ରିପୋର୍ଟ କାର୍ଡ / ଭୁବନେଶ୍ୱର
କରୋନା ସଂକ୍ରମ ପାଇଁ ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ସିବିଏସଇ ଦଶମ, ଏକାଦଶ ଓ ଦ୍ୱାଦଶ ପରୀକ୍ଷା ବାତିଲ କରିଥିଲେ। ଛାତ୍ରଛାତ୍ରୀଙ୍କର ମେଧାକୁ ଭିତ୍ତିକରି ପରୀକ୍ଷା ଫଳ ପ୍ରକାଶ କରାଯିବାକୁ ଘୋଷଣା କରାଯାଇଥିଲା। ଏହାକୁ ନେଇ ସୁପ୍ରିମକୋର୍ଟରେ ମାମଲା ମଧ୍ୟ ରୁଜ୍ଜୁ ହୋଇଥିଲା। ଗୁରୁବାର ଦିନ ସରକାର ମାନ୍ୟବର ସର୍ବୋଚ୍ଚ ଅଦାଲତଙ୍କ ନିକଟରେ କହିଛନ୍ତି ଯେ ଆଗାମୀ ଜୁଲାଇ ୩୧ ସୁଦ୍ଧା ସିବିଏସଇ ପରୀକ୍ଷା ଫଳ ଘୋଷଣା କରାଯିବ। ଏ ସମ୍ପର୍କିତ ମାମଲାର ଶୁଣାଣି ସମୟରେ ଭାରତର ଆଟର୍ଣ୍ଣି ଜେନେରାଲ କେ କେ ବେଣୁଗୋପାଳ କହିଥିଲେ ଯେ ଜୁଲାଇ ୩୧ ସୁଦ୍ଧା ସିବିଏସଇ ଦଶମ, ଏକାଦଶ ଓ ଦ୍ୱାଦଶ ପରୀକ୍ଷା ଫଳ ଘୋଷଣା କରିବାକୁ ପଦକ୍ଷେପ ନିଆଯାଉଛି। ଏହାଫଳରେ ସିବିଏସଇ ପରୀକ୍ଷା ଫଳ ପ୍ରକାଶନ ନେଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ରହିଥିବା ଆଶଙ୍କା ଦୂର ହୋଇଛି। ଏଥିସହିତ ଛାତ୍ରଛାତ୍ରୀଙ୍କୁ କେଉଁ ଆଧାରରେ ନମ୍ବର ଦିଆଯିବ, ତାହା ମଧ୍ୟ ବିସ୍ତୃତ ଭାବରେ ସର୍ବୋଚ୍ଚ ଅଦାଲତଙ୍କ ନିକଟରେ ଉପସ୍ଥାପନ କରାଯାଇଛି। ଆଟର୍ଣ୍ଣି ଜେନେରାଲ ଶ୍ରୀ ବେଣୁଗୋପାଳ କହିଥିଲେ ଯେ, ସିବିଏସଇ ଦଶମ ଓ ଏକାଦଶ ଶ୍ରେଣୀରେ ଛାତ୍ରଛାତ୍ରୀ ପାଞ୍ଚଟି ବିଷୟ ମଧ୍ୟରୁ ଯେଉଁ ତିନିଟି ବିଷୟରେ ସର୍ବାଧିକ ନମ୍ବର ରଖିଥିବେ ତାହା ବିଚାରକୁ ନିଆଯିବ। ଦ୍ୱାଦଶ ଶ୍ରେଣୀ କ୍ଷେତ୍ରରେ ଛାତ୍ରଛାତ୍ରୀଙ୍କ ୟୁନିଟ, ଟର୍ମ ଏବଂ ପ୍ରାକ୍ଟିକାଲ ପରୀକ୍ଷାର ନମ୍ବରକୁ ହିସାବକୁ ନିଆଯିବ। ଯେଉଁ ଛାତ୍ରଛାତ୍ରୀ ଏହି ନମ୍ବର ଅଥବା ଗ୍ରେଡରେ ସନ୍ତୁଷ୍ଟ ହେବେନାହିଁ, ସେମାନେ ପୂର୍ବ ବ୍ୟବସ୍ଥା ଅନୁଯାୟୀ ଲିଖିତ ପରୀକ୍ଷା ଦେଇପାରିବେ। ସୂଚନାଯୋଗ୍ୟ ଯେ ସିବିଏସଇ ପରୀକ୍ଷା ବାତିଲ ହେବାପରେ ଛାତ୍ରଛାତ୍ରୀଙ୍କୁ ନମ୍ବର ଅଥବା ଗ୍ରେଡ ପ୍ରଦାନ କରିବା ପାଇଁ ୧୨ ସଦସ୍ୟଙ୍କୁ ନେଇ ଏକ ବିଶେଷଜ୍ଞ କମିଟି ଗଠନ କରାଯାଇଛି। ଏଥିରେ କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟର ଯୁଗ୍ମ ସଚିବ ତଥା ବରିଷ୍ଠ ଆଇଏଏସ ଅଧିକାରୀ ବିପିିନ କୁମାର ମଧ୍ୟ ସଦସ୍ୟ ରହିଛନ୍ତି। କମିଟି ନିର୍ଦ୍ଧାରଣ କରିଥିବା ନୀତି ଅନୁଯାୟୀ ଦଶମ, ଏକାଦଶ ଓ ଦ୍ୱାଦଶ ଶ୍ରେଣୀ ନିମନ୍ତେ ପ୍ରତି ବର୍ଷର ଆଭ୍ୟନ୍ତରୀଣ ଆକଳନ ନିମନ୍ତେ ପ୍ରତ୍ୟେକ ବିଷୟ ପାଇଁ ୨୦ ନମ୍ବର ଏବଂ ବର୍ଷତମାମ ଛାତ୍ରଛାତ୍ରୀ ବିଭିନ୍ନ ପରୀକ୍ଷାରେ କରୁଥିବା ପ୍ରଦର୍ଶନ ଭିତ୍ତିରେ ୮୦ ନମ୍ବରକୁ ହିସାବକୁ ନିଆଯିବ।
More Stories
ଆପ୍ ‘ଅପରେସନ୍ ଲୋଟସ୍’ ଅଭିଯୋଗ, ତଦନ୍ତ ନିର୍ଦ୍ଦେଶ ଦେଲେ ଉପରାଜ୍ୟପାଳ…..
ସୋନୁ ସୁଦ୍ଙ୍କ ନାଁରେ ଗିରଫ ପରଓ୍ବାନା ଜାରି…..
ଆସନ୍ତାକାଲି ଆସିବ ସୁଭଦ୍ରା ଟଙ୍କା…..