ରିପୋର୍ଟ କାର୍ଡ / ଭୁବନେଶ୍ୱର
ଜଣେ ଯୁବକଙ୍କୁ ବିଳମ୍ବିତ ରାତିରେ ଲିଫ୍ଟ ଦେବା ମହଙ୍ଗା ପଡ଼ିଛି। ହସ୍ପିଟାଲ ଯିବା ପାଇଁ ବିକଳିଆ ହୋଇ ଲିଫ୍ଟ ମାଗିଥିବା ଯୁବକ ବାଟରେ ଛୁରି ଲଗାଇ ବାଇକ୍ ଆରୋହୀଙ୍କ ବାଇକ୍, ମୋବାଇଲ୍ ଫୋନ୍ ଓ ଟଙ୍କା ଲୁଟି ନେଇଛି। ସୌଭାଗ୍ୟକୁ ଲୁଟେରା ପୋଲିସ ପଞ୍ଝାରେ ପଡ଼ିଛି ଓ ଲୁଟ୍ କରିଥିବା ସବୁ ସାମଗ୍ରୀ ଜବତ ହୋଇଛି। ଘଟଣାଟି ଘଟିଛି ଭୁବନେଶ୍ୱର ଇନ୍ଫୋସିଟି ଥାନା ଅଞ୍ଚଳରେ। ପୋଲିସ ସୂଚନାନୁସାରେ ଗତକାଲି ବିଳମ୍ବିତ ରାତିରେ ଏସ୍. ଅରୁଣ ବାଇକ୍ ଯୋଗେ କିଟ୍ ମ୍ୟାଗନେଟ୍ ଛକଠାରୁ କିମ୍ସ ହସ୍ପିଟାଲ୍ ଆଡ଼କୁ ଯାଉଥିଲେ। ମ୍ୟାଗ୍ନେଟ୍ ଛକରୁ କିଛି ଦୂରରେ ଶିଖରଚଣ୍ଡୀ ବସ୍ତିର ଟିକୁ ଶର୍ମା ତାଙ୍କୁ ଅଟକାଇ ଲିଫ୍ଟ ମାଗିଥିଲା। ଅରୁଣ ମନା କରିବାରୁ ଟିକୁ ବଡ଼ ବିକଳିଆ ହୋଇ ତା’ ସ୍ତ୍ରୀ କିମ୍ସ ହସ୍ପିଟାଲରେ ପଡ଼ିଥିବା କହିଥିଲା। ଟିକୁର ବିକଳ ଦେଖି ଅରୁଣ ତାକୁ ଲିଫ୍ଟ ଦେଇଥିଲେ। ମାତ୍ର କିଛି ଦୂର ଯିବା ପରେ ଏକ ନିଛାଟିଆ ସ୍ଥାନ ଦେଖି ପଛ ସିଟ୍ରେ ବସିଥିବା ଟିକୁ ଏକ ଛୁରି ବାହାର କରି ଅରୁଣ ବେକରେ ଲଗାଇଥିଲା ଓ ଚୁପ୍ଚାପ ଗାଡ଼ିରୁ ଓହ୍ଲାଇବାକୁ ନିର୍ଦ୍ଦେଶ ଦେଇଥିଲା। ଅରୁଣ ଭୟରେ ବାଇକ୍ ବ୍ରେକ୍ କରି ରଖିଥିଲେ। ବାଇକ୍ରୁ ଓହ୍ଲାଇବା ପରେ ଟିକୁ ତାଙ୍କୁ ମୋବାଇଲ୍ ଫୋନ୍ ମାଗିବା ସହ ପକେଟ୍ରୁ ପର୍ସ କାଢ଼ିବାକୁ ଧମକ ଦେଇଥିଲା। ଛୁରି ଭୟରେ ବାଧ୍ୟ ହୋଇ ଅରୁଣ ସବୁ ଦେଇଦେଲେ। ଏହା ପରେ ଟିକୁ ବାଇକ୍ ସହ ସେଠାରୁ ଫେରାର୍ ହୋଇ ଯାଇଥିଲା। ଚାଲି ଚାଲି ଅରୁଣ ଇନ୍ଫୋସିଟି ଥାନାରେ ପହଞ୍ଚି ଅଭିଯୋଗ କରିଥିଲେ। ପୋଲିସ ଟିକୁର ବିବରଣୀ ପାଇବା ପରେ ତୁରନ୍ତ ତାକୁ ଖୋଜିବାକୁ ଲାଗି ପଡ଼ିଥିଲା ଓ ତାକୁ ଶିଖରଚଣ୍ଡୀ ବସ୍ତିରୁ ଠାବ କରିଥିଲା। ପୂର୍ବରୁ ଟିକୁ ଏମିତି ଲୁଟ୍ପାଟ୍ କରି ଜେଲ୍ ଯାଇଥିବା ଜଣାପଡ଼ିଛି।






More Stories
ଡିଏଭି କଳିଙ୍ଗନଗରରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ….
ରାଜଧାନୀରେ ବନ୍ଧୁକ ମୁନରେ ଦୁଷ୍କର୍ମ !….
ଏ.ସି.ଏଫ୍. ସୌମ୍ୟରଂଜନ ମୃତ୍ୟୁ ମାମଲା: ରୋଷେୟା ଗିରଫ….