Report Card Odisha

| Daily Odia News

ଆଜିଠାରୁ ଆଦିବାସୀ ମେଳା…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

କଟକଣା ପାଇଁ ହଟିବା ପରେ ରାଜ୍ୟସ୍ତରୀୟ ଆଦିବାସୀ ମେଳା ଆଜିଠାରୁ ଆରମ୍ଭ ହେବାକୁଯାଉଛି । ଏଥିପାଇଁ ଅନୁସୂଚିତ ଜନଜାତି ଓ ଜାତି ଉନ୍ନୟନ ତଥା ସଂଖ୍ୟାଲଘୁ ଓ ପଛୁଆ ବର୍ଗ କଲ୍ୟାଣ ବିଭାଗ ଆନୁକୂଲ୍ୟରେ ୟୁନିଟ୍‌-୩ ଇଡ୍‌କୋ ପ୍ରଦର୍ଶନୀ ପଡ଼ିଆରେ ୧୦ଦିନ ପାଇଁ ଶନିବାରଠୁ ମେ’ ୨ ପର୍ଯ୍ୟନ୍ତ ଆଦିବାସୀ ମେଳା ଆୟୋଜିତ ହେବ । ଏହି ମେଳାକୁ ସନ୍ଧ୍ୟା ୬ଟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍‌ଘାଟନ କରିବେ ବୋଲି ବିଭାଗ ପକ୍ଷରୁ ସୂଚନା ମିଳିଛି । ଏଥର ମେଳାର ମୁଖ୍ୟ ଆକର୍ଷଣ ଆଦିବାସୀଙ୍କ ପାରମ୍ପରିକ ଗୃହ ଦେଖିବାକୁ ମିଳିବ ନାହିଁ । କେବଳ ଗୃହ ନୁହେଁ, ଆଦିବାସୀଙ୍କ ପାରମ୍ପରିକ ଖାଦ୍ୟ ମଧ୍ୟ ଖାଇବା ଲାଗି ମିଳିବନି । ପୂର୍ବ ବର୍ଷଗୁଡ଼ିକରେ ବିଭିନ୍ନ ସମ୍ପ୍ରଦାୟର ଆଦିବାସୀମାନଙ୍କ ଘର ଦେଖିବା ସହ ଖାଦ୍ୟ ବିଶେଷକରି ବାରିପଦାର ମୁଢ଼ି ମାଂସ ସମେତ ସୁଆଁ ଖିରି ଓ କଟିଂ ବରା ଆଦି ଲୋକଙ୍କୁ ବେଶ୍‌ ଆକର୍ଷିତ କରୁଥିଲା । ଏଥର ସେସବୁର ମଜା ନେବାରୁ ବଞ୍ଚିତ ହେବେ ଦର୍ଶକ । କେବଳ ଆଦିବାସୀଙ୍କ ଦ୍ୱାରା ଉତ୍ପାଦିତ କୃଷି ଓ ଜଙ୍ଗଲଜାତ ସାମଗ୍ରୀ ବିକ୍ରି ଓ ସାଂସ୍କୃତିକ କାର୍ଯ୍ୟକ୍ରମ ହେବ । କିଣାବିକା ପାଇଁ ମୋଟ୍‌ ୧୦୦ଟି ଷ୍ଟଲ୍‌ କରାଯାଉଥିବାବେଳେ ଆଇଟିଡିଏ, ମାଇକ୍ରୋ ପ୍ରୋଜେକ୍ଟ, ମିଶନ ଶକ୍ତି, ଓର୍‌ମାସ, ଟିଡିସିସି ଆଦି ବିଭିନ୍ନ ଅନୁଷ୍ଠାନ ଯୋଗଦେବେ । ଏହି ଷ୍ଟଲ୍‌ରେ କେବଳ ଆଦିବାସୀଙ୍କ ଦ୍ୱାରା ଉତ୍ପାଦିତ ଓ ପ୍ରସ୍ତୁତ ସାମଗ୍ରୀ ବିକ୍ରି ହେବ । ସାଂସ୍କୃତିକ କାର୍ଯ୍ୟକ୍ରମରେ ଆଦିବାସୀ କଳାକାରମାନେ ପାରମ୍ପରିକ କଳା ପ୍ରଦର୍ଶନ କରିବେ । ୫୬ଟି ଆଦିବାସୀ ନୃତ୍ୟ ଦଳ ନାଚଗୀତ ପରିବେଷଣ କରିବେ । ପ୍ରତିଦିନ ଅପରାହ୍ଣ ସାଢ଼େ ୩ଟାରୁ ରାତି ସାଢ଼େ ୯ଟା ପର୍ଯ୍ୟନ୍ତ ମେଳା ଓ ପ୍ରଦର୍ଶନୀ ଖୋଲା ରହିବ । ସନ୍ଧ୍ୟା ସାଢ଼େ ୬ଟାରୁ ରାତି ସାଢ଼େ ୮ଟା ପର୍ଯ୍ୟନ୍ତ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବ । ପ୍ରତିବର୍ଷ ଜାନୁୟାରୀ ୨୬ତାରିଖରୁ ଏହି ମେଳା ଅନୁଷ୍ଠିତ ହେଉଥିବାବେଳେ କରୋନା କଟକଣା ଯୋଗୁଁ ଚଳିତ ବର୍ଷ ହୋଇପାରି ନ ଥିଲା । ତେଣୁ ଏବେ କଟକଣା କୋହଳ ପରେ ଆୟୋଜିତ ହେଉଛି ବୋଲି ବିଭାଗ ପକ୍ଷରୁ ସୂଚନା ମିଳିଛି ।

Breaking News