ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଶୁକ୍ରବାର କାବୁଲ ବିମାନବନ୍ଦରରୁ ପ୍ରାୟ ୧୫୦ ଜଣଙ୍କୁ ଜବରଦସ୍ତ ଉଠାଇନେଇଥିଲା ତାଲିବାନ । ଏହି ଅପହୃତଙ୍କ ମଧ୍ୟରେ ଅଧିକାଂଶ ଭାରତୀୟ ଥିବା ନେଇ ସୂଚନା ମିଳିଥିଲା | ସ୍ଥାନୀୟ ଗଣମାଧ୍ୟର ସୂଚନା ଅନୁଯାୟୀ ଅପହୃତ ୧୫୦ ଜଣଙ୍କୁ ତାଲିବାନ ମୁକ୍ତ କରିଦେଇଛି ଏବଂ ସେମାନେ ସମେସ୍ତ ବିମାନବନ୍ଦର ଫେରୁଛନ୍ତି । ଅପହୃତଙ୍କ ମଧ୍ୟରେ ଅଧିକାଂଶ ଭାରତୀୟ ନାଗରିକ ଥିଲେ । ଏହା ସହିତ କିଛି ଆଫଗାନିସ୍ତାନ ସିଖ୍, ଆଫଗାନ୍ ନାଗରିକଙ୍କୁ ମଧ୍ୟ ଅପହରଣ କରିନେଇଥିଲେ ତାଲିବାନ ଆତଙ୍କବାଦୀ । ଆଫଗାନିସ୍ତାନ ଗଣମାଧ୍ୟମର ସୂଚନା ଅନୁଯାୟୀ, ସମସ୍ତ ପ୍ରବାସୀ ଭାରତୀୟ ସମ୍ପୂର୍ଣ୍ଣ ସୁରକ୍ଷିତ ଅଛନ୍ତି ସେମାନେ ସମସ୍ତେ ଲଗାତାର ଭାବେ ଭାରତର ସୁରକ୍ଷା ଅଧିକାରୀଙ୍କ ସହିତ ସମ୍ପର୍କରେ ଅଛନ୍ତି । ବର୍ତ୍ତମାନ ସମସ୍ତ ପ୍ରବାସୀ ଭାରତୀୟଙ୍କୁ ସୁରକ୍ଷିତ ରଖାଯାଇଛି ଏବଂ ସେମାନଙ୍କ ଫେରିବା ନେଇ ବ୍ୟବସ୍ଥା କରାଯାଉଛି । ସୂଚନାନୁସାରେ, ତାଲିବାନ ଆତଙ୍କୀମାନେ ଜୋର ଜବରଦସ୍ତ ୧୫୦ ଜଣଙ୍କୁ କାବୁଲ ବିମାନବନ୍ଦରରୁ ଉଠାଇ ନେଇଥିଲେ। ସେମାନଙ୍କ ମଧ୍ୟରୁ ଅଧିକାଂଶ ଭାରତୀୟ ନାଗରିକ ଥିଲେ । କିନ୍ତୁ କୌଶଳ କ୍ରମେ ସେମାନଙ୍କ ନିକଟରୁ ଖସିଆସିଥିଲେ ଦମ୍ପତ୍ତି । ସେମାନେ କହିଛନ୍ତି ଯେ, ଆଜି ରାତି ଗୋଟାଏ ସମୟରେ କିଛି ଲୋକଙ୍କୁ ଏକ ଗାଡି ମାଧ୍ୟମରେ ବିମାନ ଅଭିମୁଖେ ନିଆଯାଉଥିଲା । କିନ୍ତୁ କୌଣସି କାରଣରୁ ସେମାନେ ବିମାନ ବନ୍ଦରରେ ଯାତ୍ରା କରିପାରିନଥିଲେ । କିଛି ତାଲିବାନ ଆସି ଲୋକଙ୍କୁ ମାଡ ମାରିଥିଲେ । ପରେ ସେମାନଙ୍କୁ କାବୁଲର ତାରଖିଲକୁ ନେଇ ଯାଇଥିଲେ । ବ୍ୟକ୍ତି ଜଣକ କହିଛନ୍ତି ଯେ ସେ ଏବଂ ତାଙ୍କ ପତ୍ନୀ ଗାଡିରୁ ଡେଇଁ ପଳାଇବାରେ ସଫଳ ହୋଇଥିଲେ । ସେ କହିଥିଲେ ଯେ କେବଳ କିଛି ଲୋକ ଗାଡିରୁ ଡେଇଁବାରେ ସକ୍ଷମ ହୋଇଥିଲେ । ଅନ୍ୟମାନଙ୍କ ସହ କ’ଣ ହେବ କେହି ଜାଣି ନାହାଁନ୍ତି । ତେବେ ତାଲିବାନର ଜଣେ ମୁଖପାତ୍ର ଅହମ୍ମଦୁଲ୍ଲା ୱାସେକ ଏହି ରିପୋର୍ଟକୁ ଅସ୍ୱୀକାର କରିଛନ୍ତି । ସେପଟେ ବର୍ତ୍ତମାନ ସୁଦ୍ଧା ଏହି ପରିସ୍ଥିତିକୁ ନେଇ ଭାରତ ସରକାରଙ୍କ ତରଫରୁ କୌଣସି ସରକାରୀ ମନ୍ତବ୍ୟ ନାହିଁ ।
Discussion about this post