ରିପୋର୍ଟ କାର୍ଡ / ନୂଆଦିଲ୍ଲୀ / ଭୁବନେଶ୍ୱର
ଓଡ଼ିଶାର ସାଂସଦ ଓ ବିଧାୟକମାନଙ୍କ ବିରୋଧରେ ଡିସେମ୍ବର ୧, ୨୦୨୧ ସୁଦ୍ଧା ୩୬୦ଟି ଅପରାଧିକ ମାମଲା ବିଚାରାଧୀନ ରହିଛି। ସୁପ୍ରିମକୋର୍ଟରେ ଆମିକସ୍ କ୍ୟୁରି ବିଜୟ ହଂସାରିଆ ଗତକାଲି ଦାଖଲ କରିଥିବା ୧୮ ପୃଷ୍ଠାର ଷୋଡ଼ଶ ରିପୋର୍ଟରେ ଏହା ଉଲ୍ଲେଖ କରିଛନ୍ତି। ଦେଶର ୨୫ଟି ହାଇକୋର୍ଟଙ୍କ ଠାରୁ ପ୍ରାପ୍ତ ତଥ୍ୟ ଆଧାରରେ ସାଂସଦ ଓ ବିଧାୟକମାନଙ୍କ ବିରୋଧରେ ଡିସେମ୍ବର ୧, ୨୦୨୧ ସୁଦ୍ଧା ମୋଟ ୪ ହଜାର ୯୮୪ ଅପରାଧିକ ମାମଲା ବିଚାରାଧୀନ ରହିଛି। ସର୍ବାଧିକ ଏକ ହଜାର ୩୩୯ ମାମଲା ଉତ୍ତରପ୍ରଦେଶରେ ଥିବା ବେଳେ ୩୬୦ଟି ମାମଲା ସହ ଓଡ଼ିଶା ଷଷ୍ଠ ସ୍ଥାନରେ ରହିଛି। ବିହାର (୫୭୧), ମହାରାଷ୍ଟ୍ର (୪୮୨), କେରଳ (୪୦୧) ଓ ତାମିଲନାଡ଼ୁ (୩୬୪) ମାମଲା ସହ ଯଥାକ୍ରମେ ଦ୍ବିତୀୟ, ତୃତୀୟ, ଚତୁର୍ଥ ଓ ପଞ୍ଚମ ସ୍ଥାନରେ ରହିଛନ୍ତି। ଓଡ଼ିଶାର ସାଂସଦ ଓ ବିଧାୟକମାନଙ୍କ ବିରୋଧରେ ଡିସେମ୍ବର ୨୦୧୮ ସୁଦ୍ଧା ୩୩୧ ଟି ମାମଲା ବିଚାରାଧୀନ ଥିଲା। ଏହା ୨୦୨୦ ଅକ୍ଟୋବର ସୁଦ୍ଧା ୪୪୫ରେ ପହଞ୍ଚିଥିଲା। ଡିସେମ୍ବର ୪, ୨୦୧୮ ସୁଦ୍ଧା ଓଡ଼ିଶାରେ ସାଂସଦ ଓ ବିଧାୟକମାନଙ୍କ ବିରୋଧରେ ସେସନ୍ସ ଓ ମାଜିଷ୍ଟ୍ରେଟ କୋର୍ଟରେ ସମୁଦାୟ ୨୧ ଟି ମାମଲାର ଫଇସଲା ହୋଇଛି। ସେସନ୍ସ କୋର୍ଟମାନଙ୍କରେ ୧୬ଟି ମାଜିଷ୍ଟ୍ରେଟ କୋର୍ଟମାନଙ୍କରେ ୫ଟି ମାମଲାର ଫଇସଲା ହୋଇଥିଲା। ରିପୋର୍ଟ ଅନୁସାରେ ଡିସେମ୍ବର ୧, ୨୦୨୧ ସୁଦ୍ଧା ସେସନ୍ସ କୋର୍ଟମାନଙ୍କରେ ଦୁଇ ବର୍ଷରୁ କମ୍ ୪ ଟି ମାମଲା, ୨ ରୁ ୫ ବର୍ଷ ପର୍ଯ୍ୟନ୍ତ ୩୫ ଟି ମାମଲା, ୫ ବର୍ଷରୁ ଅଧିକ ୧୮ ଟି ମାମଲା ବିଚାରାଧୀନ ରହିଛି। ସେହିଭଳି ମାଜିଷ୍ଟ୍ରେଟଙ୍କ କୋର୍ଟରେ ଦୁଇ ବର୍ଷରୁ କମ୍ ୨୧ ଟି ମାମଲା, ୨ ରୁ ୫ ବର୍ଷ ପର୍ଯ୍ୟନ୍ତ ୭୮ ଟି ମାମଲା ଏବଂ ୫ ବର୍ଷରୁ ଅଧିକ ୨୦୪ ଟି ମାମଲା ବିଚାରାଧୀନ ରହିଛି। ଡିସେମ୍ବର ୧, ୨୦୨୧ ସୁଦ୍ଧା ସାଂସଦ ଓ ବିଧାୟକମାନଙ୍କ ବିରୋଧରେ ଓଡ଼ିଶାରେ ଉଭୟ ସେସନ୍ସ ଏବଂ ମାଜିଷ୍ଟ୍ରେଟଙ୍କ କୋର୍ଟରେ ୫ ବର୍ଷରୁ ଅଧିକ ସମୟ ଧରି ମୋଟ ୨୨୨ ଟି ମାମଲା ବିଚାରାଧୀନ ରହିଛି। ଆମିକସ୍ କ୍ୟୁରି ଉଲ୍ଲେଖ କରିଛନ୍ତି, ସୁପ୍ରିମକୋର୍ଟଙ୍କ କ୍ରମାଗତ ନିର୍ଦ୍ଦେଶ ଏବଂ ତଦାରଖ ସତ୍ତ୍ବେ ସାଂସଦ, ବିଧାୟକମାନଙ୍କ ବିରୋଧରେ ଦେଶରେ ୪ ହଜାର ୯୮୪ ମାମଲା ବିଚାରାଧୀନ ରହିଛି। ଯେଉଁଥିରେ ଏକ ହଜାର ୮୯୯ ଟି ମାମଲା ୫ ବର୍ଷରୁ ଅଧିକ ସମୟଧରି ଅଦାଲତରେ ଗଡ଼ିଚାଲିଛି। ବିଚାରାଧୀନ ମାମଲାଗୁଡ଼ିକର ଫଇସଲା ପାଇଁ ତ୍ବରିତ ଏବଂ ଦୃଢ଼ ପଦକ୍ଷେପ ନେବାର ଆବଶ୍ୟକତା ଜରୁରି ହୋଇପଡ଼ିଛି ଆମିକସ୍ କ୍ୟୁରି ନିବେଦନରେ ଉଲ୍ଲେଖ କରିଛନ୍ତି। ମାମଲାଗୁଡ଼ିକର ବିଚାରରେ ପକ୍ଷ ଓ ପ୍ରତିପକ୍ଷଙ୍କୁ ସହଯୋଗ କରିବାକୁ ପଡ଼ିବ। ମାମଲାଗୁଡ଼ିକର ଶୁଣାଣିକୁ ସ୍ଥଗିତ କରାଯିବ ନାହିଁ। ଯଦି ସରକାରୀ ଓକିଲ ତ୍ବରିତ ବିଚାର ପାଇଁ ସହଯୋଗରେ ବିଫଳ ହୁଅନ୍ତି, ତାହା ହେଲେ ମାମଲା ସମ୍ପର୍କରେ ରାଜ୍ୟର ମୁଖ୍ୟ ଶାସନ ସଚିବଙ୍କ ଦୃଷ୍ଟି ଆକର୍ଷଣ କରାଯିବ। ଯାହା ଦ୍ବାରା ସେ ପ୍ରତିକାରମୂଳକ ପଦକ୍ଷେପ ନେବେ। ବିଚାର ପ୍ରକ୍ରିୟାକୁ ଅଭିଯୁକ୍ତଙ୍କ ଦ୍ବାରା ବିଳମ୍ବ କରାଗଲେ ଅଭିଯୁକ୍ତର ଜାମିନ ବାତିଲ କରିବାକୁ ଆମିକସ୍ କ୍ୟୁରି ନିବେଦନରେ ଉଲ୍ଲେଖ କରିଛନ୍ତି। ୫ ବର୍ଷରୁ ଉର୍ଦ୍ଧ୍ବ ବିଚାରାଧୀନ ମାମଲାର ରିପୋର୍ଟ ନିମ୍ନ ଅଦାଲତ ହାଇକୋର୍ଟଙ୍କୁ ପ୍ରଦାନ କରିବେ। ଯାହା ଦ୍ବାରା ହାଇକୋର୍ଟ ଅଟକି ରହିଥିବା ଶୁଣାଣିଗୁଡ଼ିକ ପ୍ରସଙ୍ଗରେ ଉପଯୁକ୍ତ ଆଦେଶ ଜାରି କରିପାରିବେ ବୋଲି ଆମିକସ୍ କ୍ୟୁରି ନିବେଦନରେ ଉଲ୍ଲେଖ କରିଛନ୍ତି।
More Stories
ମେଡିକାଲରେ ଭର୍ତ୍ତି ହେଲେ ସୋନିଆ ଗାନ୍ଧୀ….
ଆଜି ବିଜୟ ରୂପାଣିଙ୍କ ଅନ୍ତିମ ସଂସ୍କାର…..
ଇରାନ-ଇସ୍ରାଏଲ ଉତ୍ତେଜନା ଚରମରେ,୮୦ ମୃତ…..