ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ୟୁକ୍ରେନ୍ର ‘ଜାପୋରିଝ୍ଝିଆ ଆଣବିକ ପ୍ଲାଣ୍ଟ୍’ ନିକଟରେ ରୁଷ୍ ବୋମା ବର୍ଷଣ କରୁଥିବା ଖବରକୁ ନେଇ ଭାରତ ଚିନ୍ତିତ ହେବା ସହ ତାହାର ସୁରକ୍ଷା ଲାଗି ସଂଯମ ରକ୍ଷା କରିବା ଲାଗି ଉଭୟ ଦେଶଙ୍କୁ ଅନୁରୋଧ କରିଛି। ସୂଚନାଯୋଗ୍ୟ, ଚଳିତ ବର୍ଷ ମାର୍ଚ ମାସରୁ ରୁଷ୍ ନିୟନ୍ତ୍ରଣରେ ଥିବା ‘ଜାପୋରିଝ୍ଝିଆ ଆଣବିକ ପ୍ଲାଣ୍ଟ୍’ ପରିସରରେ ଗତ ସପ୍ତାହ ଏବଂ ଗୁରୁବାର ଦିନ ବୋମା ପଡ଼ିଥିବା ଘଟଣା ପାଇଁ ୟୁକ୍ରେନ୍ ଓ ରୁଷ୍ ପରସ୍ପର ଉପରେ ଦୋଷାରୋପ କରୁଛନ୍ତି। ଗୁରୁବାର ଦିନ ଜାତିସଂଘ ସୁରକ୍ଷା ପରିଷଦ୍ ବୈଠକରେ ସୂଚନା ପ୍ରଦାନ ବେଳେ ଜାତିସଂଘ ପାଇଁ ଭାରତର ସ୍ଥାୟୀ ପ୍ରତିନିଧି ରୁଚିରା କମ୍ବୋଜ୍ କହିଲେ ଯେ, ଆଣବିକ କେନ୍ଦ୍ରଗୁଡ଼ିକର ସୁରକ୍ଷା ଓ ନିରାପତ୍ତା ନିମନ୍ତେ ସୁନିଶ୍ଚିତ ହେବା ଲାଗି ପାରସ୍ପରିକ ସଂଯମ ପାଇଁ ଭାରତ ଅନୁରୋଧ କରୁଛି। ୟୁକ୍ରେନ୍ର ଆଣବିକ ଶକ୍ତି ରିଆକ୍ଟର୍ ଏବଂ କେନ୍ଦ୍ରର ସୁରକ୍ଷା ଓ ନିରାପତ୍ତା ସଂକ୍ରାନ୍ତରେ କ’ଣ ପଦକ୍ଷେପ ନିଆଯାଉଛି ସେ ବିଷୟ ପ୍ରତି ଭାରତ ନଜର ରଖିଛି ବୋଲି ମଧ୍ୟ କମ୍ବୋଜ୍ କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି, ଆଣବିକ କେନ୍ଦ୍ରଗୁଡ଼ିକର ସୁରକ୍ଷା ଓ ନିରାପତ୍ତା ପ୍ରତି ସୁନିଶ୍ଚିତ ହେବା ଉପରେ ଭାରତ ଖୁବ୍ ଗୁରୁତ୍ବାରୋପ କରୁଛି। କାରଣ ସେଠାରେ କୌଣସି ପ୍ରକାର ଅଘଟଣ ଘଟିଲେ ଜନସ୍ବାସ୍ଥ୍ୟ ଏବଂ ପରିବେଶ ଭୀଷଣ ପ୍ରଭାବିତ ହେବ। ନିରାପତ୍ତା ପରିଷଦ୍କୁ ସ୍ମରଣ କରାଇ ସେ କହିଲେ ଯେ, ରୁଷ୍ ଓ ୟୁକ୍ରେନ୍ ମଧ୍ୟରେ ଯୁଦ୍ଧ ଆରମ୍ଭ ହେବା ସମୟରୁ ହି ଭାରତ ଶତ୍ରୁତା ଏବଂ ହିଂସାର ଅବସାନ ପାଇଁ କହି ଆସୁଛି। ରୁଚିରା କମ୍ବୋଜ୍ଙ୍କ ବ୍ୟତୀତ ଜାତିସଂଘର ମହାନିର୍ଦେଶକ ଆଣ୍ଟୋନିଓ ଗୁଟେରେସ୍ ମଧ୍ୟ ଆଣବିକ କେନ୍ଦ୍ର ନିକଟରେ ଲଢ଼େଇ ବନ୍ଦ ରଖିବା ପାଇଁ ରୁଷ୍ ଓ ୟୁକ୍ରେନ୍କୁ ଅନୁରୋଧ କରିଛନ୍ତି।






More Stories
ଏବେ ବେରୋଜଗାର ପ୍ରସଙ୍ଗ…..
ସିଷ୍ଟମ ସଂଶୋଧନ ପାଇଁ Gen Z,ରାଜନୈତିକ ମହଲରେ ଝଡ଼!……
ନ୍ୟାୟିକ କାର୍ଯ୍ୟର ରିପୋର୍ଟିଂ ଉପରେ କଟକଣା ନାହିଁ…..