ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଆଫଗାନିସ୍ତାନକୁ ତାଲିବାନ କବଜା କରିବା ପରେ ବିଶ୍ବରେ ଆତଙ୍କବାଦ ବୃଦ୍ଧି ପାଇବା ନେଇ ଆଶଙ୍କାରହିଛି। ତାଲିବାନର ବିଜୟପରେ ଶୁଭେଚ୍ଛା ଜଣାଇଛି ଆତଙ୍କବାଦୀ ସଙ୍ଗଠନ ଅଲକାଏଦା। ଆମେରିକା ସେନା ଏବଂ ଅଶରଫ ଘନିଙ୍କୁ ଦେଶରୁ ବେଦଖଲ କରିବା ସହ କାବୁଲକୁ ହାତମୁଠାରେ କରିଥିବାରୁ ନିଜ ସାଥି ଆତଙ୍କବାଦୀଙ୍କୁ ପ୍ରଶଂସା କରିଛି ଅଲକାଏଦା । ଅଲକାଏଦା ଇନ୍ ଆରାବିଆନ୍ ପେନିନ୍ସୁଲା (ଏକ୍ୟୁଆଇପି) ତାଲିବାନକୁ ନିଜର ବିଜୟ ଏବଂ ଦେଶକୁ ମୁକ୍ତ କରିବାକୁ ନେଇ ଅଭିନନ୍ଦନ ଜଣାଇଛି। ଏହା ବ୍ୟତୀତ ଅଲକାଏଦା ସହ ଜଡ଼ିତ ଅନ୍ୟ ଆତଙ୍କବାଦୀ ସଙ୍ଗଠନ ମଧ୍ୟ ତାଲିବାନକୁ ଶୁଭେଚ୍ଛା ଜଣାଇଥିବା ଜଣାପଡ଼ିଛି। ସିରିଆର ହୟାତ ତହରିର ଅଲଶାମ୍ ଦୃଢ଼ତା ପାଇଁ ତାଲିବାନକୁ ଏକ ପ୍ରେରଣା ବୋଲି କହିଛି। ପଶ୍ଚିମ ଚୀନ୍ରେ ଥିବା ତୁର୍କିସ୍ତାନ ଇସଲାମିକ୍ ପାର୍ଟି(ଟିଆଇପି) ମଧ୍ୟ ତାଲିବାନକୁ ପ୍ରଶଂସା କରି ନିଜର ଏକ ବୟାନ ଜାରି କରିଛି।ତେହରିକ-ଏ-ତାଲିବାନ ପାକିସ୍ତାନ ଆମେରିକା ସେନା ପାଖରୁ ମୁକ୍ତି ପାଇଥିବାରୁ ତାଲିବାନର ନେତୃତ୍ବଙ୍କ ପ୍ରତି ନିଜର ସମର୍ଥନ ଦେଖାଇସାରିଛି। ହୟାତ ତହରିର ଅଲଶାମ ତାଲିବାନର କ୍ରୁରତା ଏବଂ ଆଫଗାନିସ୍ତାନ କବଜାକୁ ପ୍ରାରମ୍ଭିକ ମୁସଲିମ୍ ବିଜୟ ବୋଲି କହିଛି । ତାଲିବାନ ଭଳି ଏଚଟିଏସ୍ ମଧ୍ୟ ନିଜର ଭାବମୂର୍ତ୍ତି ପରିବର୍ତ୍ତନ କରିବାରେ ଲାଗିଛି । ଏଥିରେ ସାମିଲ୍ ଥିବା କିଛି ଆତଙ୍କବାଦୀ ସିରିଆରେ ଆମେରିକାର ଡ୍ରୋନ୍ ଆକ୍ରମଣରେ ପ୍ରାଣ ହରାଇଥିଲେ। ଏଚଟିଏସ୍ ୨୦୧୬ରେ ଅଏକାଏଦା ପାଖରୁ ସମ୍ପର୍କ ଛିନ୍ନ କରିଥିଲା। ଏହା ପରେ ଆତଙ୍କବାଦୀ ସଙ୍ଗଠନ ଉତ୍ତର ପଶ୍ଚିମ ସିରିଆ ବିଦ୍ରୋହୀ ସଙ୍ଗଠନ ସହ ସାମିଲ ହୋଇଥିଲା ।
Discussion about this post