ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ମିଳିତ ଜାତିସଂଘର ସୁରକ୍ଷା ପରିଷଦରେ ଆତଙ୍କବାଦକୁ ନେଇ ଭାରତର ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର କହିଛନ୍ତିକି, ସାରା ବିଶ୍ୱରେ ସମସ୍ତେ ସୁରକ୍ଷିତ ନ ହେବା ପର୍ଯ୍ୟନ୍ତ କେହି ସୁରକ୍ଷିତ ନୁହନ୍ତି । ଭାରତ ବହୁ ବର୍ଷ ହେଲା ଆତଙ୍କବାଦର ସମ୍ମୁଖୀନ ହୋଇ ଆସୁଛି । ୨୦୦୮ର ମୁମ୍ବାଇ ଆକ୍ରମଣ ହେଉ କି ୨୦୧୬ର ପଠାନ କୋର୍ଟ ଆକ୍ରମଣ ବା ୨୦୧୯ର ପୁଲଓ୍ୱାମା ଆକ୍ରମଣ । ଭାରତ ସବୁବେଳେ ଆତଙ୍କବାଦୀଙ୍କ ଟାର୍ଗେଟରେ ରହି ଆସିଛି । ତଥାପି ଏହାର ମୁକାବିଲାରେ ନୂଆଦିଲ୍ଲୀ କୌଣସି ସାଲିସ କରିନାହିଁ । ଆତଙ୍କବାଦ ସାରା ବିଶ୍ୱର ଶାନ୍ତି ଓ ସୁରକ୍ଷା ପ୍ରତି ବିପଦ । ମିଳିତ ଜାତିସଂଘର ନେତୃତ୍ୱରେ ଏହାର ମୁକାବିଲା ପାଇଁ ଭାରତ ସବୁବେଳେ ପ୍ରସ୍ତୁତ ବୋଲି କହିଛନ୍ତି ଏସ୍ ଜୟଶଙ୍କର । ପରୋକ୍ଷରେ ପାକିସ୍ତାନକୁ କଟାକ୍ଷ କରି ସେ କହିଛନ୍ତି, ହକାନି ନେଟଓ୍ୱର୍କର କାର୍ଯ୍ୟକଳାପ ପଦାରେ ପଡ଼ିଛି । କେତେକ ଦେଶର ପ୍ରଚ୍ଛନ୍ନ ସହାୟତାରେ ଭାରତ ଓ ଆଫଗାନିସ୍ତାନରେ ଜୈଶ୍ ଏ ମହମ୍ମଦ ଓ ଲସ୍କଇ ଇ ତୋଇବାର ଗତିବିଧି ଚାଲିଛି । ଆଫଗାନିସ୍ତାନରେ ଯେଉଁ ପରିସ୍ଥିତି ସୃଷ୍ଟି ହୋଇଛି, ତାହା ଆଞ୍ଚଳିକ ସ୍ତରରେ ତଥା ସାରା ବିଶ୍ୱର ଶାନ୍ତି ଓ ସୁରକ୍ଷା ପାଇଁ ବିପଦ । ତେଣୁ ସାରା ଆତଙ୍କବାଦ ବିରୋଧରେ ଏକାଠି ହେବାକୁ ସବୁ ଦେଶକୁ ଆହ୍ୱାନ ଦେଇଛନ୍ତି ଜୟଶଙ୍କର । ଏହା ସହିତ କଂପ୍ରେହେନ୍ସିଭ କନ୍ଭେନ୍ସନ ଅନ୍ ଇଣ୍ଟରନ୍ୟାସନାଲ ଟେରୋରିଜମ୍କୁ ଗ୍ରହଣ କରିବାକୁ ସବୁ ଦେଶକୁ ସେ ଆହ୍ୱାନ ଦେଇଛନ୍ତି ।
Discussion about this post