Report Card Odisha

| Daily Odia News

କେଉଁଠି କେବେ ହେବ ନିର୍ବାଚନ

ବାଜିଲା ନିର୍ବାଚନୀ ବିଗୁଲ । ମୁଖ୍ୟ ନିର୍ବାଚନ ଆୟୋଗ ଦେଶର ୪ଟି ରାଜ୍ୟ ଓ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳର ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା କରିଛନ୍ତି । ଦିଲ୍ଲୀ ସ୍ଥିତ ବିଜ୍ଞାନ ଭବନରେ ଅନୁଷ୍ଠିତ ସାମ୍ବାଦିକ ସମ୍ମୀଳନୀରେ ନିର୍ବାଚନ ତାରିଖ ଘୋଷଣା କରିଛନ୍ତି ଭାରତୀୟ ନିର୍ବାଚନ କମିଶନର ସୁନିଲ ଆରୋରା । ପଶ୍ଚିମବଙ୍ଗ, ଆସାମ, ତାମିଲନାଡୁ, କେରଳ ଓ କେନ୍ଦ୍ର ଶାସିତ ଅଞ୍ଚଳ ପୁଡୁଚେରୀ ପାଇଁ ତାରିଖ ଘୋଷଣା ହୋଇଛି । ଏହାସହ ନିର୍ବାଚନ ପାଇଁ ଆଚରଣ ବିଧି ମଧ୍ୟ ଲାଗୁ ହୋଇଛି । ପଶ୍ଚିମବଙ୍ଗର ମୋଟ୍ ୨୯୪, ତାମିଲନାଡୁର ୨୩୨, କେରଳର ୧୪୦, ଆସାମର ୧୨୬ ଏବଂ କେନ୍ଦ୍ରଶାସୀତ ଅଞ୍ଚଳ ପୁଡୁଚେରୀରେ ମୋଟ୍ ୩୦ଟି ସିଟ୍ ପାଇଁ ହେବ ନିର୍ବାଚନ । ମୋଟ ୮୨୪ ବିଧାନସଭା କ୍ଷେତ୍ରରେ ମତଦାନ ହେବ । ୪ଟି ରାଜ୍ୟ ଓ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳରେ ୨.୭ ଲକ୍ଷ ବୁଥ୍‌ରେ ଭୋଟ୍ ଦେବେ ମୋଟ୍ ୧୮ କୋଟିରୁ ଅଧିକ ମତଦାତା ।
ସବୁଠୁ ହାଇଭୋଲଟେଜ୍ ନିର୍ବାଚନ ହେବାକୁ ଥିବା ପଶ୍ଚିମବଙ୍ଗରେ ୮ଟି ପର୍ଯ୍ୟାୟ ଭୋଟ୍ ଗ୍ରହଣ କରାଯିବ । ସମସ୍ତ ରାଜ୍ୟର ଫଳାଫଳ ମେ ୨ରେ ପ୍ରକାଶ ପାଇବ । ୨୯୪ ଆସନରେ ପଶ୍ଚିମବଙ୍ଗରେ ଭୋଟ୍ ଗ୍ରହଣ ହେବ । ପ୍ରଥମ ପର୍ଯ୍ୟାୟ ରେ ୩୦ ଆସନରେ ଭୋଟିଂ, ବିଜ୍ଞପ୍ତି ମାର୍ଚ୍ଚ ୨, ମତଦାନ ମାର୍ଚ୍ଚ ୨୭ । ଦ୍ଵିତୀୟ ପର୍ଯ୍ୟାୟ ରେ ୩୦ ଆସନରେ ଭୋଟିଂ, ବିଜ୍ଞପ୍ତି ମାର୍ଚ୍ଚ ୫, ମତଦାନ ଏପ୍ରିଲ ୦୧ । ତୃତୀୟ ପର୍ଯ୍ୟାୟରେ ୩୧ ଆସନରେ ଭୋଟିଂ, ବିଜ୍ଞପ୍ତି ମାର୍ଚ୍ଚ ୧୨, ମତଦାନ ଏପ୍ରିଲ ୦୬ । ଚତୁର୍ଥ ପର୍ଯ୍ୟାୟରେ ୪୪ ଆସନରେ ଭୋଟିଂ, ବିଜ୍ଞପ୍ତି ମାର୍ଚ୍ଚ ୧୬, ମତଦାନ ଏପ୍ରିଲ ୧୦ । ପଞ୍ଚମ ପର୍ଯ୍ୟାୟରେ ୪୫ ଆସନରେ ଭୋଟିଂ, ବିଜ୍ଞପ୍ତି ମାର୍ଚ୍ଚ ୨୩, ମତଦାନ ଏପ୍ରିଲ ୧୭ । ଷଷ୍ଠ ପର୍ଯ୍ୟାୟରେ ୪୩ ଆସନରେ ଭୋଟିଂ, ବିଜ୍ଞପ୍ତି ମାର୍ଚ୍ଚ ୨୬, ମତଦାନ ଏପ୍ରିଲ ୨୨ । ସପ୍ତମ ପର୍ଯ୍ୟାୟରେ ୩୬ ଆସନରେ ଭୋଟିଂ, ବିଜ୍ଞପ୍ତି ମାର୍ଚ୍ଚ ୩୧, ମତଦାନ ଏପ୍ରିଲ ୨୬ । ଅଷ୍ଟମ ପର୍ଯ୍ୟାୟରେ ୩୫ ଆସନରେ ଭୋଟିଂ, ବିଜ୍ଞପ୍ତି ମାର୍ଚ୍ଚ ୩୧, ମତଦାନ ଏପ୍ରିଲ ୨୯ । ଏଥର ପଶ୍ଚିମବଙ୍ଗ ବିଧାନସଭାର ୨୯୪ ଆସନରେ କଡା ଟକ୍କର ଦେଖିବାକୁ ମିଳିପାରେ । ଏଠାରେ ବିଜେପି ଓ ମମତା ବାନାର୍ଜୀଙ୍କ ନେତତୃତ୍ଵାଧୀନ ତୃଣମୂଳ କଂଗ୍ରେସ ମଧ୍ୟରେ ତୀବ୍ର ପ୍ରତିଦ୍ଵନ୍ଦ୍ଵିତା ହେବ । ଗତ ବିଧାନସଭା ନିର୍ବାଚନରେ ପଶ୍ଚିମବଙ୍ଗ ୨୧୧ ଆସନ ଜିତି ସରକାର ଗଠନ କରିଥିବା ବେଳେ ବିଜେପିକୁ ମାତ୍ର ୩ଟି ଆସନ ମିଳିଥିଲା । ସେପଟେ ନିର୍ବାଚନ ତାରିଖ ଘୋଷଣା ନହେବା ପୂର୍ବରୁ ଦୁଇ ଦଳର ନିର୍ବାଚନୀ ପ୍ରଚାର ଜୋର ଧରିଥିଲା ।
ସେହିପରି ଆସାମରେ ମୋଟ ୩ ଟି ପର୍ଯ୍ୟାୟରେ ହେବ ନିର୍ବାଚନ । ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ମାର୍ଚ୍ଚ ୨ରେ ନାମାଙ୍କନ ପତ୍ର ଦାଖଲ ଆରମ୍ଭ ହେବାକୁଥିବା ବେଳେ ମାର୍ଚ୍ଚ ୯ ନାମାଙ୍କନର ଶେଷ ତାରିଖ । ମାର୍ଚ୍ଚ ୧୦ରୁ ଆରମ୍ଭ ହେବ ନାମାଙ୍କନ ଯାଞ୍ଚ ପ୍ରକ୍ରିୟା । ନାମାଙ୍କନ ପ୍ରତ୍ୟାହାର ମାର୍ଚ୍ଚ ୧୨ ହେବାକୁ ଥିବା ବେଳେ ମାର୍ଚ୍ଚ ୨୭ରେ ହେବ ନିର୍ବାଚନ । ମେ ୨ ରେ ହେବ ପ୍ରଥମ ପର୍ଯ୍ୟାୟ ନିର୍ବାଚନର ଫଳାଫଳ ଘୋଷଣା ।
ଦ୍ୱିତୀୟ ପର୍ଯ୍ୟାୟ ନାମାଙ୍କନ-ମାର୍ଚ୍ଚ ୫, ନାମାଙ୍କନର ଶେଷ ତାରିଖ- ମାର୍ଚ୍ଚ ୧୨, ନାମାଙ୍କନ ଯାଞ୍ଚ- ମାର୍ଚ୍ଚ ୧୭, ନାମାଙ୍କନ ପ୍ରତ୍ୟାହାର- ମାର୍ଚ୍ଚ ୧୯, ନିର୍ବାଚନ ତାରିଖ- ଏପ୍ରିଲ ୧, ଫଳାଫଳ ଘୋଷଣା-ମେ ୨ ।
ତୃତୀୟ ପର୍ଯ୍ୟାୟ ନାମାଙ୍କନ- ମାର୍ଚ୍ଚ ୧୨, ନାମାଙ୍କନର ଶେଷ ତାରିଖ- ମାର୍ଚ୍ଚ ୧୯, ନାମାଙ୍କନ ଯାଞ୍ଚ- ମାର୍ଚ୍ଚ ୨୮,ନାମାଙ୍କନ ପ୍ରତ୍ୟାହାର- ମାର୍ଚ୍ଚ ୨୭, ନିର୍ବାଚନ ତାରିଖ- ଏପ୍ରିଲ ୬, ଫଳାଫଳ ଘୋଷଣା- ମେ ୨ ।
ଭୋଟ୍ ବେଳେ କଡାକଡି ଭାବେ ପାଳନ ହେବ କୋଭିଡ୍ ଗାଇଡ୍‌ଲାଇନ୍ । ସମ୍ବେଦନଶୀଳ ବୁଥ୍‌ଗୁଡିକରେ ସିସିଟିଭି ଲଗାଯିବ । ନିର୍ବାଚନ ପ୍ରକ୍ରିୟାରେ ସାମିଲ ହେବାକୁ ଥିବା ସମସ୍ତ ଅଧିକାରୀଙ୍କୁ ଭ୍ୟାକ୍‌ସିନ୍ ଦିଆଯିବ । ପ୍ରାର୍ଥୀମାନେ ଅନ୍‌ଲାଇନ୍‌ରେ ମଧ୍ୟ ନାମାଙ୍କନପତ୍ର ଦାଖଲ କରିପାରିବେ । ଭୋଟରଙ୍କ ସୁରକ୍ଷା ପ୍ରତି ଅଧିକ ଗୁରୁତ୍ୱ ଦିଆଯାଇଛି । ସୁରକ୍ଷା ଦୃଷ୍ଟି ରୁ ମତଦାନ କେନ୍ଦ୍ର ଗୁଡିକରେ CRPF ଯବାନ ମୁତୟନ ହେବେ ।

Breaking News