Report Card Odisha

| Daily Odia News

ଆଜି ହକି ବିଶ୍ଵକପ୍‌ର ଉଦଘାଟନୀ ଉତ୍ସବ…..

ରିପୋର୍ଟ କାର୍ଡ / କଟକ

ଆଜି ହକି ବିଶ୍ଵକପ୍‌ର ଉଦଘାଟନୀ ଉତ୍ସବ | ଏହି ଅବସର ବାରବାଟୀ ଷ୍ଟାଡିୟମରେ ଆୟୋଜିତ ହେବ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ । ଏହି କାର୍ଯ୍ୟକ୍ରମକୁ ଆକର୍ଷଣୀୟ କରିବାକୁ ପୁରା ସହର ସମେତ ଷ୍ଟାଡିୟମକୁ ସଜାଯାଇଛି । ଆସନ୍ତା ୧୩ରୁ ୨୯ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱର ଓ ରାଉରକେଲା ଷ୍ଟାଡିୟମରେ ଆୟୋଜିତ ହେବ ହକି ବିଶ୍ୱକପ୍‌ । ଏହି କାର୍ଯ୍ୟକ୍ରମକୁ ଆଜି ଆନୁଷ୍ଠାନିକ ଭାବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିବେ । ଅନ୍ୟ କିଛି ରାଜ୍ୟର ଅତିଥି ବି ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ବଲିଉଡ୍ ସୁପରଷ୍ଟାର ରଣବୀର ସିଂ, ସଙ୍ଗୀତ ନିର୍ଦ୍ଦେଶକ ପ୍ରୀତମ୍ ଏବଂ ଅଭିନେତ୍ରୀ ଦିଶା ପଟାନୀଙ୍କ ସମେତ ବ୍ଲାକ ସ୍ୱାନ୍ ଗ୍ରୁପ୍ ଉଦଘାଟନୀ ଉତ୍ସବର ମୁଖ୍ୟ ଆକର୍ଷଣ। ଓଲିଉଡ୍ ଷ୍ଟାର୍ ସବ୍ୟସାଚୀ ଓ ଅର୍ଚ୍ଚିତାଙ୍କର ଡ୍ୟାନ୍ସ ପରଫର୍ମାନ୍ସ କାର୍ଯ୍ୟକ୍ରମ ରହିଛି। ଉଦଘାଟନୀ ଉତ୍ସବରେ ଷ୍ଟାଡିୟମରେ ୪୦ ହଜାରରୁ ଅଧିକ ଦର୍ଶକଙ୍କ ସମାଗମ ହେବା ଆଶା କରାଯାଉଛି । ଉଦଘାଟନୀ ଉତ୍ସବର ସିଧାପ୍ରସାରଣ ଦେଖିବା ପାଇଁ ସହରର ୧୬ଟି ସ୍ଥାନରେ ଫ୍ୟାନ୍ ପାର୍କ କରାଯାଇଛି । ପ୍ରତି ଓ୍ୱାର୍ଡ଼ରେ ମଧ୍ୟ ଏଲଇଡି ସ୍କ୍ରିନ୍‌ର ବ୍ୟବସ୍ଥା ହୋଇଛି । ଉଦଘାଟନୀ ଉତ୍ସବ ପାଇଁ କଟକରେ କମିଶନରେଟ ପୋଲିସ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ୨୦୦ ଅଫିସରଙ୍କ ସହ ୫୦ ପ୍ଲାଟୁନ୍ ପୋଲିସ ଫୋର୍ସ ଷ୍ଟାଡିୟମ୍ ଭିତରେ ଓ ବାହାରେ ସୁରକ୍ଷା ଦାୟିତ୍ୱରେ ରହିବେ । ରିଙ୍ଗ ରୋଡରୁ ବାରବାଟୀ ଯାଏଁ ରହିବ କଡ଼ା ସୁରକ୍ଷା ବ୍ୟବସ୍ଥା । ସୁରକ୍ଷା ଦୃଷ୍ଟିରୁ ଷ୍ଟାଡିୟମ ଭିତରକୁ ଖାଦ୍ୟ ପଦାର୍ଥ, ପାଣି ବୋତଲ ସହ ଫୋଫାଡିଲା ଭଳି ଜିନିଷ ଛଡାଯିବନି। ଷ୍ଟାଡିୟମ ଭିତରେ ଦର୍ଶକଙ୍କ ପାଇଁ ଖାଦ୍ୟ ଓ ପାଣି ଷ୍ଟଲ୍ କରାଯାଇଛି । ଉଦଘାଟନୀ ଉତ୍ସବରେ ହଜାର ହଜାର ଦର୍ଶକଙ୍କ ସମାଗମକୁ ଦୃଷ୍ଟିର ରଖି ସ୍ୱତନ୍ତ୍ର ଟ୍ରାଫିକ ବ୍ୟବସ୍ଥା ସହ ପାର୍କିଂ ବ୍ୟବସ୍ଥା କରାଯାଇଛି ।ହକି ବିଶ୍ୱକପ୍ ଉଦ୍‌ଘାଟନୀ ପାଇଁ ୧୧ଟି ସ୍ଥାନରେ ପାର୍କିଂ ବ୍ୟବସ୍ଥା ହୋଇଛି । ସାଧାରଣ ଦର୍ଶକଙ୍କ ଗାଡ଼ି ପାଇଁ ୨ଟି ସ୍ଥାନରେ ପାର୍କିଂ ବ୍ୟବସ୍ଥା ହୋଇଛି । ଡିସିପି ଅଫିସ ନିକଟ ଓ କ୍ୟାଣ୍ଟନମେଣ୍ଟ ଥାନା ପାଖ ତଳ ବାଲିଯାତ୍ରା ପଡିଆରେ ପାର୍କିଂ ବ୍ୟବସ୍ଥା ହୋଇଛି । ସେହିପରି ଭିଭିଆଇପି ଏବଂ ଭିଆଇପିଙ୍କ ପାଇଁ ଗଡ଼ଗଡ଼ିଆ ମନ୍ଦିର ପାଖ ତଳ ବାଲିଯାତ୍ରା ପଡ଼ିଆ, ଖ୍ରୀଷ୍ଟିଆନ ପଡ଼ିଆ, ଦୟାଶ୍ରମ ପଡ଼ିଆ, ଜାଭିୟର ସ୍କୁଲ, ଓସିଏ ଲନ୍‌ରେ ପାର୍କିଂ ବ୍ୟବସ୍ଥା ହୋଇଛି । ଏପଟେ ଗଣମାଧ୍ୟମ ପ୍ରତିନିଧିଙ୍କ ପାଇଁ କେମ୍ବ୍ରିଜ ସ୍କୁଲ ପଡ଼ିଆରେ ପାର୍କିଂ ବ୍ୟବସ୍ଥା ହୋଇଛି ।

Breaking News