ରିପୋର୍ଟ କାର୍ଡ / ଭୁବନେଶ୍ୱର
ରାଜ୍ୟର ବିଭିନ୍ନ ସ୍ଥାନର ନାମ ଏଣିକି ଓଡ଼ିଆ ଉଚ୍ଚାରଣ ଅନୁଯାୟୀ ଇଂରାଜୀରେ ଲେଖାହେବ। ବହୁଦିନ ଧରି ବ୍ୟବହୃତ ହୋଇ ଆସୁଥିବା ରାଜ୍ୟର ବିଭିନ୍ନ ସ୍ଥାନର ଇଂରାଜୀ ବନାନଗୁଡ଼ିକର ସଂଶୋଧନ ପାଇଁ ସରକାର ପଦକ୍ଷେପ ନେଇଛନ୍ତି। ବିଶିଷ୍ଟ ସାହିତ୍ୟିକା ପଦ୍ମଭୂଷଣ ଡଃ ପ୍ରତିଭା ରାୟଙ୍କ ଅଧ୍ୟକ୍ଷତାରେ ଗଠିତ ଏକ ସ୍ୱତନ୍ତ୍ର କମିଟି ବିଭିନ୍ନ ପ୍ରସ୍ତାବର ସମୀକ୍ଷା କରି ମୋଟ ୫୮ଟି ସ୍ଥାନର ନାମ ସଂଶୋଧନ ପାଇଁ ସୁପାରିଶ କରିଛନ୍ତି।ରାଜ୍ୟର ବିଭିନ୍ନ ଜିଲ୍ଲା, ଜିଲ୍ଲା ସଦର ମହକୁମା, ଉପଖଣ୍ଡ, ତହସିଲ ଓ ବ୍ଲକଗୁଡ଼ିକର ସରକାରୀ ଭାବେ ବ୍ୟବହୃତ ଇଂରାଜୀ ବନାନକୁ ଓଡ଼ିଆ ନାମ ଅନୁରୂପ କରିବା ନିମନ୍ତେ ରାଜସ୍ୱ ବିଭାଗ ପକ୍ଷରୁ ପୂର୍ବରୁ ସାଧାରଣ ଲୋକ ଓ ଜନପ୍ରତିନିଧିଙ୍କଠୁ ପ୍ରସ୍ତାବ ଲୋଡ଼ାଯାଇଥିଲା। ଯାହା ଆଧାରରେ ଶ୍ରୀମତୀ ରାୟଙ୍କ ଅଧ୍ୟକ୍ଷତା ବିଶିଷ୍ଟ କମିଟି ମୋଟ ୫୮ଟି ସ୍ଥାନର ଇଂରାଜୀ ବନାନର ସଂଶୋଧନ ପାଇଁ ସୁପାରିଶ କରିଛନ୍ତି। ଏହି ସୁପାରିଶ ସମ୍ପର୍କରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ସଚିବ ଅରବିନ୍ଦ ପାଢ଼ୀ ରାଜ୍ୟର ସମସ୍ତ ସାଂସଦ, ବିଧାୟକ ଓ ଜିଲ୍ଲାପାଳମାନଙ୍କୁ ଚିଠି ଲେଖି ଅବଗତ କରିଛନ୍ତି। ଏହାସହିତ ସାଧାରଣ ଲୋକଙ୍କଠୁ ମତାମତ ଓ ପରାମର୍ଶ ମଧ୍ୟ ଲୋଡ଼ିଛି ବିଭାଗ। ଆଜିଠୁ ଏକମାସ ପର୍ଯ୍ୟନ୍ତ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଠିକଣାରେ ଚିଠି କିମ୍ବା ଇ-ମେଲ୍ ମାଧ୍ୟମରେ ମତାମତ ପଠାଇବାକୁ କୁହାଯାଇଛି। ତାଲିକାରେ ଥିବା ସମସ୍ତ ୫୮ଟି ସ୍ଥାନର ବିବରଣୀ-
ଅନୁଗୋଳ (ANUGOLA), ପାଳଲହଡ଼ା (PALALAHADA), ବଲାଙ୍ଗୀର (BALANGIR), ବଙ୍ଗୋମୁଣ୍ଡା (BANGOMUNDA), ବାଲେଶ୍ୱର (BALESHWAR), ନୀଳଗିରି (NILAGIRI), ବରଗଡ଼ (BARAGADA), ରାଜବୋଡ଼ାସମ୍ବର (RAJBODASAMBAR), ବନ୍ତ (BANTA), କଟକ (KATAKA) , ଆଠଗଡ଼ (ATHAGADA), ସାଲେପୁର (SALEPUR), ବଡ଼ମ୍ବା (BADAMBA), ଦେବଗଡ଼ (DEBAGADA), ରିଆମାଳ (RIAMAL), ବ୍ରହ୍ମପୁର (BRAHMAPUR), ହିଞ୍ଜିଳିକାଟୁ (HINJILIKATU), ଆସିକା (ASIKA), ସୋରଡ଼ା (SORADA), ଦଶରଥପୁର (DASHARATHPUR), ଧର୍ମଶାଳା (DHARMASHALA), ବେଲପାହାଡ଼ (BELPAHAD), ଧର୍ମଗଡ଼ (DHARMAGADA), ଜୁନାଗଡ଼ (JUNAGAD), ଜୟପାଟଣା (JAYAPATANA), ଲାଞ୍ଜିଗଡ଼ (LANJIGADA), ଭବାନୀପାଟଣା (BHABANIPATANA), କନ୍ଧମାଳ (KANDHAMAL) , କେନ୍ଦ୍ରାପଡ଼ା (KENDRAPADA), ଆଳି (AALI), ମହାକାଳପଡ଼ା (MAHAKALAPADA), କେନ୍ଦୁଝର (KENDUJHAR), ବଡ଼ବିଲ (BADABIL), କେନ୍ଦୁଝରଗଡ଼ (KENDUJHARGADA) ଓ ଖୋରଧା (KHORDHA) ଲେଖାଯିବାକୁ ସୁପାରିଶ କରାଯାଇଛି।
ସେହିପରି ବୋଲଗଡ଼ (BOLAGADA), ବାଣପୁର (BANAPUR), ଜଟଣୀ (JATANI), ଜୟପୁର (JAYAPUR), ପଡ଼ିଆ (PADIA), ବେତନଟି (BETANATI), ଶାମାଖୁଣ୍ଟା (SHAMAKHUNTA), ମୋରଡ଼ା (MORADA), ରାସଗୋବିନ୍ଦପୁର (RASAGOBINDAPUR), ପାଞ୍ଚପୀଢ଼ (PANCHAPIDHA), ନୟାଗଡ଼ (NAYAGADA) , ଦଶପଲ୍ଲା (DASHAPALLA), ଖଡ଼ିଆଳ (KHADIAL), ରେଢ଼ାଖୋଲ (REDHAKHOL), ସୋନପୁର (SONPUR), ବିନିକା (BINIKA), ସୁନ୍ଦରଗଡ଼ (SUNDARAGADA), ବଣାଇଗଡ଼ (BONAIGADA), କୋଇଡ଼ା (KOIDA), ଲେଫ୍ରିପଡ଼ା (LEPHRIPADA), ସବଡେଗା (SABDEGA), ବଡ଼ଗାଁ (BADAGAN) ଓ ଲହୁଣିପଡ଼ା (LAHUNIPADA) ଭାବେ ଲେଖାଯାଉ ବୋଲି ଡଃ ପ୍ରତିଭା ରାୟ କମିଟି ସୁପାରିଶ କରିଛନ୍ତି।






More Stories
କ୍ୟାବିନେଟ ବୈଠକରେ ୮ ପ୍ରସ୍ତାବକୁ ମଞ୍ଜୁରୀ…..
ସ୍କୁଲ ଛୁଟି ଘୋଷଣା….
ଗରିବଙ୍କୁ ଦିଆଯିବ ଫ୍ଲାଟ୍…..