Report Card Odisha

| Daily Odia News

କରମଣ୍ଡଳ ଏକ୍ସପ୍ରେସର ଲୋକୋ ପାଇଲଟ୍‌ଙ୍କ ବୟାନ ରେକର୍ଡ…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ବାଲେଶ୍ୱର ଜିଲ୍ଲା ବାହାନଗା ଷ୍ଟେସନ ନିକଟରେ ଘଟିଥିବା ଭୟଙ୍କର ଟ୍ରେନ୍ ଦୁର୍ଘଟଣାର କରମଣ୍ଡଳ ଏକ୍ସପ୍ରେସର ୨ ଆହତ ଲୋକୋ ପାଇଲଟ୍ ଭୁବନେଶ୍ୱର ଏମ୍‌ସରେ ଚିକିତ୍ସାଧୀନ ଅଛନ୍ତି। ଉଭୟଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି। ଏନେଇ ଆଜି ଦ.ପୂ ରେଲୱେ CPRO ଆଦିତ୍ୟ ଚୌଧୁରୀ ସୂଚନା ଦେଇଛନ୍ତି। ସେ କହିଛନ୍ତି, ଦୁର୍ଘଟଣାରେ ଲୋକୋ ପାଇଲଟ ଗୁଣନିଧି ମହାନ୍ତି ଓ ଜଣେ ଆସିଷ୍ଟାଣ୍ଟ ଲୋକୋ ପାଇଲଟ୍‌ ହଜାରୀ ବେହେରା ଗୁରୁତର ହୋଇଥିଲେ। ଲୋକୋ ପାଇଲଟଙ୍କ ଅବସ୍ଥା ଭଲ ଥିବାରୁ ଏବେ ସେ ଆଇସିୟୁରୁ ୱାର୍ଡକୁ ସ୍ଥାନାନ୍ତର ହୋଇସାରିଛନ୍ତି। ତେବେ ଆସିଷ୍ଟାଣ୍ଟ ଲୋକୋ ପାଇଲଟଙ୍କ ଶରୀରରେ ବହୁ ଗୁରୁତର ଅଘାତ ଲାଗିଥିବାରୁ ଅପରେଶନ ହେବାର ଥିଲା। ଅପରେଶନ ପରେ ସେ ୱାର୍ଡକୁ ଆସିବେ। ଆଜି ଏହି ଅପରେଶନ ସରିବ। ଦୁର୍ଘଟଣାଗ୍ରସ୍ତ ଲୋକୋ ପାଇଲଟଙ୍କ ବୟାନ ତଦନ୍ତ କରୁଥିବା ରେଳ ସୁରକ୍ଷା କମିଶନ ରେକର୍ଡ କରିଛନ୍ତି। ହେଲେ କ’ଣ ରେକର୍ଡ କରାଯାଇଛି ତାହା ସୂଚନା ମିଳିବା ପରେ କୁହାଯିବ ବୋଲି ସିପିଆର୍‌ଓ ଜଣାଇଛନ୍ତି। ରେଲୱେ ବୋର୍ଡ ସଦସ୍ୟା ଜୟାବର୍ମା ସିହ୍ନା କହିଛନ୍ତି, ଲୋକୋ ପାଇଲଟଙ୍କ ସହ କଥା ହେବା ବେଳେ ଘଟଣା ସମ୍ପର୍କରେ ଅନେକ କଥା ଜଣାପଡ଼ିଛି। ସେମାନଙ୍କୁ ଯିବା ପାଇଁ ଗ୍ରୀନ୍‌ ସିଗ୍‌ନାଲ ମିଳିଥିଲା। ଟ୍ରେନ୍‌ ଓଭରସ୍ପିଡ୍‌ରେ ମଧ୍ୟ ଯାଉ ନ ଥିଲା। ଲୋକୋ ପାଇଲଟ୍ ଏହା ଜଣାଇଛନ୍ତି। ତେଣୁ ଯେଉଁମାନେ କହୁଛନ୍ତି ରେଡ୍‌ ସିଗନାଲ ଥିବା ସତ୍ତ୍ୱେ ଟ୍ରେନ୍ ଯାଉଥିଲା ତାହା ଠିକ୍‌ ନୁହେଁ। ଲୋକଙ୍କ ଜୀବନ ସୁରକ୍ଷାକୁ ଗୁରୁତ୍ୱ ଦେଇ ଟ୍ରେନ୍‌ ଚାଳକ ଦାୟିତ୍ୱ ତୁଲାଇ ଥାଏ। ଟ୍ରେନ୍‌ କେତେ କିଲୋମିଟର ବେଗରେ ଆସୁଥିଲା ତାହାର ରେକର୍ଡ ମଧ୍ୟ ସଂଗ୍ରହ କରାଯାଇଛି। ଏହି ଟ୍ରେନ୍‌ ୧୩୦ କିଲୋମିଟର ଯାଇପାରିବାର ଅନୁମତି ଥିଲା, ତେଣୁ ଟ୍ରେନ୍‌ ୧୨୮ କିମି ବେଗରେ ଯାଉଥିଲା ବୋଲି ଜୟାବର୍ମା କହିଛନ୍ତି। ତେଣୁ ଦୁଇ ଲୋକୋ ପାଇଲଟ ପୂରା ସୁସ୍ଥ ହେଲା ପରେ ଘଟଣା ଉପରୁ ପରଦା ହଟିବା ବୋଲି କୁହାଯାଉଛି।

Breaking News