ରିପୋର୍ଟ କାର୍ଡ / ଭୁବନେଶ୍ୱର
ରାଜ୍ୟ କ୍ୟାବିନେଟ୍ ଗୁରୁତ୍ୱପୂର୍ଣ୍ଣ ବୈଠକ ମଙ୍ଗଳବାର ଶେଷ ହୋଇଛି। ଏହି ବୈଠକରେ ୭ଟି ବିଭାଗର ୧୩ଟି ପ୍ରସ୍ତାବ ଉପରେ ମୋହର ବାଜିଛି। ବୈଠକ ଶେଷ ହେବା ପରେ ମୁଖ୍ୟ ସଚିବ ଅନୁ ଗର୍ଗ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ଏନେଇ ସୂଚନା ଦେଇଛନ୍ତି। ମୁଖ୍ୟ ସଚିବ କହିଛନ୍ତି ଯେ, ଗ୍ରାମ୍ୟ ଉନ୍ନୟନ ବିଭାଗର ‘ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନା’କୁ ଆଉ ୫ ବର୍ଷ ପାଇଁ ବୃଦ୍ଧି କରାଯାଇଛି। ଏହି ଯୋଜନା ଅଧୀନରେ ରାଜ୍ୟରେ ୪,୬୦୦ କିଲୋମିଟର ନୂତନ ସଡ଼କ ନିର୍ମାଣ ପାଇଁ କ୍ୟାବିନେଟ୍ ଅନୁମୋଦନ ପ୍ରଦାନ କରିଛି। ବିଶେଷକରି ଯେଉଁ ସବୁ ଗାଁକୁ ଏପର୍ଯ୍ୟନ୍ତ ସଡ଼କ ସଂଯୋଗ ହୋଇନାହିଁ, ସେହି ଗ୍ରାମଗୁଡ଼ିକୁ ସଡ଼କ ସଂଯୋଗ କରିବାକୁ ପ୍ରାଥମିକତା ଦିଆଯିବ। ଦୁର୍ଗମ ଓ ଦୁର୍ଗମତମ ଅଞ୍ଚଳରେ ଯୋଗାଯୋଗ ବ୍ୟବସ୍ଥା ସୁଦୃଢ଼ କରିବା ପାଇଁ ମଧ୍ୟ ସରକାର ବିଶେଷ ପଦକ୍ଷେପ ନେବେ।ସେହିପରି ‘ସେତୁ ବନ୍ଧ ଯୋଜନା’କୁ ମଧ୍ୟ ୫ ବର୍ଷ ପାଇଁ ବୃଦ୍ଧି କରାଯାଇଛି। ଏହି ଯୋଜନା ଅନ୍ତର୍ଗତ ରାଜ୍ୟର ୩,୧୬୭ଟି ପୁରୁଣା ସେତୁର ମରାମତି ଓ ସୁଦୃଢ଼ୀକରଣ କରାଯିବ, ଯାହାଦ୍ୱାରା ସେତୁଗୁଡ଼ିକର ସୁରକ୍ଷା ଓ ଯାତାୟାତ ବ୍ୟବସ୍ଥା ଅଧିକ ସୁଦୃଢ଼ ହେବ।କ୍ୟାବିନେଟ୍ ବୈଠକରେ ସମବାୟ ବିଭାଗର ୧୯୫୬ ମସିହାର ପୁରୁଣା ସମବାୟ ଆଇନର ସଂଶୋଧନ ପ୍ରସ୍ତାବକୁ ମଧ୍ୟ ମଞ୍ଜୁରୀ ମିଳିଛି। ସଂଶୋଧିତ ଆଇନ ମାଧ୍ୟମରେ ସମବାୟ ବ୍ୟବସ୍ଥାକୁ ଅଧିକ ସ୍ୱଚ୍ଛ, ଆଧୁନିକ ଓ ଦକ୍ଷ କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି।ରାଜ୍ୟର ଭିତ୍ତିଭୂମି ବିକାଶ, ଗ୍ରାମାଞ୍ଚଳର ସଡ଼କ ସଂଯୋଗ ଓ ସମବାୟ କ୍ଷେତ୍ରରେ ସଂସ୍କାର ଆଣିବା ଦିଗରେ ଏହି କ୍ୟାବିନେଟ୍ ନିଷ୍ପତ୍ତିଗୁଡ଼ିକୁ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି କୁହାଯାଉଛି।






More Stories
ଦିଲ୍ଲୀ ଗସ୍ତରେ ନବୀନ…..
ଜେଲରୁ ମୁକୁଳିବେ ଦାରା ସିଂ…..
୩ଦିନ ପ୍ରବଳ ବର୍ଷୀବ…..