Report Card Odisha

| Daily Odia News

ମହିଳାଙ୍କୁ ମାସକୁ ମିଳିବ ୩ ହଜାର:କଂଗ୍ରେସ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ମାସକ ପରେ ଦିଲ୍ଲୀ ବିଧାନସଭା ନିର୍ବାଚନ । ଶାସକ ଦଳ ଆପ୍‌, ବିରୋଧୀ ବିଜେପି ଓ କଂଗ୍ରେସ ରଣନୀତି ସହ ମୈଦାନକୁ ଓହ୍ଲାଇଲେଣି । କଂଗ୍ରେସ ବି ଲୋକାଭିମୁଖୀ ଯୋଜନା କରି ଭୋଟ୍‌ ନେବା ପାଇଁ ଯୋଜନା କରିଛି । ବିଶେଷ ଭାବରେ ମହିଳାଙ୍କୁ ସର୍ବାଧିକ ଗୁରୁତ୍ବ ଦିଆଯାଇଛି । ଦଳ ଯଦି ଦିଲ୍ଲୀରେ ସରକାର କରେ ତାହାଲେ ମହିଳାଙ୍କୁ ମାସକୁ ୩ ହଜାର ଟଙ୍କା ସହିତ ସ୍ବାସ୍ଥ୍ୟ ବୀମା ମଧ୍ୟ ପ୍ରଦାନ କରାଯିବ । କେବଳ ଏତିକି ନୁହେଁ ଆହୁରି ଅନେକ ଯୋଜନା ଦଳ ପକ୍ଷରୁ ଘୋଷଣା କରାଯାଇଛି । ଖୁବଶୀଘ୍ର ଦଳ ପକ୍ଷରୁ ନିର୍ବାଚନୀ ଇସ୍ତାହାର ପ୍ରକାଶ କରାଯିବା ନେଇ ସୂଚନା ମିଳିଛି । ଜାତୀୟ ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁସାରେ, ଜାନୁଆରୀ ୬ ତାରିଖରେ କଂଗ୍ରେସର ବରିଷ୍ଠ ନେତା ପ୍ରେସମିଟ୍‌ କରି ଦଳର ନିର୍ବାଚନୀ ଇସ୍ତାହାର ଘୋଷଣା କରିବେ। ଏହାପରେ ପରେ ଦଳର ଜାତୀୟ ନେତା ଦିଲ୍ଲୀ ନିର୍ବାଚନ ଲାଗି ପ୍ରଚାର ମଇଦାନକୁ ଓହ୍ଲାଇବେ। ପୂର୍ବରୁ ଆପ୍‌ ଓ ବିଜେପି ପ୍ରଚାର ମୈଦାନକୁ ଓହ୍ଲାଇ ସାରିଛନ୍ତି। କେବଳ ଓହ୍ଲାଇଛନ୍ତି ତାହା ନୁହେଁ ବରଂ ମୋଦୀ ଗତକାଲି ଉଭୟ କଂଗ୍ରେସ ଓ ଆପ୍‌କୁ କଡ଼ା ଟାର୍ଗେଟ୍‌ କରିଥିଲେ । କହିଥିଲେ, ଦେଶରେ ଲଗାତାର ୧୦ ବର୍ଷ କଂଗ୍ରେସ ସରକାର କରିବା ପରେ ବି ବିକାଶ ଯେମିତି ହେବାର ଥିଲା ସେମିତି ହେଲା ନାହିଁ । ରାଜ୍ୟ ସରକାର କେନ୍ଦ୍ରକୁ ସହଯୋଗ କଲେ ବିକାଶ ଡବଲ ହେବ ବୋଲି କହିବା ସହିତ ସହରର ବିକାଶ ହେଲେ ଦେଶର ବିକାଶ ହେବ ବୋଲି ମୋଦୀ କହିଛନ୍ତି । ସେପଟେ, ଆପ୍‌ ପକ୍ଷରୁ କେଜ୍ରିୱାଲ ପ୍ରଚାର ମୈଦାନକୁ ଓହ୍ଲାଇଛନ୍ତି । ଏଥର ବିଶେଷ ଭାବରେ ବ୍ରାହ୍ମଣଙ୍କ ଲାଗି ଯୋଜନା କରାଯାଇଥିବାରୁ ଚର୍ଚ୍ଚା ଜୋର ଧରିଛି । ଦିଲ୍ଲୀ ନିର୍ବାଚନ ଲାଗି ଆରମ୍ଭ ହୋଇଥିବା ହାଇଭୋଲଟେଜ୍‌ ପ୍ରଚାର ଭିତରେ ସାମାନ୍ୟ ପଛରେ ପଡ଼ିଯାଇଛି କଂଗ୍ରେସ ବୋଲି ଚର୍ଚ୍ଚା ହେଉଥିବା ବେଳେ ଦଳର ନେତା କହିଛନ୍ତି, କଂଗ୍ରେସ କେବେ ପଛରେ ରହିବନି । ଆମେ ଲୋକଙ୍କ ଲାଗି କଣ କରିବୁ ସେନେଇ ନିର୍ବାଚନୀ ଇସ୍ତାହାର ଆସନ୍ତା ୬ ତାରିଖରେ ପ୍ରକାଶ ପାଇବ । ସେହି ପ୍ରତିଶ୍ରୁତିର କାର୍ଡ ନେଇ ଲୋକଙ୍କୁ ଭୋଟ୍‌ ମାଗିବୁ । ଆମେ ଯାହା କହୁ ତାହା କରୁ । ତେଣୁ ଏଥର ଦିଲ୍ଲୀରେ ନିଶ୍ଚିତ କଂଗ୍ରେସ ଆସିବ । ଏହାସହ ଦିଲ୍ଲୀ ନିର୍ବାଚନ ପ୍ରଚାର ପାଇଁ କଂଗ୍ରେସ ନେତା ତଥା ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ, ଜାତୀୟ ସଭାପତି ମଲ୍ଲିକାର୍ଜୁନ ଖଡଗେ, ମହାସଚିବ ପ୍ରିୟଙ୍କା ଗାନ୍ଧୀଙ୍କ ସହ ଜାତୀୟ ସ୍ତରର ଅନେକ ନେତା ପ୍ରଚାର ମୈଦାନକୁ ଓହ୍ଲାଇବେ।

Breaking News