Report Card Odisha

| Daily Odia News

ବରିଷ୍ଠ ଆଇପିଏସ୍ ଅଫିସର ଦେବାଶିଷ ପାଣିଗ୍ରାହୀଙ୍କ ଶେଷକୃତ୍ୟ ସମ୍ପନ୍ନ…..

ରିପୋର୍ଟ କାର୍ଡ / କଟକ

ପଞ୍ଚଭୂତରେ ଲୀନ ହେଲେ ବରିଷ୍ଠ ଆଇପିଏସ୍ ଅଫିସର ତଥା ଭିଜିଲାନ୍ସ ନିର୍ଦ୍ଦେଶକ ଦେବାଶିଷ ପାଣିଗ୍ରାହୀ । କଟକ ସ୍ଥିତ ଖାନନଗର ଶ୍ମଶାନରେ ଶେଷକୃତ୍ୟ ସମ୍ପନ୍ନ ହୋଇଛି । ପୁଅ ମୁଖାଗ୍ନି ଦେଇଛନ୍ତି । କଟକସ୍ଥିତ ବାସଭବନରେ ପାର୍ଥିବ ଶରୀର ପହଞ୍ଚିବା ପରେ ବନ୍ଧୁ ପରିବାର ବର୍ଗ ତାଙ୍କର ଶେଷ ଦର୍ଶନ କରିଥିଲେ । ବରିଷ୍ଠ ପୋଲିସ ଅଧିକାରୀ ପହଞ୍ଚି ଶ୍ରଦ୍ଧାଞ୍ଚଳି ଜଣାଇବା ସହ ଶେଷ ଦର୍ଶନ କରିଥିଲେ। ଗତକାଲି ରାତିରେ ଦେବାଶିଷ ପାଣିଗ୍ରାହୀଙ୍କର ଦେହାନ୍ତ ହୋଇଥିଲା। କୋଲକାତାରେ ଚିକିତ୍ସାଧୀନ ଅବସ୍ଥାରେ ଏକ ଘରୋଇ ହସ୍ପିଟାଲରେ ତାଙ୍କର ପରଲୋକ ହୋଇଥିଲା । ବାଲେଶ୍ଵର ଦେଇ ମର ଶରୀର କଟକ ଆସିବା ବେଳେ ଭିଜିଲାନ୍ସ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଦିଆଯାଇଥିଲା । ଜୁନ୍ ୮ ତାରିଖରେ ଦିନ ତାଙ୍କୁ ଏୟାର ଆମ୍ବୁଲାନ୍ସରେ କୋଲକାତାର ଏକ ଘରୋଇ ହସ୍ପିଟାଲକୁ ନିଆଯାଇଥିଲା ।
୧୯୯୧ ବ୍ୟାଚ୍ ଆଇପିଏସ୍ ଅଫିସର ଦେବାଶିଷ ପାଣିଗ୍ରାହୀ ବାଲେଶ୍ୱର ଜିଲ୍ଲାରେ ୧୯୬୫ ମସିହା ଅଗଷ୍ଟ ୨୯ ତାରିଖରେ ଜନ୍ମଗ୍ରହଣ କରିଥିଲେ । କେନ୍ଦୁଝର, ପୁରୀ, କଟକ, ଗଞ୍ଜାମ ଓ ଭୁବନେଶ୍ୱର ଏସ୍‌ପି ଭାବେ କାର୍ଯ୍ୟ କରିଥିଲେ ଦେବାଶିଷ । ପରେ ଡିଆଇଜି, ଆଇଜି ଭାବେ ମଧ୍ୟ କାର୍ଯ୍ୟ କରିଥିଲେ । ରାଜ୍ୟ ସରକାର ତାଙ୍କୁ ଗୁରୁତ୍ୱପୂର୍ଣ୍ଣ ଭିଜିଲାନ୍ସ ବିଭାଗର ନିର୍ଦେଶକ ଭାବେ ନିଯୁକ୍ତି ଦେଇଥିଲେ । ରାଜନୀତି ବିଜ୍ଞାନରେ ଏମଏ ପାସ୍ କରିଥିବା ଦେବାଶିଷ ଦିଲ୍ଲୀ ଜେଏନ୍‌ୟୁରେ ଏମଫିଲ୍ କରିଥିଲେ । ପରେ ପିଏଚ୍‌ଡି ଡିଗ୍ରି ହାସଲ କରିଥିଲେ ଦେବାଶିଷ । ସେ ଆଇନରେ ସ୍ନାତକ ମଧ୍ୟ କରିଥିଲେ । ଜଣେ ସାହିତ୍ୟିକ ଭାବେ ତାଙ୍କୁ ଓଡ଼ିଶାବାସୀ ଜାଣନ୍ତି । କ୍ଷୁଦ୍ର ଗଳ୍ପ ପାଇଁ ସେ ୨୦୦୨ରେ ରାଜ୍ୟ ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ । ମୋଟ ୯ଟି ଉପନ୍ୟାସ ଏବଂ ୭ଟି କ୍ଷୁଦ୍ର ଗଳ୍ପର ସେ ରଚୟିତା ଥିଲେ । ଦେବାଶିଷ ପାଣିଗ୍ରାହୀଙ୍କର ପରଲୋକରେ ବିଭିନ୍ନ ମହଲରେ ଶୋକ ପ୍ରକାଶ ପାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି ।

Breaking News