ରିପୋର୍ଟ କାର୍ଡ / ଭୁବନେଶ୍ୱର
ବର୍ତ୍ତମାନ ଆଫଗାନିସ୍ଥାନ ଓ ପାର୍ଶ୍ଵବର୍ତ୍ତୀ ଅଞ୍ଚଳରେ ସକ୍ରିୟ ରହିଛି ପଶ୍ଚିମା-ଝଡ଼। ଏହାର ପ୍ରଭାବରେ ୨୪ ତାରିଖରୁ ରାଜ୍ୟରେ ବର୍ଷା ଆରମ୍ଭ ହେବ। ତେବେ ୨୫ ତାରିଖରୁ ବର୍ଷାର ପରିମାଣ ବଢ଼ିବାର ସମ୍ଭାବନା ରହିଛି। ଏଥିସହ କେତେକ ଜିଲ୍ଲାରେ ବିଜୁଳି ଘଡଘଡି ମାରିପାରେ। ୨୫ ତାରିଖରେ ପୁଣି ପଶ୍ଚିମ-ହିମାଳୟ ଅଞ୍ଚଳରେ ସକ୍ରିୟ ହେବ ଆଉ ଏକ ପଶ୍ଚିମା ଝଡ଼। ଏହାର ପ୍ରଭାବରେ ୨୬ ତାରିଖରେ ଓଡ଼ିଶାରେ କେତେକ ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ରହିଛି। ଏଥିପାଇଁ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ପାଣିପାଗ କେନ୍ଦ୍ରର ଆକଳନ ୨୪ ତାରିଖରେ ବରଗଡ, ଝାରସୁଗୁଡା, ସୁନ୍ଦରଗଡ, ସମ୍ବଲପୁର, ଦେବଗଡ, କେନ୍ଦୁଝର ଏବଂ ମୟୂରଭଞ୍ଜ ଜିଲାର ଗୋଟିଏରୁ ଦୁଇଟି ସ୍ଥାନରେ ବିଜୁଳି ଘଡଘଡି ସହ ବର୍ଷା ହୋଇପାରେ। ୨୫ ତାରିଖରେ ଉତ୍ତର ଓଡ଼ିଶାର କିଛି ସ୍ଥାନରେ ହାଲକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ଦକ୍ଷିଣ ଓଡ଼ିଶାରେ ମଧ୍ୟ ଗୋଟିଏ ଦୁଇଟି ସ୍ଥାନରେ ବର୍ଷା ହୋଇପାରେ। ବିଶେଷ କରି ସୁନ୍ଦରଗଡ଼, ଦେବଗଡ଼, ଅନୁଗୋଳ, ଢ଼େଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, ଯାଜପୁର, ଭଦ୍ରକ ଏବଂ ବାଲେଶ୍ବର ଜିଲାକୁ ହଳଦିଆ ସତର୍କ ସୂଚନା ଜାରି କରାଯାଇଛି। ୨୬ ତାରିଖରେ ଉପକୂଳ ଓଡ଼ିଶାର କିଛି ସ୍ଥାନ ସମେତ କେନ୍ଦୁଝର, ମୟୂରଭଞ୍ଜ, ଢେଙ୍କାନାଳ ଏବଂ କନ୍ଧମାଳ ଜିଲାର ଗୋଟିଏରୁ ଦୁଇଟି ସ୍ଥାନରେ ବଜ୍ରପାତ ସହିତ ବର୍ଷା ହେବାର ସମ୍ଭାବନା ରହିଛି। ଆଗାମୀ ଦୁଇ ଦିନ ପର୍ଯ୍ୟନ୍ତ ଭୁବନେଶ୍ୱରରେ ବର୍ଷାର ସମ୍ଭାବନା ନାହିଁ। ଭୁବନେଶ୍ୱର ପାଣିପାଗ କେନ୍ଦ୍ରର ନିର୍ଦେଶକ ଡକ୍ଟର ଏଚ.ଆର. ବିଶ୍ୱାସ କହିଛନ୍ତି ୨୪ରେ ପଶ୍ଚିମ ଓଡ଼ିଶାର କିଛି ଜିଲା ଏବଂ କେନ୍ଦୁଝର ଓ ମୟୂରଭଞ୍ଜରେ ହାଲୁକାରୁ ମଧ୍ୟମ ଧରଣ ବର୍ଷା ହେବାକୁ ଥିବାବେଳେ ବାକି ଜିଲାରେ ପାଗ ଶୁଖିଲା ରହିବ। ଫେବୃଆରୀ ମାସ ତୃତୀୟ ସପ୍ତାହରୁ ସର୍ବାଧିକ ତାପମାତ୍ରା ବଢ଼ିବା ଆରମ୍ଭ କଲାଣି। ସମସ୍ତ ସ୍ଥାନରେ ଦିନ ତାପମାତ୍ରା ୩୦ ଡିଗ୍ରୀ ଟପିଲାଣି। ଟିଟିଲାଗଡରେ ସର୍ବାଧିକ ତାପମାତ୍ରା ୩୪ ଡିଗ୍ରୀ ଛୁଇଁଥିବା ବେଳେ ଭୁବନେଶ୍ବରରେ ୩୧.୭ ଡିଗ୍ରୀ ରେକର୍ଡ ହୋଇଛି। ଫୁଲବାଣୀରେ ସର୍ବନିମ୍ନ ତାପମାତ୍ରା ୧୦.୮ ଡିଗ୍ରୀ, ଦାରିଙ୍ଗବାଡିରେ ୧୧.୫ ଏବଂ ଝାରସୁଗୁଡାରେ ୧୧.୬ ଡିଗ୍ରୀ ରେକର୍ଡ କରାଯାଇଛି। ଆସନ୍ତା ୪ ଦିନ ପର୍ଯ୍ୟନ୍ତ ରାତି ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ।
More Stories
ପ୍ରଥମ ଓ ୨ୟ ଶ୍ରେଣୀ ପିଲାଙ୍କୁ ଦିଆଯିବ ‘ଯାଦୁପେଡି’…..
ପୋଲିସ ଗାଡ଼ି ଧକ୍କାରେ ଯୁବକଙ୍କ ମୃତ୍ୟୁ…..
ଅକ୍ଷୟ ତୃତୀୟାରେ ଚାଷୀଙ୍କୁ ଉପହାର…..