ରିପୋର୍ଟ କାର୍ଡ / ଭୁବନେଶ୍ବର
ନୂଆବର୍ଷରେ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗରେ ଯୋଡି ହେବ ନୂଆ ଫର୍ଦ। ଅସ୍ମିତାକୁ ଆଧାର କରି ବିଭାଗ ପକ୍ଷରୁ ଅନେକ କାର୍ଯ୍ୟପନ୍ଥା ଗ୍ରହଣ କରାଯାଉଛି। ଏତିକି ନୁହେଁ ନୂଆବର୍ଷରେ ମଧ୍ୟ ବିଭାଗ ପାଇଁ ଅନେକଗୁଡ଼ିଏ ଆହ୍ବାନ ରହିଛି।ସବୁଠୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ରାଜଧାନୀରେ ଆଉ ଏକ ସଂଗ୍ରହାଳୟ ପ୍ରତିଷ୍ଠା କରାଯିବ। ଯଦିଓ ଏହାର ରୂପରେଖ ନେଇ ସେଭଳି ପଦକ୍ଷେପ ଗ୍ରହଣ କରାଯାଇନାହିଁ କିନ୍ତୁ ଖଣ୍ଡଗିରି ଅଞ୍ଚଳରେ ପ୍ରାୟ ୧୫ ଏକର ସ୍ଥାନ ଚିହ୍ନଟ ହୋଇଛି ଏବଂ ଅନୁମୋଦନ ମଧ୍ୟ ମିଳିଛି। ଏହାସହିତ ରାଜ୍ୟ ସଂଗ୍ରହାଳୟକୁ ନିର୍ଦେଶାଳୟ କରିବା ପାଇଁ ସମସ୍ତ ପ୍ରକ୍ରିୟା ଶେଷ ହୋଇଛି। ଏହାସହିତ ଗୁରୁ କେଳୁଚରଣ ମହାପାତ୍ରଙ୍କ ଜନ୍ମ ଶତବାର୍ଷିକୀ ପାଳନ କରାଯିବ। ରାଜ୍ୟ ସରକାରଙ୍କ ସହିତ ସୃଜନ ଅନୁଷ୍ଠାନ ମଧ୍ୟ ଏଥିରେ ସହଯୋଗ କରିବ। ବିଶେଷ କରି ଏହି ଉତ୍ସବରେ ଆଲୋଚନାଚକ୍ର ସହିତ ନୃତ୍ୟସଙ୍ଗୀତ ପରିବେଷଣ କରାଯିବ। ଏହାସାଙ୍ଗକୁ ପଣ୍ଡିତ ନୀଳକଣ୍ଠ ଦାଶଙ୍କ ଗାଁ ଘର ଆଧୁନିକୀକରଣ ସହିତ ଏହାକୁ ସଂଗ୍ରହାଳୟ କରାଯିବ। ସେହିପରି ପୁରୀରେ ରବୀନ୍ଦ୍ର ନାଥ ଠାକୁରଙ୍କ ପାଥେରପୁର ଘରର ନବୀକରଣ କରାଯାଇ ଏହାକୁ ମଧ୍ୟ ସଂଗ୍ରହାଳୟ କରାଯିବ। ଅନ୍ୟପକ୍ଷରେ ନେତାଜୀ ଏବଂ ବୀର ସୁରେନ୍ଦ୍ର ସାଏ ଜୟନ୍ତୀରେ ଅସ୍ମିତା ଭବନର ଶୁଭ ଦିଆଯିବା ନେଇ ଯୋଜନା ରହିଛି। ଏହାର କାର୍ଯ୍ୟଭାର ଓବିସିସିକୁ ଦିଆଯାଇଛି। ସେହିପରି ବହୁ ପ୍ରତୀକ୍ଷିତ ଅତ୍ୟାଧୁନିକ ପ୍ରେକ୍ଷାଳୟ ‘କଳାମଣ୍ଡଳ’ ଆସନ୍ତା ମାର୍ଚ୍ଚ ସୁଦ୍ଧା ସାରିବାକୁ ଲକ୍ଷ୍ୟ ରଖାଯାଇଛି। ଏନେଇ ସମସ୍ତ ଟଙ୍କା ଦିଆସରିଛି। ଏହାବ୍ୟତୀତ ବିଭାଗର କ୍ୟାଲେଣ୍ଡର ଅନୁସାରେ ସମସ୍ତ କାର୍ଯ୍ୟ ତ୍ବରାନ୍ବିତ ହେବ। ଏହାଛଡା ନୂଆବର୍ଷରେ ଅନେକ ନୂଆ ଆହ୍ବାନ ରହିଛି। ବିଶେଷ କରି ବିଭାଗରେ ମାନବସମ୍ବଳ ପୂରଣ ସାଙ୍ଗକୁ ଅଟକି ରହିଥିବା ପୁରସ୍କାର କିଭଳି ଦିଆଯିବ ଏହା ଉପରେ ବିଭାଗ ସ୍ବତନ୍ତ୍ର ଧ୍ୟାନ ଦେଉଥିବା ବିଭାଗ ପକ୍ଷରୁ ସୂଚନା ମିଳିଛି।






More Stories
ରାଜ୍ୟର ଅଧିକାର ଛଡ଼ାଇ ନେବ ଏମ୍ଏମ୍ଡିଆର୍ ବିଲ୍……
୨୮ରେ ରାଜ୍ୟ କ୍ୟାବିନେଟ୍ ବୈଠକ……
ଆଶୁତୋଷ ପରିଡ଼ାଙ୍କୁ ଶାରଳା ପୁରସ୍କାର…..