ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଆଜି ହେଉଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୭୧ତମ ଜନ୍ମଦିନ | ମୋଦୀ ୧୯୫୦ ମସିହା ସେପ୍ଟେମ୍ବର ୧୭ ତାରିଖରେ ଗୁଜୁରାଟ ଭାଦନଗରେ ଜନ୍ମ ଗ୍ରହଣ କରିଥିଲେ | ପ୍ରଧନମନ୍ତ୍ରୀଙ୍କ ଜନ୍ମଦିନ ଅବସରରେ ‘ଭାରତୀୟ ଜନତା ପାର୍ଟି’ ଦେଶବ୍ୟାପୀ ‘ସେବା ଓ ସମର୍ପଣ ଅଭିଯାନ’ ଆରମ୍ଭ କରିବ। ପୂର୍ବରୁ ‘ବିଜେପି’ ପ୍ରତିବର୍ଷ ସେପ୍ଟେମ୍ବର ୧୭ ରୁ ଆରମ୍ଭ କରି ଗୋଟିଏ ସପ୍ତାହ ପର୍ଯ୍ୟନ୍ତ ‘ସେବା ପଥ’ ପାଳନ କରୁଥିଲା। କିନ୍ତୁ, ଏବର୍ଷ ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କ ସର୍ବସାଧାରଣ ସାମାଜିକ ଜୀବନର ୨୦ ବର୍ଷ ପୂରଣ କରୁଥିବାରୁ ଉପରୋକ୍ତ ସ୍ବତନ୍ତ୍ର ଅଭିଯାନ ଯୋଜନା କରାଯାଇଛି। ୨୦୦୧ରେ ଆଜିର ଦିନରେ ପ୍ରଧାନମନ୍ତ୍ରୀ ମୋଦୀ ପ୍ରଥମ ଥର ପାଇଁ ଗୁଜରାଟର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ। ସେଥିପାଇଁ ‘ବିଜେପି’ ସେପ୍ଟେମ୍ବର ୧୭ରୁ ଅକ୍ଟୋବର ୭ ତାରିଖ ପର୍ଯ୍ୟନ୍ତ ‘ସେବା ଓ ସମର୍ପଣ ଅଭିଯାନ’ ପାଳନ କରିବ। ‘ସେବା ଓ ସମର୍ପଣ ଅଭିଯାନ’ରେ ‘ବିଜେପି’ କର୍ମୀମାନେ ବିଭିନ୍ନ ବର୍ଗର ଜନତାଙ୍କ ନିକଟରେ ପହଞ୍ଚିବା ସହ ଅନେକ ଜନସେବାମୂଳକ କାର୍ଯ୍ୟକ୍ରମ ସମ୍ପାଦନ କରିବେ। ସେପ୍ଟେମ୍ବର ୧୭ରୁ ୨୦ ପର୍ଯ୍ୟନ୍ତ ଆୟୋଜନ କରାଯିବ ସ୍ବାସ୍ଥ୍ୟ ପରୀକ୍ଷା ଶିବିର। ଯୁବବର୍ଗ ମଧ୍ୟ ରକ୍ତଦାନ ଶିବିର ଆୟୋଜନ କରିବେ। ଦରିଦ୍ର ଜନତାଙ୍କୁ ‘ଅନୁସୂଚୀତ ଜାତି ମୋର୍ଚ୍ଚା’ ଫଳ ଏବଂ ଅନ୍ୟାନ୍ୟ ଦରକାରୀ ସାମଗ୍ରୀ ବଣ୍ଟନ କରିବ। ‘ଓବିସି ମୋର୍ଚ୍ଚା’ କର୍ମୀମାନେ ଅନାଥାଶ୍ରମ ଏବଂ ଜରାନିବାସରେ ଫଳ ବଣ୍ଟନ କରିବେ। ‘କିଷାନ୍ ମୋର୍ଚ୍ଚା’ ‘କିଷାନ୍ ସମ୍ମାନ ଦିବସ’ ଆୟୋଜନ କରିବ। ଏଥିରେ ୭୧ଜଣ କୃଷକ ଏବଂ ୭୧ଜଣ ତରୁଣଙ୍କୁ ସମ୍ମାନ ପ୍ରଦାନ କରାଯିବ। ସେହିପରି, ‘ମହିଳା ମୋର୍ଚ୍ଚା’ ମହାମାରୀ ସମୟରେ ସେବା ପ୍ରଦାନ କରିଥିବା ୭୧ଜଣ ମହିଳା କରୋନା ଯୋଦ୍ଧାଙ୍କୁ ସମ୍ମାନ ପ୍ରଦାନ କରିବ। ଏହା ବ୍ୟତିରେକେ, ଏହି ଅଭିଯାନ ସମୟ ଅବଧିରେ ସେପ୍ଟେମ୍ବର ୨୫ ତାରିଖରେ ପଡୁଥିବା ଦୀନଦୟାଲ୍ ଉପାଧ୍ୟାୟଙ୍କ ଜୟନ୍ତୀରେ ‘ବିଜେପି’ ପ୍ରତି ବୁଥ୍ରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରିବ। ଅକ୍ଟୋବର ୨ରେ ‘ବିଜେପି’ ଆୟୋଜନ କରିବ ପରିମଳ ଅଭିଯାନ। ଏଥିରେ ନଦନଦୀ ପରିଷ୍କାର କରାଯିବା ସହ ବୃକ୍ଷ ରୋପଣ କରାଯିବ। ଏହି ସମୟରେ ‘ପ୍ଲାଷ୍ଟିକ୍-ମୁକ୍ତ ଭାରତ’ ସଚେତନତା କାର୍ଯ୍ୟକ୍ରମ ମଧ୍ୟ ଆୟୋଜନ କରାଯିବ। ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଜୀବନ ଉପରେ ଆଧାରିତ ଗୋଟାଏ ପ୍ରଦର୍ଶନୀ ମଧ୍ୟ ଆୟୋଜନ କରାଯିବ ବୋଲି ‘ବିଜେପି’ କହିଛି।
Discussion about this post