Report Card Odisha

| Daily Odia News

ଆସୁଛି ଦୁଇ ଲଘୁଚାପ:ପ୍ରବଳ ବର୍ଷା ସମ୍ଭାବନା……

ରିପୋର୍ଟ କାର୍ଡ / ଭୁବନେଶ୍ୱର

ଦକ୍ଷିଣ-ପଶ୍ଚିମ ମୌସୁମି ବାୟୁ ନିଷ୍କ୍ରିୟ ରହିବା ହେତୁ ଅନେକ ସ୍ଥାନକୁ ଅଗ୍ରସର ହୋଇପାରିନି। କିନ୍ତୁ ଧୀରେ ଧୀରେ ମୌସୁମି ସକ୍ରିୟ ହେବାରେ ଲାଗିଛି। ଜୁନ୍ ଶେଷ ସପ୍ତାହ‌ ବେଳକୁ ଉତ୍ତର ବଙ୍ଗୋପସାଗରରେ ଗୋଟିଏ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାକୁ ଥିବାବେଳେ ଜୁଲାଇ ପ୍ରଥମ ସପ୍ତାହ‌େ‌ର ଆଉ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇପାରେ। ଆଗପଛ ହୋଇ ଦୁଇଟି ଲଘୁଚାପ ବଙ୍ଗୋପସାଗରରେ ଆସୁଥିବାରୁ ରାଜ୍ୟରେ ମୌସୁମି ଆହୁରି ସକ୍ରିୟ ହେବ ଏବଂ ବର୍ଷା ପରିମାଣ ବୃଦ୍ଧି ପାଇବାର ସମ୍ଭାବନା ରହିବ। ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନାନୁଯାୟୀ, ଆସନ୍ତା ୨୩ ତାରିଖବେଳକୁ ଓଡ଼ିଶାର ଆଉ କିଛି ଅଞ୍ଚଳରେ ମୌସୁମି ପ୍ରବେଶ କରିବା ନିମନ୍ତେ ପାଗ ଅନୁକୂଳ ରହିଛି। ରବିବାର ସୁବର୍ଣ୍ଣପୁର, ବରଗଡ, ବଲାଙ୍ଗିର, ଝାରସୁଗୁଡା, କେନ୍ଦୁଝର, ସମ୍ବଲପୁର ଏବଂ ହୀରାକୁଦ ଆଦି ଅଞ୍ଚଳରେ ବର୍ଷା ହୋଇଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ କୋରାପୁଟର କିଛି ଅଞ୍ଚଳରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି। ସେହିପରି ଦକ୍ଷିଣ, ଉପକୂଳ, ପଶ୍ଚିମ ଏବଂ ଉତ୍ତର ଓଡ଼ିଶାର ଅନେକ ସ୍ଥାନରେ ବିଜୁଳି ଘଡଘଡି ସହିତ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ପାଣିପାଗ ବିଶେଷଜ୍ଞ ବିଶ୍ବଜିତ ସାହୁ କହିଛନ୍ତି, ଜୁନ୍ ୨୪ ବେଳକୁ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ଉତ୍ତର ବଙ୍ଗୋପସାଗର ଏବଂ ଏହାର ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇପାରେ। ସମ୍ଭାବ୍ୟ ଲଘୁଚାପ ପ୍ରଭାବ ଦକ୍ଷିଣ ଓଡ଼ିଶାରେ ଅଧିକ ରହିପାରେ। ରାଜ୍ୟର ଅନ୍ୟାନ୍ୟ ଅଞ୍ଚଳରେ ବି ମଧ୍ୟମ ଧରଣ ବର୍ଷାର ସମ୍ଭାବନା ରହିଛି। ଜୁଲାଇ ପ୍ରଥମ ସପ୍ତାହରେ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇପାରେ। ଆଗପଛ ହୋଇ ଦୁଇଟି ଲଘୁଚାପ ବଙ୍ଗୋପସାଗରରେ ସୃଷ୍ଟି ହେବାର ସମ୍ଭାବନା ଥିବାରୁ ଧୀରେ ଧୀରେ ମୌସୁମି ସକ୍ରିୟ ହେବ ବୋଲି ସେ କହିଛନ୍ତି।

Breaking News