Report Card Odisha

| Daily Odia News

ଚିରାଗଙ୍କୁ ଅଫର ଦେଲେ ତେଜସ୍ୱୀ, କହିଲେ ଏଲଜେପି ଭାଙ୍ଗିବା ପଛର ନୀତିଶ ମାଷ୍ଟରମାଇଣ୍ଡ….

ରିପୋର୍ଟ କାର୍ଡ / ଭୁବନେଶ୍ୱର

ବିହାରରେ ଚାଚା ପୁତୁରାଙ୍କ ଦଳୀୟ କନ୍ଦଳରେ ପଡିନି ପୂର୍ଣ୍ଣଛେଦ। ଚାଚା ପଶୁପତି ପାରସଙ୍କ ସହ ଅନ୍ୟ ସାଂସଦମାନେ ଏଲଜେପି ପାର୍ଟି ଉପରେ ମିଳିମିଶି କବଜା କରିନେଇଛନ୍ତି । ଫଳରେ ଏକୁଟିଆ ଚିରାଗ ଏକୋଟିଆ ହୋଇଯାଇଛନ୍ତି । ଏବେ ବିରୋଧୀ ଦଳର ନେତା ତଥା ଆରଜେଡି ସୁପ୍ରିମୋ ଲାଲୁ ଯାଦବଙ୍କ ପୁଅ ତେଜସ୍ୱୀ ଯାଦବ ଆଜି ଚିରାଗ ପାଶୱାନଙ୍କୁ ଅଫର ଦେଇଛନ୍ତି | ସେ ସାଂସଦ ଚିରାଗ ପାସୱାନଙ୍କୁ ତାଙ୍କ ସହ ଆସିବାକୁ ନିମନ୍ତ୍ରଣ କରିଛନ୍ତି । ତେଜସ୍ୱୀ କହିଛନ୍ତି ଯେ ଏଲଜେପି ଭାଙ୍ଗିବା ପଛର ମାଷ୍ଟରମାଇଣ୍ଡ କିଏ ତାହା ସମସ୍ତେ ଜାଣନ୍ତି | ଏଭଳି ପରିସ୍ଥିତିରେ ଚିରାଗ ପାଶୱାନଙ୍କୁ ନିଜେ ଦିଶା ନିର୍ଣ୍ଣୟ କରିବାକୁ ପଡିବ। ତେଜସ୍ୱୀ କହିଛନ୍ତି ଯେ ନୀତିଶ ୨୦୦୫ ଏବଂ ୨୦୧୦ରେ ମଧ୍ୟ ଏଲଜେପିକୁ ଭାଙ୍ଗିବାକୁ ଚେଷ୍ଟା କରିଥିଲେ। ଯେତେବେଳେ ୨୦୧୦ରେ ଏଲଜେପି ର ଜଣେ ବି ବିଧାୟକ-ସାଂସଦ ନଥିଲେ, ଲାଲୁ, ରାମ ବିଳାସ ପାଶୱାନଙ୍କୁ ରାଜ୍ୟସଭା ସାଂସଦ କରିଥିଲେ। କୌଣସି ଦଳକୁ ଭାଙ୍ଗିବାକୁ ଚିନ୍ତା କରୁଥିବା ବ୍ୟକ୍ତି ଯଦି ବିହାରର ବିକାଶ ପାଇଁ ଭାବନ୍ତେ ତେବେ ବହୁତ କିଛି ହୋଇପାରନ୍ତା | ସେହିପରି ଗତକାଲି ନୀତିଶ କହିଥିଲେ ଯେ ଏଲଜେପିରେ କଣ ହେଉଛି ତାହା ତାଙ୍କୁ ଜଣାନାହିଁ | ଏହାକୁ ଟାର୍ଗେଟ କରି ତେଜସ୍ୱୀ କହିଛନ୍ତି ଯେ ସେ କିଛି ଜାଣନ୍ତି ନାହିଁ। ବିହାରରେ କରୋନା ଏବଂ ବନ୍ୟା ଯୋଗୁଁ ଲୋକମାନେ କିଭଳି ଯନ୍ତ୍ରଣା ଭୋଗୁଛନ୍ତି ତାହା ମଧ୍ୟ ସେ ଜାଣିପାରୁନାହାନ୍ତି । ବିହାର ବେରୋଜଗାରର କେନ୍ଦ୍ର ହୋଇ ରହିଛି ଏବଂ ରାଜ୍ୟ ସରକାର ନିର୍ମାଣ କରୁଥିବା ଅନେକ ସେତୁଟି ଭାଙ୍ଗିଯାଉଛି |

Breaking News