Report Card Odisha

| Daily Odia News

ଓଡ଼ିଶା ଗସ୍ତରେ ଆସୁଛନ୍ତି ଛତିଶଗଡ଼ ରାଜ୍ୟପାଳ…..

ରିପୋର୍ଟ କାର୍ଡ / ଭୁବନେଶ୍ବର

ଛତିଶଗଡ଼ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ ୧୪ରୁ ୧୭ ତାରିଖ ପର୍ଯ୍ୟନ୍ତ ୪ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି। ଛତିଶଗଡ଼ ରାଜ୍ୟପାଳ ଭାବେ ନିଯୁକ୍ତି ପାଇବା ପରେଏହା ତାଙ୍କର ପ୍ରଥମ ଓଡ଼ିଶା ଗସ୍ତ। ଏହି ଗସ୍ତ ସମୟରେ ସେ ଓଡ଼ିଶାର ବିଭିନ୍ନ ବର୍ଗର ବିଶିଷ୍ଟ ବ୍ୟକ୍ତିମାନଙ୍କୁ ଭେଟିବା ସହିତ କେତେକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଯୋଗଦେବେ। ଏ ନେଇ ଛତିଶଗଡ଼ ରାଜଭବନରୁ ପ୍ରକାଶିତ ଏକ ପ୍ରେସ ବିବୃତିରେ ସୂଚନା ଦିଆଯାଇଛି। ୧୪ ତାରିଖରେ ଭୁବନେଶ୍ୱର ପହଞ୍ଚିବା ପରେ ସଂଧ୍ୟାରେ କଟକ ଏସ୍‌ସିବି ମେଡିକାଲ କଲେଜରେ ବାହାନଗା ରେଳ ଦୁର୍ଘଟଣାରେ ଆହତଙ୍କୁ ଭେଟିବେ। ୧୫ ତାରିଖ ପୂର୍ବାହ୍ନରେ ଶ୍ରୀଲିଙ୍ଗରାଜଙ୍କ ଦର୍ଶନ ପରେ ବିଶ୍ୱ ମାନବିକ ଅଧିକାର ସୁରକ୍ଷା ସଂସ୍ଥା ପକ୍ଷରୁ ଆୟୋଜିତ ‘ମାଟି, ମା’ ଓ ମଣିଷର ସୁରକ୍ଷା ପାଇଁ ମାନବିକ ଅଧିକାର’ ଶୀର୍ଷକ କର୍ମଶାଳାରେ ମୁଖ୍ୟ ଅତିଥି ଭାବେ ଯୋଗଦେବେ। ୧୬ରେ ବିଶିଷ୍ଟ ବ୍ୟକ୍ତିମାନଙ୍କୁ ଭେଟିବା ସହ ଅପରାହ୍ନରେ ଓଡ଼ିଶାର ଦିଗ୍‌ବିଜୟୀ ସମ୍ରାଟ କପିଳେନ୍ଦ୍ର ଦେବଙ୍କ ଉପରେ ଡା. ସୋମନାଥ ପ୍ରସାଦ ଜେନାଙ୍କ ଲିଖିତ ଉପନ୍ୟାସ ‘ଦିଗ୍‌ବିଜୟୀ ଗଜପତି’ ପୁସ୍ତକ ଉନ୍ମୋଚନ ସଭାରେ ମୁଖ୍ୟ ଅତିଥି ଭାବେ ଯୋଗଦେବେ। ୧୭ ତାରିଖ ଅପରାହ୍ନରେ ବିମାନ ଯୋଗେ ଦିଲ୍ଲୀ ଯାଇ ୧୮ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମା’ ହୀରାବେନ୍ ମୋଦୀଙ୍କ ୧୦୦ତମ ଜନ୍ମୋତ୍ସବ ଅବସରରେ ‘ଏକ ମା’ର ପ୍ରଭାବ: ମୋଦୀଙ୍କ ମା’ କିପରି ମୋଦୀଙ୍କ ନେତୃତ୍ୱ ଓ ଦୃଷ୍ଟିକୋଣକୁ ତିଆରି କରିଥିଲେ’ ଶୀର୍ଷକ କର୍ମଶାଳାରେ ଯୋଗଦେବେ। ପ୍ରଧାନମନ୍ତ୍ରୀଙ୍କ ମା’ଙ୍କ ଉପରେ ପ୍ରକାଶ ପାଇବାକୁ ଥିବା ପୁସ୍ତକ ‘ମା’ ଓ ‘ସ୍ମରଣିକା’ ପୁସ୍ତକ ଉନ୍ମୋଚନ କରିବେ। ୧୯ ସଂଧ୍ୟାରେ ରାୟପୁର ରାଜଭବନ ଅଭିମୁଖେ ପ୍ରତ୍ୟାବର୍ତ୍ତନ କରିବାର କାର୍ଯ୍ୟକ୍ରମ ରହିଛି।

Breaking News