Report Card Odisha

| Daily Odia News

ପଶ୍ଚିମବଙ୍ଗରୁ ଆସିଲେ ୭ ଦିନ କ୍ୱାରାଣ୍ଟାଇନ….

ରିପୋର୍ଟ କାର୍ଡ / ଭୁବନେଶ୍ୱର

ପଶ୍ଚିମବଙ୍ଗରୁ ଓଡ଼ିଶା ଆସୁଥିବା ଲୋକମାନଙ୍କ ପାଇଁ ରାଜ୍ୟ ସରକାର ୧୪ ଦିନିଆ ବାଧ୍ୟତାମୂଳକ କ୍ୱାରାଣ୍ଟାଇନ ଘୋଷଣା କରିଥିବା ବେଳେ ଏହାକୁ ୭ ଦିନକୁ ହ୍ରାସ କରିଛନ୍ତି। ଏ ନେଇ ଶନିବାର ସ୍ବତନ୍ତ୍ର ରିଲିଫ୍‌ କମିଶନର (ଏସ୍‌ଆରସି)ଙ୍କ କାର୍ଯ୍ୟାଳୟ ପକ୍ଷରୁ ଏକ ସଂଶୋଧିତ ବିଜ୍ଞପ୍ତି ପ୍ରକାଶ କରାଯାଇଛି। ଯେଉଁମାନେ କୋଭିଡ୍‌ ଟିକା ଦୁଇ ଡୋଜ୍‌ ସଫଳତାର ସହ ନେଇଥିବା ସାର୍ଟିଫିକେଟ ପ୍ରଦାନ କରିବେ କିମ୍ବା ୪୮ ଘଣ୍ଟା ମଧ୍ୟରେ ଆରଟି-ପିସିଆର ଟେଷ୍ଟ ରିପୋର୍ଟ ନେଗେଟିଭ ପ୍ରଦାନ କରିପାରିବେ ସେମାନେ ୭ ଦିନିଆ ହୋମ୍‌ କ୍ୱାରାଣ୍ଟାଇନରେ ରହିବେ। ଯଦି ହୋମ୍‌ କ୍ୱାରାଣ୍ଟାଇନ ସୁବିଧା ନ ଥିବ ତେବେ ସେମାନଙ୍କୁ ସରକାରୀ କ୍ୱାରାଣ୍ଟାଇନରେ ରହିବାକୁ ପଡ଼ିବ। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି କରାଯାଇଥିବା କୋଭିଡ୍‌ ପ୍ରୋଟୋକଲ ଏବଂ ହୋମ୍‌ କ୍ୱାରାଣ୍ଟାଇନ ଗାଇଡ୍‌ଲାଇନକୁ ପାଳନ ନ କଲେ ୭ ଦିନ ଲାଗି ସରକାରୀ କ୍ୱାରାଣ୍ଟାଇନରେ ରହିବାକୁ ହେବ। ଏହାଛଡ଼ା ଯଦି କୌଣସି ବ୍ୟକ୍ତି କୋଭିଡ୍‌-୧୯ ସମ୍ପର୍କିତ ଜରୁରୀ କାର୍ଯ୍ୟରେ ଓଡ଼ିଶା ଆସୁଥିବେ କିମ୍ବା ନିର୍ବାଚନ କାର୍ଯ୍ୟ ତୁଲାଇବାକୁ ଆସୁଥିବେ ସେମାନଙ୍କୁ ଏହି କଟକଣାରୁ ବାଦ୍‌ ଦିଆଯାଇଛି। ସେହି ବ୍ୟକ୍ତିମାନଙ୍କୁ କୋଭିଡ୍‌ ଗାଇଡ୍‌ଲାଇନକୁ କଡ଼ାକଡ଼ି ଭାବେ ଅନୁସରଣ କରିବା ସହ ଅଯଥା ଭ୍ରମଣ ନ କରିବାକୁ ପରାମର୍ଶ ଦିଆଯାଇଛି।ସୂଚନାଯୋଗ୍ୟ ଯେ ପଶ୍ଚିମବଙ୍ଗରେ କୋଭିଡ୍‌-୧୯ର ଟ୍ରିପଲ୍‌ ମ୍ୟୁଟାଣ୍ଟ ଭୂତାଣୁ ଠାବ ହୋଇଛି। ଏହା ଅତ୍ୟନ୍ତ ମାରାତ୍ମକ। ଏହି ଭୂତାଣୁ ଦ୍ରୁତବେଗରେ ସଂକ୍ରମଣ କରୁଛି। ଏହାକୁ ରୋକିବା ଲାଗି ପଶ୍ଚିମବଙ୍ଗରୁ ଆସୁଥିବା ଲୋକମାନଙ୍କ ସକାଶେ ରାଜ୍ୟ ସରକାର ୧୪ ଦିନିଆ ବାଧ୍ୟତାମୂଳକ କ୍ୱାରାଣ୍ଟାଇନ ଘୋଷଣା କରିଥିଲେ। ଏପରି କି ପଶ୍ଚିମବଙ୍ଗ ସୀମାରେ ଥିବା ଜାତୀୟ ରାଜପଥ, ରାଜ୍ୟ ରାଜପଥ ଓ ସ୍ଥାନୀୟ ରାସ୍ତାରେ ଥିବା ଚେକ୍‌ପୋଷ୍ଟଗୁଡ଼ିକରେ ଯାଞ୍ଚ ପ୍ରକ୍ରିୟାକୁ କଡ଼ାକଡ଼ି କରିବାକୁ ବାଲେଶ୍ୱର, ମୟୂରଭଞ୍ଜ ଜିଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

 

Breaking News