ରିପୋର୍ଟ କାର୍ଡ / ଭୁବନେଶ୍ୱର
ବିପର୍ଯ୍ୟୟ ପରିଚାଳନା ପାଇଁ ଆମର ନୀତି ହେଉଛି ‘ସବୁ ଜୀବନ ମୂଲ୍ୟବାନ’ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି। ଏହା କହିଛନ୍ତି କି ମହାମାରୀର ପ୍ରଭାବ ସତ୍ତେ୍ୱ ଓଡ଼ିଶା ବିଭିନ୍ନ ବିପର୍ଯ୍ୟୟର ଉତ୍ତମ ମୁକାବିଲା କରି ବିଶ୍ୱସ୍ତରରେ ପ୍ରଶଂସାର ପାତ୍ର ହୋଇପାରିଛି । ଏହାସହିତ ସରକାରଙ୍କ ସବୁ ବିଭାଗ ସମନ୍ୱିତ ଭାବେ କାମ କରିବାର ଆଭିମୁଖ୍ୟ ନେଇ ଆମର ବିପର୍ଯ୍ୟୟ ପରିଚାଳନା ନୀତି କାର୍ଯ୍ୟକାରୀ କରାଯାଉଛି। ଏହାଦ୍ୱାରା ସବୁଠାରୁ ଭଲ ପଦକ୍ଷେପ ନିଆଯାଇ ବିପର୍ଯ୍ୟୟର ପ୍ରଭାବକୁ କମ୍ କରାଯାଇପାରିବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସିଂ ଜରିଆରେ ରାଜ୍ୟସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟି ବୈଠକରେ ଅଧ୍ୟକ୍ଷତା କରି ବିପର୍ଯ୍ୟୟ ପ୍ରସ୍ତୁତି ଓ ପରିଚାଳନାରେ ରାଜ୍ୟ ସରକାରଙ୍କ ଆଭିମୁଖ୍ୟକୁ ସ୍ପଷ୍ଟ କରିବା ଅବସରରେ ଉପରୋକ୍ତ ମତ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି ଯେ ଓଡ଼ିଶା ହେଉଛି ଆମ ଦେଶରେ ସବୁଠାରୁ ବିପର୍ଯ୍ୟୟ ପ୍ରବଣ ରାଜ୍ୟ ମଧ୍ୟରେ ଅନ୍ୟତମ । ବନ୍ୟା, ବାତ୍ୟା, ମରୁଡ଼ି ଆଦି ବିଭିନ୍ନ ବିପର୍ଯ୍ୟୟ ଆମେ ନିୟମିତ ଭାବରେ ସାମ୍ନା କରିଆସୁଛୁ । ଜଳବାୟୁ ପରିବର୍ତ୍ତନ ଯୋଗୁ ବିପର୍ଯ୍ୟୟର ତୀବ୍ରତା ବଢ଼ିବା ସହିତ ଅଧିକ ସଂଖ୍ୟକ ବିପର୍ଯ୍ୟୟ ଦେଖାଦେଉଛି । ୨୦୨୦-୨୧ରେ ଆମ ରାଜ୍ୟ ମହାବାତ୍ୟା ଅମ୍ଫନ ଓ ବାତ୍ୟା ୟାଶ୍ର ସାମ୍ନା କରିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଏଥିସହ ବିପର୍ଯ୍ୟୟ ମୁକାବିଲା ପାଇଁ ସ୍ଥାୟୀ ପ୍ରତିକାର ସମ୍ପର୍କରେ କେନ୍ଦ୍ର ସରକାରଙ୍କୁ ଅବଗତ କରାଇଛୁ ବୋଲି ସେ ପ୍ରକାଶ କରିଛନ୍ତି । ପ୍ରାକ୍ ସୂଚନା ବ୍ୟବସ୍ଥା, ଉଦ୍ଧାର ଓ ରିଲିଫ କାର୍ଯ୍ୟକ୍ରମ, ପାନୀୟ ଜଳ ଯୋଗାଣ, ସ୍ୱାସ୍ଥ୍ୟ ଓ ପ୍ରାଣୀସେବା ଆଦି ସମସ୍ତ ବ୍ୟବସ୍ଥା ଠିକ୍ ଭାବେ ପ୍ରସ୍ତୁତ ରହିବା ଆବଶ୍ୟକ । ଓଡ୍ରାଫ ଓ ଅଗ୍ନିସେବା ୟୁନିଟ ଗୁଡ଼ିକ ତୁରନ୍ତ ପଦକ୍ଷେପ ନେବାପାଇଁ ସତର୍କ ହୋଇ ରହିବା ଜରୁରୀ । ବିପଦସଂକୁଳ ଓ ଅଗମ୍ୟ ଅଞ୍ଚଳରେ ଆବଶ୍ୟକ ଖାଦ୍ୟ ପଦାର୍ଥ ଏବଂ ଗୋ-ଖାଦ୍ୟ ମହଜୁଦ କରି ରଖିବା ଜରୁରୀ । ବିପର୍ଯ୍ୟୟ ସମୟରେ ସବୁଜ ଗୋଖାଦ୍ୟର ବ୍ୟବସ୍ଥା କରାଯିବା ଉପରେ ଗୁରୁତ୍ୱ ଦେବା ସହିତ ପ୍ରାଣୀସେବା କ୍ୟାମ୍ପ ଆୟୋଜନ କରିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ସେହିପରି ସବୁ ଜିଲ୍ଲା ଓ ସମ୍ପୃକ୍ତ ବିଭାଗ ଗୁଡିକରେ କଣ୍ଟ୍ରୋଲ ରୁମ୍ ଗୁଡିକ ୨୪ ଘଣ୍ଟା ଖୋଲା ରଖିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଆଲୋଚନାରେ ସାଂସଦ ଚନ୍ଦ୍ରଶେଖର ସାହୁ, ବିଧାୟକ ନରସିଂହ ମିଶ୍ର, ବିଧାୟକ ଜୟନ୍ତ ଷଡଙ୍ଗୀ, ବିଧାୟକ ପ୍ରତାପ କେଶରୀ ଦେଓ, ବିଧାୟକ ଅନନ୍ତ ଦାସ ପ୍ରମୁଖ ଅଂଶଗ୍ରହଣ କରିଥିବାବେଳେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ପ୍ରାକ୍ ସୂଚନା ଦେଇଥିଲେ । ସ୍ୱତନ୍ତ୍ର ରିଲିଫ କମିଶନର ପିକେ ଜେନା ଧନ୍ୟବାଦ ଦେଇଥିଲେ ।
More Stories
ବଦଳିଲା ମୋ ସ୍କୁଲ ଅଭିଯାନ ନାଁ…..
ମାଆ କୁ ହତ୍ୟା କଲେ ୨ ପୁଅ……
ଭୁବନେଶ୍ୱରରେ SPG ଟିମ୍….