମଦ ଅବଦୁଲ୍ଲା, କାନିମୋଝି, ଏଲ୍‌ ଯାଦବ, ଭି.ଶିବଦସନ୍‌ ସମେତ ଅନ୍ୟାନ୍ୟ ସାଂସଦ ରହିଛନ୍ତି । ଏମାନଙ୍କୁ ଏକ ସପ୍ତାହ ପାଇଁ ନିଲମ୍ବିତ କରିଛନ୍ତି ଉପ-ବାଚସ୍ପତି। ଉଲ୍ଲେଖନୀୟ କଥା ହେଉଛି, ଲୋକସଭାରେ ହଙ୍ଗାମା କରିବାକୁ ନେଇ ସମଗ୍ର ଅଧିବେଶନ ପାଇଁ ବାଚସ୍ପତି ଓମ ବିର୍ଲା କଂଗ୍ରେସର ୪ ଜଣ ସଦସ୍ୟଙ୍କୁ ନିଲମ୍ବନ କରିବାର ଗୋଟିଏ ଦିନ ପରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ମଣିକମ ଟାଗୋର, ରମ୍ୟା ହରିଦାସ, ଜ୍ୟୋତିମଣି ଓ ଟିଏନ ପ୍ରତାପନଙ୍କୁ ଲୋକସଭାରୁ ନିଲମ୍ବିତ କରିଥିଲେ। ସଂସଦର ପ୍ରଶ୍ନୋତ୍ତର କାର୍ଯ୍ୟରେ ବାଧା ସୃଷ୍ଟିି କରିଥିବାରୁ ଧାରା ୨୫୬ ଅଧିନରେ ସେମାନଙ୍କୁ ନିଲମ୍ବନ କରାଯାଇଥିବା ଜଣାପଡିଛି ।

Breaking News