ରିପୋର୍ଟ କାର୍ଡ / ଭୁବନେଶ୍ୱର
ଓଡ଼ିଶା ଅର୍ଥ ସେବା ର ୩ଜଣ ବରିଷ୍ଠ ଅଧିକାରୀ ମଙ୍ଗଳବାର ଆଇଏଏସ୍ ପଦବୀକୁ ଉନ୍ନୀତ ହୋଇଛନ୍ତି। ଏନେଇ କେନ୍ଦ୍ର କାର୍ମିକ ମନ୍ତ୍ରଣାଳୟ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ଜାରି ହେବା ସହ ସମ୍ପୃକ୍ତ ୩ଜଣ ଅଫିସରଙ୍କୁ ୨୦୨୦ ସିଲେକ୍ଟ ତାଲିକାରେ ସାମିଲ କରାଯାଇଛି। ପରବର୍ତ୍ତୀ ସମୟରେ ଏହି ଅଫିସରମାନଙ୍କୁ କ୍ୟାଡ଼ର ଆବଣ୍ଟନ କରାଯିବ। କେନ୍ଦ୍ର କାର୍ମିକ ମନ୍ତ୍ରଣାଳୟ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ ରାଜ୍ୟ ସରକାରଙ୍କ ଅଣ ପ୍ରଶାସନିକ ସେବାର ୩ଜଣ ବରିଷ୍ଠ ଅଫିସର ଡଃ ସତ୍ୟପ୍ରିୟ ରଥ, ଦୀପଙ୍କର ମହାପାତ୍ର ଓ ପ୍ରଣତି ଛୋଟରାୟଙ୍କୁ ଆଇଏଏସ୍ ପଦବୀକୁ ଉନ୍ନୀତ କରାଯାଇଛି । ୨୦୨୦ ସିଲେକ୍ଟ ଲିଷ୍ଟରେ ସେମାନଙ୍କୁ ସାମିଲ କରାଯାଇଥିବାବେଳେ ଭାରତୀୟ ପ୍ରଶାସନିକ ସେବା (କ୍ୟାଡ଼ର) ରୁଲସ-୧୯୫୪ର ରୁଲସ-୫(୧)ରେ ପରବର୍ତ୍ତୀ ସମୟରେ ଓଡ଼ିଶା କ୍ୟାଡ଼ର ଆବଣ୍ଟନ କରାଯିବ । ଏହି ୩ ଅଧିକାରୀଙ୍କ ବରିଷ୍ଠତା ଓ କ୍ୟାଡ଼ର ବର୍ଷ ନିର୍ଦ୍ଧାରଣ ନିମନ୍ତେ ଆବଶ୍ୟକ ପ୍ରସ୍ତାବ ନିର୍ଦ୍ଧାରିତ ଫର୍ମାଟରେ ପଠାଇବାକୁ ରାଜ୍ୟ ମୁଖ୍ୟ ସଚିବଙ୍କୁ କେନ୍ଦ୍ର କାର୍ମିକ ମନ୍ତ୍ରଣାଳୟ ଚିଠି ଲେଖି ଅବଗତ କରିଛି । ଏବେ ଅର୍ଥ ବିଭାଗର ଅତିରିକ୍ତ ସଚିବ ଭାବେ କାର୍ଯ୍ୟରତ ଡଃ ସତ୍ୟପ୍ରିୟ ରଥ ଗତ ୧୦ବର୍ଷ ଧରି ରାଜ୍ୟ ବଜେଟ ପ୍ରସ୍ତୁତିର ମୁଖ୍ୟ ଭାବେ କାର୍ଯ୍ୟ କରୁଛନ୍ତି । ଉତ୍କଳ ବିଶ୍ୱବିଦ୍ୟାଳୟରୁ ଫିଜିକ୍ସରେ ୧୯୯୭ ମସିହାରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଥିବା ଡଃ ରଥ ସେହି ବର୍ଷ ଓଡ଼ିଶା ଅର୍ଥ ସେବାରେ ଯୋଗ ଦେଇଥିଲେ । ସେହିପରି ଦୀପଙ୍କର ମହାପାତ୍ର ଓ ପ୍ରଣତି ଛୋଟରାୟ ମଧ୍ୟ ଏବେ ଅର୍ଥ ବିଭାଗରେ ଗୁରୁତ୍ୱପୂର୍ଣ୍ଣ ପଦପଦବୀରେ କାର୍ଯ୍ୟରତ ଅଛନ୍ତି ।






More Stories
ଆଉ ଥରେ ହେଉ ନୂଆପଡ଼ା ଉପନିର୍ବାଚନ:କଂଗ୍ରେସ…..
ନୟାଗଡରେ ବୋମାମାଡ଼……
ବଢ଼ିଲା ବାଲିଯାତ୍ରା ଅବଧି……