ରିପୋର୍ଟ କାର୍ଡ / କଟକ
ଜନଗଣନାରେ ନିୟୋଜିତ ଶିକ୍ଷକଙ୍କୁ ପ୍ରତି ଜିଲ୍ଲାରେ ପ୍ରଶିକ୍ଷଣ ଦିଆଯାଉଛି। ଏଥିପାଇଁ ମାଟ୍ରିକ ପରୀକ୍ଷା ଖାତାଦେଖା ଉପରେ ପ୍ରଭାବ ପଡ଼ିବାର ଆଶଙ୍କା ଦେଖା ଦେଇଛି। ସମ୍ପୃକ୍ତ ଶିକ୍ଷକମାନେ ଖାତା ଦେଖା ଅଧାରୁ ଛାଡ଼ି ଜନଗଣନା ପ୍ରଶିକ୍ଷଣ ନେବାକୁ ଯାଇପାରନ୍ତି ବୋଲି ଜଣାପଡ଼ିଛି। ଯେଉଁଥିପାଇଁ ୩୦ ଜିଲ୍ଲାର ଜିଲ୍ଲାପାଳଙ୍କୁ ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ପକ୍ଷରୁ ଚିଠି କରାଯାଇଛି। ସମ୍ପୃକ୍ତ ଶିକ୍ଷକଙ୍କ ପ୍ରଶିକ୍ଷଣ ଶେଷ ପର୍ଯ୍ୟାୟରେ ରଖିବା ନିମନ୍ତେ ପଦକ୍ଷେପ ନେବାକୁ ବୋର୍ଡ କର୍ତ୍ତୃପକ୍ଷ ନିବେଦନ କରିଛନ୍ତି। ମାର୍ଚ୍ଚ ୧୯ରୁ ମାଟ୍ରିକ ପରୀକ୍ଷା ଉତ୍ତରଖାତା ମୂଲ୍ୟାୟନ ଆରମ୍ଭ ହୋଇଛି। ୫୧ଟି ମୂଲ୍ୟାୟନ କେନ୍ଦ୍ରରେ ୧୫ ହଜାର ଶିକ୍ଷକ ଖାତା ଦେଖୁଛନ୍ତି। ପ୍ରାୟ ୭ ଦିନ ଧରି ପ୍ରକ୍ରିୟା ଚାଲିଥିବାବେଳେ ଏପ୍ରିଲ ୨ ତାରିଖ ଖାତାଦେଖା ସରିବ; କିନ୍ତୁ ଏବେ ଏହା ପ୍ରଭାବିତ ହେବାର ଆଶଙ୍କା ସୃଷ୍ଟି ହୋଇଛି। କାରଣ ରାଜ୍ୟରେ ଆଗାମୀ ଜନଗଣନା ନିମନ୍ତେ ଜିଲାସ୍ତରରେ ଶିକ୍ଷକଙ୍କୁ ପ୍ରଶିକ୍ଷଣ ପ୍ରଦାନ କରାଯିବ। ଖାତା ଦେଖାରେ ନିୟୋଜିତ ହୋଇଥିବା ବହୁ ବରିଷ୍ଠ ଶିକ୍ଷକଙ୍କ ନାମ ଜନଗଣନାକାରୀ ତାଲିକାରେ ରହିଛି। ତେଣୁ ସେମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ କରାଯିବାକୁ ନିଷ୍ପତ୍ତି ନିଆଯାଇଛି। ଯାହା ଫଳରେ ସେମାନେ ଖାତା ଦେଖା ଅଧାରୁ ଛାଡ଼ି ଜନଗଣନା ପ୍ରଶିକ୍ଷଣ କାର୍ଯ୍ୟରେ ସାମିଲ ହୋଇପାରନ୍ତି। ଏହାକୁ ଦୃଷ୍ଟିରେ ରଖି ବୋର୍ଡ ସଭାପତି ଶ୍ରୀକାନ୍ତ ତରାଇ ସବୁ ଜିଲାପାଳଙ୍କୁ ଚିଠି ଲେଖିଛନ୍ତି। ଯଦି ସମ୍ପୃକ୍ତ ଶିକ୍ଷକ ଖାତା ଦେଖା ଅଧାରୁ ଯାଆନ୍ତି ତାହାଲେ ନିର୍ଦ୍ଧାରିତ ମେ ଦ୍ବିତୀୟ ସପ୍ତାହ ସୁଦ୍ଧା ଫଳ ପ୍ରକାଶ ପାଇପାରିବ ନାହିଁ। ଏହାଦ୍ବାରା ଛାତ୍ରଛାତ୍ରୀମାନେ ଅସୁବିଧାର ସମ୍ମୁଖୀନ ହେବେ। ସେମାନଙ୍କ ଫଳ ଠିକ୍ ସମୟରେ ପ୍ରକାଶ ନ ପାଇଲେ ସେମାନେ ନାମ ଲେଖାଇବାରେ ସମସ୍ୟା ଭୋଗିବେ। ତେଣୁ ଏପ୍ରିଲ ୨ ପରେ ପରେ ସମ୍ପୃକ୍ତ ଶିକ୍ଷକଙ୍କୁ ପ୍ରଶିକ୍ଷଣ ଦେବାକୁ ସଭାପତି ତରାଇ ସବୁ ଜିଲ୍ଲାପାଳଙ୍କୁ ଚିଠି ଦ୍ବାରା ନିବେଦନ କରିଥିବା ଜଣାପଡ଼ିଛି।






More Stories
ଆଜି ଲିଙ୍ଗରାଜଙ୍କ ରୁକୁଣା ରଥ…..
ଆଇଏଏସ୍ ସ୍ତରରେ ଅଦଳବଦଳ…..
ଝଡ଼ ବର୍ଷା:୮ ଜିଲ୍ଲାକୁ ୟେଲୋ ଓ୍ବାର୍ନିଂ…..