ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଆଫଗାନିସ୍ତାନ ପରିସ୍ଥିତି ଉପରେ ତୀକ୍ଷ୍ଣ ଦୃଷ୍ଟି ରଖାଯାଇଛି ଓ ଉଚିତ ସମୟରେ ଆବଶ୍ୟକ ପଦକ୍ଷେପ ନେବେ କେନ୍ଦ୍ର ସରକାର । ଆଜି ଆଫଗାନିସ୍ତାନରେ ଉପୁଜିଥିବା ସଙ୍କଟ ଉପରେ ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର ସବୁ ରାଜନୈତିକ ଦଳର ନେତାଙ୍କୁ ସୂଚନା ଦେଇଛନ୍ତି। ମନ୍ତ୍ରୀ ଜୟଶଙ୍କର କହିଛନ୍ତି ଯେ ସରକାର ‘ୱେଟ ଆଣ୍ଡ ୱାଚ’ ଅର୍ଥାତ ଅପେକ୍ଷା କରିଛନ୍ତି ଓ ବିଚାର କରୁଛନ୍ତି ଏବଂ ଏଭଳି ଘଡ଼ିସନ୍ଧି ମୁହୂର୍ତ୍ତରେ ସେଠାରୁ ଲୋକମାନଙ୍କୁ ସ୍ଥାନାନ୍ତର କରିବା ଉପରେ ପ୍ରାଥମିକତା ଦିଆଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କ ପକ୍ଷରୁ ସର୍ବଦଳୀୟ ବୈଠକରେ ୩୧ଟି ରାଜନୈତିକ ଦଳର ନେତାମାନେ ଯୋଗ ଦେଇଥିଲେ। ପରିସ୍ଥିତି ଉପରେ ସରକାରଙ୍କ ପକ୍ଷରୁ ଏକ ଉପସ୍ଥାପନା କରାଯାଇଥିଲା। ବିଶ୍ୱର ଅନ୍ୟାନ୍ୟ ଦେଶ ଭଳି ଭାରତ ମଧ୍ୟ ଏବେ ପରିସ୍ଥିତି ଆକଳନ କରୁଛି ଏବଂ ପ୍ରସ୍ତୁତ ରହିଛି ବୋଲି ଜୟଶଙ୍କର କହିଛନ୍ତି। ବୈଠକ ପରେ ସେ ଗଣମାଧ୍ୟମକୁ କହିଛନ୍ତି ଯେ ଆଫଗାନିସ୍ତାନ ସହ ଭାରତର ବନ୍ଧୁତା ମୂଲ୍ୟବାନ ଅଟେ। ସେ କହିଛନ୍ତି, ଆଫଗାନିସ୍ତାନର ଲୋକଙ୍କ ସହ ଆମର ଦୃଢ ବନ୍ଧୁତା ରହିଥିବା ପ୍ରମାଣିତ ହୋଇଛି। ଭାରତ ସେଠାରେ ୫୦୦ରୁ ଅଧିକ ପ୍ରକଳ୍ପ ନିର୍ମାଣ କରିଛି। ଏହି ବନ୍ଧୁତା ଆମକୁ ମାର୍ଗଦର୍ଶନ କରିବ। ବର୍ତ୍ତମାନ ପାଇଁ ସ୍ଥାନାନ୍ତର ଉପରେ ଧ୍ୟାନ ଦିଆଯାଉଥିବା ସେ କହିଛନ୍ତି। ସେ କହିଛନ୍ତି ଯେ ଆମର ତୁରନ୍ତ ଚିନ୍ତା ହେଉଛି ସ୍ଥାନାନ୍ତର। ସେ ଆହୁରି ମଧ୍ୟ କହିଛନ୍ତି ଯେ ପରିସ୍ଥିତି ବଦଳିଲେ ସରକାର ଅଧିକ ସ୍ପଷ୍ଟ ଚିତ୍ର ପ୍ରଦାନ କରିବେ। ଏହି ବୈଠକରେ ସମସ୍ତ ଦଳ ସରକାରଙ୍କ ସ୍ଥାନାନ୍ତର ଉଦ୍ୟମକୁ ପ୍ରଶଂସା କରିଛନ୍ତି। ତାଲିବାନ ଅଗଷ୍ଟ ୧୫ରେ ଆଫଗାନିସ୍ତାନ ଦଖଲ କରିବା ପରେ ଭାରତର ସୁରକ୍ଷା ଚିନ୍ତା ବୃଦ୍ଧି ପାଇଛି। ସର୍ବଦଳୀୟ ବୈଠକରେ ବିରୋଧୀ କଂଗ୍ରେସ ପକ୍ଷରୁ କୁହାଯାଇଛି ଯେ, ଆମେ ସରକାରଙ୍କ ସାଥିରେ ରହିଛୁ। ସରକାରଙ୍କ ପ୍ରତି ନିଷ୍ପତ୍ତିରେ କଂଗ୍ରେସ ସହାୟତା କରିବ ବୋଲି ପ୍ରତିଶ୍ରୁତି ଦେଇଛି।
Discussion about this post