Report Card Odisha

| Daily Odia News

କ୍ୟାବିନେଟ ବୈଠକରେ ୮ ପ୍ରସ୍ତାବକୁ ମଞ୍ଜୁରୀ…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ରାଜ୍ୟ କ୍ୟାବିନେଟର ୩୯ ତମ ବୈଠକ ବୁଧବାର ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନସ୍ଥିତ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଛି l ବୈଠକ ପରେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ କ୍ୟାବିନେଟ ବୈଠକରେ ନିଆଯାଇଥିବା ନିଷ୍ପତ୍ତି ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇଥିଲେ l ବୈଠକରେ ୮ ଟି ବିଭାଗର ୮ ଟି ପ୍ରସ୍ତାବ ଆଲୋଚନା ପୂର୍ବକ ଅନୁମୋଦନ କରାଯାଇଛି | ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବ ଗୁଡ଼ିକ ହେଲା, ଶିଳ୍ପ, ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ବିଦ୍ୟା, ଗୃହ ନିର୍ମାଣ ଓ ନଗର ଉନ୍ନୟନ, ପୂର୍ତ୍ତ(ନିର୍ମାଣ), ବାଣିଜ୍ୟ ଓ ପରିବହନ, ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା, ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ଏବଂ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ଆଦି ପ୍ରତ୍ୟେକ ବିଭାଗରୁ ୧ଟି ଲେଖାଏଁ ପ୍ରସ୍ତାବ ଆଗତ ପୂର୍ବକ ସମସ୍ତ ପ୍ରସ୍ତାବଗୁଡିକ କ୍ୟାବିନେଟ ବୈଠକରେ ଅନୁମୋଦନ କରାଯାଇଛି | ବୈଠକରେ କଟକ ଭୁବନେଶ୍ବର ମଧ୍ୟରେ ଗମନାଗମନକୁ ସୁଗମ କରିବା ଲାଗି କାଠଯୋଡ଼ିରେ ଆଉ ଏକ ସେତୁକୁ ମଞ୍ଜୁରୀ ଦିଆଯାଇଛି। ତ୍ରିଶୁଳିଆ ଛକରେ ଥିବା ବର୍ତ୍ତମାନର ସେତୁ ସହ ସମାନ୍ତର ଭାବେ ନିର୍ମାଣ ହେବ ଏହି ସେତୁ । ଯେଉଁଥିପାଇଁ ୧୫୮ କୋଟି ୮୮ ଲକ୍ଷ ଟଙ୍କା ଧାର୍ଯ୍ୟ କରାଯାଇଛି। ସେହିପରି ବଲାଙ୍ଗିରରେ ଅମ୍ବିକା କଟସ୍ପିନର ସ୍ପିନିଂ ୟୁନିଟ୍ ସ୍ଥାପନକୁ ମଞ୍ଜୁରୀ କଟସ୍ପିନର ସ୍ପିନିଂ ୟୁନିଟ୍ ପାଇଁ ନିବେଶ ହେବ ୧୨୪ କୋଟି ଟଙ୍କା। ଓଡ଼ିଶା ସିଟି ଗ୍ୟାସ୍ ବିତରଣ ନୀତିକୁ ମଞ୍ଜୁରୀ ପ୍ରଦାନ କରାଯାଇଛି। ସହରାଞ୍ଚଳରେ PNG,CNG ଭିତ୍ତିଭୂମିର ସଂପ୍ରସାରଣକୁ ପ୍ରୋତ୍ସାହନ ଦେବା ଲାଗି ନିଷ୍ପତ୍ତି ହୋଇଛି। କ୍ୟାବିନେଟ ବୈଠକରେ ଓଡ଼ିଶା ରାଜ୍ୟ ତଥ୍ୟ ନୀତି-୨କୁ ମଧ୍ୟ ମଞ୍ଜୁରୀ ପ୍ରଦାନ କରାଯାଇଛି।​​​​​​​ ଓଡ଼ିଶା ଆପର୍ଟମେଣ୍ଟ ମାଲିକାନା ଓ ପରିଚାଳନା ନିୟମ-୨୦୨୩ର ପରିବର୍ତ୍ତନ କରାଯାଇଛି । ଆପାର୍ଟମେଣ୍ଟ ହସ୍ତାନ୍ତର ଦଲିଲ ପଞ୍ଜିକରଣରେ ଟିକସ ହ୍ରାସ ପାଇଁ ନିଷ୍ପତ୍ତି ନିଆଯାଇଛି । ସେହିପରି AoAକୁ ଦଲିଲ ହସ୍ତାନ୍ତରରେ ସ୍ଲାବ୍ ଟିକସ ବ୍ୟବସ୍ଥା ଉଚ୍ଛେଦ କରାଯାଇଛି । ଏଣିକି AoAକୁ ଦଲିଲ ହସ୍ତାନ୍ତରରେ ଦେବାକୁ ହେବ କେବଳ ୫୦ ହଜାର ଟଙ୍କା । ପରବର୍ତ୍ତୀ ସମୟରେ ବ୍ୟକ୍ତିଗତ ଆପାର୍ଟମେଣ୍ଟ ଅଂଶ ବିକ୍ରିରେ ୫% ଷ୍ଟାମ୍ପ ଡ୍ୟୁଟି ଲାଗିବ । ଏହା ଆପାର୍ଟମେଣ୍ଟ ୟୁନିଟ୍ ସହ କମନ୍ ଏରିଆ ଅଂଶ ପାଇଁ ଲାଗୁ ହେବ।

Breaking News