ରିପୋର୍ଟ କାର୍ଡ / ରାୟଗଡା
ଆଜି ଭର୍ଚୁଆଲ ମାଧ୍ୟମରେ ରାୟଗଡ଼ା ବାସୀଙ୍କ ପାଇଁ BSKY ସ୍ମାର୍ଟ କାର୍ଡର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଜିଲ୍ଲା ସଦର ମହକୁମାର ଜିସିଡି ପଡିଆରେ କାର୍ଡ ବଣ୍ଟନର କାର୍ଯ୍ୟକ୍ରମ କରାଯାଇଛି । ଏହି ସ୍ମାର୍ଟ କାର୍ଡ ଦ୍ୱାରା ଜିଲ୍ଲାର ୨ ଲକ୍ଷ ୫୨ ହଜାର ୧୯୧ ପରିବାର ଉପକୃତ ହେବେ । ରାୟଗଡ଼ାରେ ଉପସ୍ଥିତ ମନ୍ତ୍ରୀ ଓ ବିଧାୟକ ହିତାଧିକାରୀଙ୍କୁ କାର୍ଡ ବାଣ୍ଟିଛନ୍ତି । ଜିଲ୍ଲାର ମୋଟ ୮ ଲକ୍ଷରୁ ଅଧିକ ହିତାଧିକାରୀଙ୍କୁ କାର୍ଡ ଦିଆଯିବ ।ଏହା ବ୍ୟତୀତ ରାୟଗଡ଼ାରେ ୨୦୯ଟି ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ । BSKY ସ୍ମାର୍ଟ କାର୍ଡ ବଣ୍ଟନ ଅବସରରେ ମୁଖ୍ୟମନ୍ତ୍ରୀ ନିଜର ଉଦବୋଧନରେ କହିଛନ୍ତି ଯେ, ‘ରାୟଗଡ଼ା ଜିଲ୍ଲାରେ ୮୭୦ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପ ଉଦଘାଟିତ ହୋଇଛି । ୮୭୦ କୋଟି ଟଙ୍କାର ପ୍ରକଳ୍ପ ଆରମ୍ଭ କରି ମୁଁ ବହୁତ ଖୁସି ।’ ଏହା ସହିତ ମିଶନ ଶକ୍ତିର ମହିଳାଙ୍କ କାମକୁ ପ୍ରଶଂସା କରିଛନ୍ତି ନବୀନ । ରାଜ୍ୟରେ BSKY ସ୍ମାର୍ଟ କାର୍ଡ ଗରିବ ଲୋକଙ୍କର ଦୁଃଖକୁ କମାଇବ । ଚାଷୀ ହେଉ କି ରିକ୍ସାବାଲା, ମୋ ପାଇଁ ପ୍ରତିଟି ଜୀବନ ମୂଲ୍ୟବାନ୍ । ଏଭଳି ସ୍ୱାସ୍ଥ୍ୟ ସୁବିଧା ଦେବାରେ ଓଡ଼ିଶା ଦେଶର ପ୍ରଥମ ରାଜ୍ୟ । ମୁଁ ଚାହେଁ, ଟଙ୍କା ପାଇଁ କେହି ଚିକିତ୍ସାରୁ ବଞ୍ଚିତ ନ ହୁଅନ୍ତୁ ବୋଲି ନବୀନ କହିଛନ୍ତି । ସମସ୍ତେ ସୁସ୍ଥ ରହି ନିଜ ପରିବାର ଓ ରାଜ୍ୟ ପାଇଁ କାମ କରନ୍ତୁ । ଲୋକେ ଚିକିତ୍ସା ପାଇଁ ଜମି ବିକିବା ଓ ଋଣ କରିବା ଖବର ମୋତେ ଦୁଃଖ ଦିଏ । ରାଜ୍ୟରେ ମୋଟ ୩.୫ କୋଟି ଲୋକ BSKY ସ୍ମାର୍ଟ କାର୍ଡର ସୁବିଧା ପାଇବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।






More Stories
ଛାଡ଼ପତ୍ରପ୍ରାପ୍ତ ବିବାହିତ ଝିଅଙ୍କୁ ମିଳିବ…..
ସମ୍ବଲପୁର ତହସିଲ ଦୁଇ ଭାଗ…..
ନବୀନଙ୍କୁ କାଉଣ୍ଟର କଲେ ଉପମୁଖ୍ୟମନ୍ତ୍ରୀ…..