Report Card Odisha

| Daily Odia News

୬୦୦ ହମାସ୍‌ ଆଡ଼ାରେ ଆକ୍ରମଣ କଲା ଇସ୍ରାଏଲ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଉତ୍ତର ଏବଂ କେନ୍ଦ୍ରୀୟ ଗାଜାରେ ଇସ୍ରାଏଲୀ ସେନା ଏହାର ସ୍ଥଳ ଅଭିଯାନକୁ ଜୋରଦାର କରିଛି। ଗାଜାର ପ୍ରମୁଖ ରାସ୍ତାରେ ଇସ୍ରାଏଲୀ ଟ୍ୟାଙ୍କ୍‌ରୁ ଗୁଳିଗୋଳା ମାଡ଼ ହେଉଛି। ଇସ୍ରାଏଲୀ ଟ୍ୟାଙ୍କ୍‌ ଏବଂ ବୁଲଡୋଜର ଗାଜାର ମୁଖ୍ୟ ଉତ୍ତର-ଦକ୍ଷିଣ ରାଜପଥ ଅବରୋଧ କରିଛି। ପ୍ରମୁଖ ରାସ୍ତାମାନଙ୍କରେ ଗାଡ଼ି ମୋଟରକୁ ଟାର୍ଗେଟ୍‌ କରି ଟ୍ୟାଙ୍କ୍‌ରୁ ଗୁଳିଗୋଳା ମାଡ଼ ‌ହେଉଛି। ହମାସ୍‌ ବିରୋଧରେ ଦ୍ବିତୀୟ ପର୍ଯ୍ୟାୟ ଯୁଦ୍ଧ ଆରମ୍ଭ ହୋଇଛି ବୋଲି ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଘୋଷଣା କରିଥିବାବେଳେ ଏହି ସମୟରେ ଇସ୍ରାଏଲ ସେନା ଏହାର ଆକ୍ରମଣକୁ ଅଧିକ ବିସ୍ତାର କରିଛି। ଉଭୟ ପକ୍ଷର ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି। ଗାଜାରେ ମୃତ୍ୟୁ ସଂଖ୍ୟା ୮ ହଜାର ଟପିଥିବାବେଳେ ଇସ୍ରାଏଲରେ ମୃତ୍ୟୁସଂଖ୍ୟା ୧୪୦୦ରୁ ଅଧିକ ରହିଛି। ଗାଜାରେ କେବଳ ୩,୩୨୪ ଶିଶୁଙ୍କର ମୃତ୍ୟୁ ହୋଇଛି। ଇସ୍ରାଏଲ ସେନା ଅନୁଯାୟୀ ୨୪ ଘଣ୍ଟାରେ ୬୦୦ ହମାସ୍‌ ଟାର୍ଗେଟ୍‌ ଉପରେ ଆକ୍ରମଣ କରିଛି। ଗତକାଲି ରାତିରେ ହମାସ୍‌ ଆଡ଼ା ଉପରେ ହୋଇଥିବା ଆକ୍ରମଣ ଯୋଗୁ ଅନେକ ଆତଙ୍କବାଦୀ ନିପାତ ହୋଇଛନ୍ତି। ଅନ୍ୟପକ୍ଷେ ହମାସ୍‌ ଆତଙ୍କବାଦୀ ‌ଗୋଷ୍ଠୀ ପକ୍ଷରୁ ମଧ୍ୟ ଇସ୍ରାଏଲକୁ ଟାର୍ଗେଟ୍‌ କରି ରକେଟ୍‌ ମାଡ଼ ଜାରି ରହିଥିବା ଜଣାପଡ଼ିଛି। ଇତି ମଧ୍ୟରେ ଉତ୍ତର ଗାଜା‌ରେ ହସ୍ପିଟାଲ୍‌ ଗୁଡ଼ିକ ଉପରେ ଆକ୍ରମଣ ଭୟ ରହିଛି। ଉତ୍ତର ଗାଜା ସହରର ସିଫା ଏବଂ ଅଲ୍‌ କୁଦ୍‌ସ ହସ୍ପିଟାଲ ନିକଟରେ ବିମାନ ଆକ୍ରମଣ ହୋଇଛି। ଉତ୍ତର ଗାଜାରେ ସମସ୍ତ ୧୦ଟି ହସ୍ପିଟାଲରୁ ଲୋକଙ୍କୁ ଖାଲି କରିବାକୁ କୁହାଯାଇଛି।

Breaking News