Report Card Odisha

| Daily Odia News

ଚଳିତ ବର୍ଷ ଯୁକ୍ତ ୨ ପାସ୍ ହାର ୯୦ ପ୍ରତିଶତରୁ ଅଧିକ ହେବ…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ଗତବର୍ଷ ଅପେକ୍ଷା ଚଳିତ ବର୍ଷ ଯୁକ୍ତ ୨ରେ ମୋଟ ପାସ୍ ହାର ୯୦ ପ୍ରତିଶତରୁ ଅଧିକ ରହିବ। ଛାତ୍ରଛାତ୍ରୀଙ୍କ ବୃହତ୍ତର ସ୍ୱାର୍ଥକୁ ଦୃଷ୍ଟିରେ ରଖି ଯୁକ୍ତ ୨ ବିକଳ୍ପ ମୂଲ୍ୟାୟନ ପ୍ରକ୍ରିୟା ଚୟନ କରାଯାଇଛି। ମୂଲ୍ୟାୟନ ପ୍ରକ୍ରିୟା ଉପରେ ମତ ରଖି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ପରୀକ୍ଷା ନିୟନ୍ତ୍ରକ ବିଜୟ ସାହୁ କହିଛନ୍ତି। ସେ କହିଛନ୍ତି, ମାଟ୍ରିକ୍ ପରୀକ୍ଷାରେ ଛାତ୍ରଛାତ୍ରୀ ଯେତିକି ମାର୍କ ରଖିଥାନ୍ତି, ସାଧାରଣତଃ ଯୁକ୍ତ ୨ରେ ସେମାନଙ୍କ ମଧ୍ୟରୁ ଅଧିକାଂଶ ପିଲାଙ୍କର ମାର୍କ କମି ଯାଇଥାଏ। ତେବେ ଏଥର ଯେଉଁ ବିକଳ୍ପ ପଦ୍ଧତିରେ ମୂଲ୍ୟାୟନ କରାଯାଉଛି ସେଥିରେ ଛାତ୍ରଛାତ୍ରୀଙ୍କ ମାର୍କ ଦଶମ ଶ୍ରେଣୀ ମାର୍କ ପାଖାପାଖି କିମ୍ବା ତା’ଠାରୁ ଅଧିକ ରହିବ। ଗତବର୍ଷ ଗୁଡ଼ିକରେ ଏକ୍ସ-ରେଗୁଲାର ଛାତ୍ରଛାତ୍ରୀଙ୍କ ପାସ୍‌ହାର ୩୦ରୁ ୪୦ ପ୍ରତିଶତ ମଧ୍ୟରେ ରହୁ ଥିବାବେଳେ ଏଥର ଆହୁରି ଅଧିକ ରହିବ ବୋଲି ଆଶା କରାଯାଉଛି। ଯୁକ୍ତ ୨ରେ ମୋଟ୍‌ ପାସ୍‌ହାର ୯୦%ରୁ ଅଧିକ ରହିବ। ପ୍ରଥମ ଓ ଦ୍ୱିତୀୟ ଶ୍ରେଣୀରେ ଉତ୍ତୀର୍ଣ୍ଣ ପାସ୍‌ହାର ମଧ୍ୟ ଗତବର୍ଷ ତୁଳନାରେ ଅଧିକ ରହିବ। ପରୀକ୍ଷା ନିୟନ୍ତ୍ରକ ବିଜୟ ସାହୁ ଆହୁରି କହିଛନ୍ତି, ଏକ୍ସ-ରେଗୁଲାର ପରୀକ୍ଷାର୍ଥୀଙ୍କ ଥିଓରି ପେପର୍‌ ମୂଲ୍ୟାୟନ ବିକଳ୍ପ ମୂଲ୍ୟାୟନ ପଦ୍ଧତି ଅନୁଯାୟୀ ହେବ। ସେମାନେ ପୂର୍ବ ଯୁକ୍ତ୨ ପରୀକ୍ଷାରେ ପାଇଥିବା ମାର୍କ ଆଧାରରେ ସେମାନଙ୍କ ମୂଲ୍ୟାୟନ କରାଯିବ। ଇଲେକ୍ଟିଭ୍‌ ପେପର୍‌ ଗୁଡ଼ିକରେ ସେମାନେ ସବୋର୍ଚ୍ଚ ମାର୍କ ପାଇଥିବା ଦୁଇଟି ବିଷୟର ମାର୍କର ହାରାହାରି ଏବଂ କେତେକ କ୍ଷେତ୍ରରେ ସର୍ବୋଚ୍ଚ ମାର୍କ ଆଧାରରେ ଫେଲ୍‌ ପେପର୍‌ ଗୁଡ଼ିକ ପାଇଁ ମାର୍କ ଦେବାର ବ୍ୟବସ୍ଥା ରହିଛି। ତେଣୁ ଏକ୍ସ-ରେଗୁଲାର ପରୀକ୍ଷାର୍ଥୀ ଭୟଭୀତ କୌଣସି କାରଣ ନାହିଁ। ଯେଉଁ ପରୀକ୍ଷାର୍ଥୀ ବିକଳ୍ପ ମୂଲ୍ୟାୟନ ପରୀକ୍ଷା ଫଳରେ ଅସନ୍ତୁଷ୍ଟ ରହିବେ ସେମାନେ କରୋନା ପରିସ୍ଥିତି ସ୍ୱାଭାବିକ ହେବା ପରେ ଅଫ୍‌ଲାଇନ୍‌ ପରୀକ୍ଷାରେ ଭାଗ ନେଇପାରିବେ ବୋଲି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ପରୀକ୍ଷା ନିୟନ୍ତ୍ରକ କହିଛନ୍ତି।

 

Breaking News