Report Card Odisha

| Daily Odia News

ମମତାଙ୍କ ଉପରେ ବର୍ଷିଲେ କୋଲକାତା ହାଇକୋର୍ଟ…..

ରିପୋର୍ଟ କାର୍ଡ / କୋଲକାତା

ପଶ୍ଚିମବଙ୍ଗରେ ନିର୍ବାଚନ ପରେ ଘଟିଥିବା ହିଂସାକାଣ୍ଡକୁ ନେଇ ଚର୍ଚ୍ଚା | ଟିଏମସି ସରକାର ଉପରେ ବର୍ଷିଛନ୍ତି କୋଲକାତା ହାଇକୋର୍ଟ। ରାଜ୍ୟରେ ଏବେ ଆଇନ୍ ଶୃଙ୍ଖଳା ପରିସ୍ଥିତି କିଭଳି ରହିଛି ସେ ନେଇ ତିନି ଦିନ ମଧ୍ୟରେ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ମାନ୍ୟବର ହାଇକୋର୍ଟ। ରିପୋର୍ଟ ଦାଖଲ କରିବା ବେଳେ କେଉଁ କେଉଁ ସ୍ଥାନରେ ହିଂସା ହୋଇଛି, ସେଠାକାର ସ୍ଥିତି କଣ ରହିଛି। ହିଂସାକୁ ପ୍ରଶମିତ କରିବା ପାଇଁ ସରକାର କି ପଦକ୍ଷେପ ନେଇଛନ୍ତି ଆଦି ସମସ୍ତ ବିଷୟରେ ବିସ୍ତୃତ ଭାବରେ ରିପୋର୍ଟରେ ଉଲ୍ଲେଖ କରିବାକୁ ହାଇକୋର୍ଟ କହିଛନ୍ତି। ବିଧାନସଭା ନିର୍ବାଚନରେ ଟିଏମସି କ୍ରମାଗତ ତୃତୀୟ ଥର ପାଇଁ ବିଜୟୀ ହୋଇଥିଲା। ଆଉ ଏହାପରେ ୧୨ ବିଜେପି ନେତା ହତ୍ୟାର ଶିକାର ହୋଇଥିବା ବିଜେପି ଅଭିଯୋଗ କରିଛି। ଏମିତିକି ଟିଏମସି କର୍ମୀ ବିଜେପି ସମର୍ଥକଙ୍କ ଘରେ ପଶି ଭଙ୍ଗାରୁଜା କରିବା ସହିତ ମହିଳାଙ୍କୁ ଅସଦାଚରଣ ଓ ଦୁଷ୍କର୍ମ କରିବାକୁ ପ୍ରୟାସ କରିଥିବା ବିଜେପି ଅଭିଯୋଗ କରିଛି। ଏହାକୁ ନେଇ ବିଜେପି କୋଲକାତା ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା। ହାଇକୋର୍ଟର ୫ ଜଣିଆ ଖଣ୍ଡପୀଠ ମାମଲାକୁ ଗୁରୁତର ଭାବରେ ଗ୍ରହଣ କରିଛନ୍ତି। ଏହାପରେ ରାଜ୍ୟ ଗୃହ ସଚିବଙ୍କୁ ତିନି ଦିନ ମଧ୍ୟରେ ହିଂସା ବାବଦରେ ବିସ୍ତୁତ ରିପୋର୍ଟ ଦାଖଲ କରିବାକୁ କହିଛନ୍ତି। ମେ ୧୦ରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ହେବ ବୋଲି କୋର୍ଟ କହିଛନ୍ତି। ତେବେ ମମତା ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିବା ପରେ ହିଂସାକୁ ପ୍ରଶମିତ କରିବା ତାଙ୍କର ପ୍ରଥମ କାମ ବୋଲି କହିଥିଲେ। ଏହାପରେ ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ଘୋଷଣା କରିଥିଲେ ମମତା ବାନାର୍ଜୀ। ସରକାରଙ୍କ ରିପୋର୍ଟ ଅନୁଯାୟୀ ମୋଟ୍ ୧୬ ଜଣ ହିଂସାର ଶିକାର ହେବାରୁ ଆଖି ବୁଜିଛନ୍ତି। ଯେଉଁଥିରେ ବିଜେପିର ୯ ଜଣ, ୬ ଜଣ ଟିଏମସିର ଏବଂ ଜଣେ ବାପପନ୍ଥୀ ସମର୍ଥକ ରହିଛନ୍ତି। ସେହିପରି କେନ୍ଦ୍ର ଗୃହମନ୍ତ୍ରାଳୟ ମଧ୍ୟ ନିର୍ବାଚନୀ ପରେ ଦେଖାଦେଇଥିବା ହିଂସାକୁ ନେଇ ମମତା ସରକାରକୁ ରିପୋର୍ଟ ଦେବାକୁ କହିଛନ୍ତି। ଗୁରୁବାର କେନ୍ଦ୍ର ଗୃହ ବିଭାଗର ଚାରି ଜଣିଆ ଟିମ୍ ଆସି ପଶ୍ଚିମବଙ୍ଗର ବିଭିନ୍ନ ହିଂସାକାଣ୍ଡ ଘଟିଥିବା ସ୍ଥାନ ପରିଦର୍ଶନ କରି ଫେରିଛି।

 

Breaking News