ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଇଣ୍ଡୋନେସିଆର ମୁଖ୍ୟ ଦ୍ୱୀପ ଜାଭାରେ ବ୍ରେକ୍ ଫେଲ୍ ହୋଇଯିବାରୁ ଏକ ପର୍ଯ୍ୟଟକ ବସ୍ ଖାଇରେ ପଡ଼ିଯିବାରୁ ୨୭ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୩୯ଜଣ ଆହତ ହୋଇଛନ୍ତି । ଏନେଇ ଆଜି ଦିନ ପୋଲିସ ଏବଂ ଉଦ୍ଧାରକାରୀମାନେ ସୂଚନା ଦେଇଛନ୍ତି । ଉକ୍ତ ବସ୍ରେ ଇସ୍ଲାମିକ୍ ଜୁନିୟର୍ ହାଇସ୍କୁଲ୍ର ଦଳେ ଛାତ୍ରଛାତ୍ରୀ, ସେମାନଙ୍କ ପିତାମାତା ଏବଂ ଶିକ୍ଷକମାନେ ଥିଲେ। ପଶ୍ଚିମ ଜାଭା ପ୍ରାଦେଶିକ ସହର ସୁବଙ୍ଗରୁ ସେମାନଙ୍କୁ ନେଇ ଆସିଥିବା ବସ୍ଟି ବିଳମ୍ବିତ ବୁଧବାରେ ପାହାଡ଼ ଉପରକୁ ଉଠିବା ନିମନ୍ତେ ଥିବା ଚକ୍ରାକାର ରାସ୍ତାରେ ଯିବାବେଳେ ଦୁର୍ଘଟଣାଗ୍ରସ୍ତ ହୋଇଥିବା କଥା ସ୍ଥାନୀୟ ପୁଲିସ ମୁଖ୍ୟ ଏକୋ ପ୍ରାସେତ୍ୟୋ ରୋବିୟାଣ୍ଟୋ କହିଛନ୍ତି। ସେ କହିଛନ୍ତି, ସୁବଙ୍ଗ ପ୍ରଦେଶର ତାସିକମାଲୟା ଜିଲ୍ଲାରେ ଥିବା ଏକ ତୀର୍ଥସ୍ଥାନରୁ ଫେରୁଥିବା ବେଳେ ସୁମେଡାଙ୍ଗ୍ ଜିଲ୍ଲାର ଏକ ଗଡ଼ାଣି ରାସ୍ତାରେ ଡ୍ରାଇଭର୍ ନିୟନ୍ତ୍ରଣ ହରାଇବାରୁ ବସ୍ଟି ୨୦ ମିଟର ଗଭୀର ଖାଇ ମଧ୍ୟକୁ ଖସିପଡ଼ିଥିଲା। ଦୁର୍ଘଟଣାର ବାସ୍ତବ କାରଣ ଜାଣିବାକୁ ପୁଲିସ ଉଦ୍ୟମ କରୁଥିବା ବେଳେ ଦୁର୍ଘଟଣାରୁ ବର୍ତ୍ତିଯାଇଥିବା ଯାତ୍ରୀମାନେ କହୁଛନ୍ତି ଯେ, ବସ୍ର ବ୍ରେକ୍ କାମ ନ କରିବାରୁ ଦୁର୍ଘଟଣା ଘଟିଥିବା ମନେହେଉଛି। ବନ୍ଡଙ୍ଗ୍ ତଲାସ ଓ ଉଦ୍ଧାର ସଂସ୍ଥାର ମୁଖ୍ୟ ଡେଡେନ୍ ରିଡ୍ଓ୍ଵାନ୍ଶ କହିଛନ୍ତି, ଖାଇରେ ଓଲଟିପଡ଼ି ଭାଙ୍ଗିଯାଇଥିବା ବସ୍ ତଳେ ଚାପି ହୋଇ ରହିଥିବା ଜଣେ ପିଲା ସମେତ ଗୁରୁବାର ସକାଳେ ୨୭ଟି ଶବ ଓ ୩୯ଜଣ ଆହତ ବ୍ୟକ୍ତିଙ୍କୁ ପାଖରେ ଥିବା ଏକ ଡାକ୍ତରଖାନା ଏବଂ କ୍ଲିନିକ୍କୁ ନିଆଯାଇଛି। ଆହତମାନଙ୍କ ମଧ୍ୟରୁ ୧୩ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା କଥା ଜଣାପଡ଼ିଛି। ଦୁର୍ଘଟଣାରେ ବସ୍ ଡ୍ରାଇଭର୍ଙ୍କର ମଧ୍ୟ ମୃତ୍ୟୁ ଘଟିଛି।






More Stories
ଆଫଗାନିସ୍ତାନରେ ବୋମା ମାଡ଼ କଲା ପାକ୍……
୧୫ IPS ଅଫିସରଙ୍କୁ ୧୭ ଜିଲ୍ଲା ନିରୀକ୍ଷଣ ଦାୟିତ୍ୱ…..
ମମତା ଙ୍କ ଘରେ ସିଆଇଡ଼ି ଚଢ଼ାଉ…..