Report Card Odisha

| Daily Odia News

ବାଣ କାରଖାନାରେ ବିସ୍ଫୋରଣ,୫ ମୃତ,୪ଗୁରୁତର….

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ବାଣ  କାରଖାନାରେ ବିସ୍ଫୋରଣ ଘଟି ୫ଜଣ ଶ୍ରମିକଙ୍କର ମୃତ୍ୟୁ ହୋଇଥିବା ବେଳେ ୪ଜଣ ଗୁରୁତର ଆହତ ହୋଇଛନ୍ତି | ଏଭଳି ଘଟଣା ଘଟିଛି ଉତ୍ତରପ୍ରଦେଶସ୍ଥିତ ବିଜନୋର ଜିଲ୍ଲା ବକ୍ସିବାଲା ଅଞ୍ଚଳରେ । ଏହି ବିସ୍ଫୋରଣରେ କାରଖାନାରେ କାମ କରୁଥିବା ୫ ଜଣ ଶ୍ରମିକଙ୍କର ମୃତ୍ୟୁ ହୋଇଥିବା ବେଳେ ୪ ଜଣ ଗୁରୁତର ହୋଇ ଚିକିତ୍ସିତ ହେଉଛନ୍ତି । ସୂଚନା ମୁତାବକ ଗୁରୁବାର ଅପରାହ୍ନ ପାଖାପାଖି ୧ଟା ସମୟରେ କାରଖାନାରେ ହଠାତ୍ ବିସ୍ଫୋରଣ ଘଟିଥିଲା । ସେତେବେଳେ କାରଖାନା ଭିତରେ ୯ ଜଣ ଶ୍ରମିକ କାମ କରୁଥିଲେ । ବାରୁଦରେ ନିଆଁ ଲାଗିବା ଫଳରେ ଏଭଳି ବିସ୍ଫୋରଣ ହୋଇଥିବା କୁହାଯାଇଛି । ପୋଲିସ ଓ ପ୍ରଶାସନ ପୂରା ଘଟଣାର ଯାଞ୍ଚ୍‌ କରୁଛନ୍ତି । ଅନ୍ୟପଟେ ବାଣ କାରଖାନାର ମାଲିକ ୟୁସୁଫ୍କୁ ଗିରଫ୍ କରାଯାଇଥିବା କଥା କହିଛନ୍ତି ବିଜୋନର ଏସପି ଡ. ଧର୍ମବୀର ସିଂ । ବିସ୍ଫୋରଣ ଫଳରେ ଫ୍ୟାକ୍ଟ୍ରିିର ଗୋଟିଏ ଅଂଶ ସମ୍ପୂର୍ଣ୍ଣ ଜଳି ଯାଇଛି । ସବୁଠାରୁ ବଡ଼କଥା ହେଉଛି ଭିତରେ ଶ୍ରମିକମାନେ କାମ କରୁଥିବା ବେଳେ ବାହାରପଟୁ ତାଲା ପଡ଼ିଥିଲା। ଫଳରେ ବିସ୍ଫୋରଣ ପରେ ଶ୍ରମିକମାନେ ବାହାରକୁ ବାହାରିପାରି ନଥିଲେ । ଏଥିରୁ ଅନୁମାନ କରାଯାଉଛି କି ଏଠାରେ ବେଆଇନ ଭାବେ ବାଣ ତିଆରି କରାଯାଉଥିଲା । ଏଭଳି ଘଟଣାର ସୂଚନା ପାଇବା ପରେ ୟୁ.ପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମୃତକଙ୍କ ପରିବାରକୁ ସମବେଦନା ଜଣାଇବା ସହ ଆହତଙ୍କୁ ଯଥାସମ୍ଭବ ସାହାଯ୍ୟ କରିବାକୁ ଜିଲ୍ଲାପାଳ ଓ ଏସପି ନିର୍ଦ୍ଦେଶ ଦେଇଛନ୍ତି।

Breaking News