Report Card Odisha

| Daily Odia News

ବିନା ଦର୍ଶକରେ ଟ୍ବେଣ୍ଟି୨୦ ମ୍ୟାଚ୍‌…..

ରିପୋର୍ଟ କାର୍ଡ / କଟକ

କଟକର ବାରବାଟୀ ଷ୍ଟାଡିୟମ୍‌ରେ ଫେବୃଆରୀ ୧୫ରେ ଭାରତ ଓ ୱେଷ୍ଟଇଣ୍ଡିଜ୍‌ ମଧ୍ୟରେ ଟ୍ବେଣ୍ଟି୨୦ ମ୍ୟାଚ୍‌ ଖେଳାଯିବ। ଏହି ମ୍ୟାଚ୍‌କୁ ସଫଳ କରିବା ପାଇଁ ଆୟୋଜକ ଓଡ଼ିଶା କ୍ରିକେଟ୍‌ ଆସୋସିଏସନ୍‌ (ଓସିଏ) ପକ୍ଷରୁ ସମସ୍ତ ପ୍ରକାର ପ୍ରସ୍ତୁତି ଚାଲିଛି। ତେବେ ଦେଶରେ କୋଭିଡ୍‌-୧୯ର ୩ୟ ଲହର ଆରମ୍ଭ ହୋଇଯାଇଛି। ଅବଶ୍ୟ ଏହା ତୁଳନାରେ ଓଡ଼ିଶାର ସଂକ୍ରମଣ ହାର କମ୍; ତଥାପି ସତର୍କତା ପଦକ୍ଷେପ ଅନୁସାରେ ବୁଧବାର ସ୍ବତନ୍ତ୍ର ରିଲିଫ୍ କମିଶନର (ଏସ୍‌ଆର୍‌ସି)ଙ୍କ ପକ୍ଷରୁ ସାରା ରାଜ୍ୟ ପାଇଁ ଜାନୁଆରୀ ୩୧ ପର୍ଯ୍ୟନ୍ତ ନୂତନ କୋଭିଡ୍‌ କଟକଣା ଓ ନିୟମାବଳୀ ଜାରି କରିଛନ୍ତି। ଆଶଙ୍କା କରାଯାଉଛି ଯେ ଫେବୃଆରୀରେ କରୋନା ସଂକ୍ରମଣର ୩ୟ ଲହର ଶିଖର ଛୁଇଁପାରେ। ତେଣୁ ଫେବୃଆରୀ ୧୫ରେ ବାରବାଟୀରେ ଭାରତ-ୱେଷ୍ଟଇଣ୍ଡିଜ୍‌ ଟ୍ବେଣ୍ଟି୨୦ ମ୍ୟାଚ୍‌ ଖେଳାଯିବା ନେଇ ସ୍ବାଭାବିକ ଭାବେ କ୍ରିକେଟ୍‌ପ୍ରେମୀଙ୍କ ମନରେ ଆଶଙ୍କା ସୃଷ୍ଟି ହୋଇପାରେ। ତେବେ ଏହି ମ୍ୟାଚ୍‌ ବିନା ଦର୍ଶକରେ ଏବଂ ସମ୍ପୂର୍ଣ୍ଣ ଜୈବ ନିରାପତ୍ତା ବଳୟ ମଧ୍ୟରେ ଖେଳାଯିବାର ଯଥେଷ୍ଟ ସମ୍ଭାବନା ରହିଛି ବୋଲି ବିସିସିଆଇ ପକ୍ଷରୁ ପ୍ରକାଶ। କୋଭିଡ୍‌ ସଂକ୍ରମଣ ନିଶ୍ଚିତ ଭାବେ ଦେଶରେ କିଛି କ୍ରୀଡ଼ା ପ୍ରତିଯୋଗିତାକୁ ପ୍ରଭାବିତ କରିଛି। କିଛି ସ୍ଥଗିତ ରହିଥିବା ବେଳେ ଆଉ କିଛି ପ୍ରତିଯୋଗିତାକୁ ବାତିଲ କରାଯାଇଛି। ହେଲେ କଠୋର ଜୈବ ନିରାପତ୍ତା ବଳୟ ମଧ୍ୟରେ ବହୁ କ୍ରିକେଟ୍‌ ମ୍ୟାଚ୍‌ ଓ ଅନ୍ୟ କ୍ରୀଡ଼ା ବିନା ବାଧାରେ ଅନୁଷ୍ଠିତ ହୋଇପାରିଛି। ନିକଟରେ ଭୁବନେଶ୍ବରରେ ବିନା ଦର୍ଶକରେ ସଫଳତାର ସହ କନିଷ୍ଠ ପୁରୁଷ ହକି ବିଶ୍ବକପ୍‌ ଆୟୋଜନ ହୋଇଛି। ପୁଣି ଓମିକ୍ରନ୍‌ ଭୂତାଣୁର ଉତ୍ପତ୍ତିସ୍ଥଳ ଦକ୍ଷିଣ ଆଫ୍ରିକାରେ ମଧ୍ୟ ଏବେ ବିନା ଦର୍ଶକରେ ସୁରୁଖୁରୁରେ ଦକ୍ଷିଣ ଆଫ୍ରିକା-ଭାରତ ଟେଷ୍ଟ ଶୃଙ୍ଖଳା ଖେଳାଯାଉଛି। ଆସେସ୍ ଶୃଙ୍ଖଳା ମଧ୍ୟ ଚାଲିଛି। ଓଡ଼ିଶା ସରକାର ଜନ ସମାବେଶ ଉପରେ କଟକଣା ଲଗାଇଛନ୍ତି। ତେଣୁ ବିନା ଦର୍ଶକରେ ବାରବାଟୀରେ ଟ୍ବେଣ୍ଟି୨୦ ମ୍ୟାଚ୍‌ ଆୟୋଜନରେ ଅସୁବିଧା ହେବନାହିଁ। କରୋନା ସଂକ୍ରମଣ ସମୟରେ ମଧ୍ୟ ଭାରତରେ କ୍ରିକେଟ୍‌ ମ୍ୟାଚ୍‌ ଖେଳାଯିବାର ନଜିର ରହିଛି। ତେଣୁ ଦର୍ଶକଙ୍କ ଉପସ୍ଥିତି ବିନା ବାରବାଟୀ ଷ୍ଟାଡିୟମ୍‌ରେ ଭାରତ-ଇଣ୍ଡିଜ୍‌ ଟ୍ବେଣ୍ଟି୨୦ ମ୍ୟାଚ୍‌ ଖେଳାଯିବା ସମ୍ଭାବନା ଅଧିକ। କାରଣ ମ୍ୟାଚ୍‌ କଠୋର ଜୈବ ନିରାପତ୍ତା ବଳୟ ମଧ୍ୟରେ ଖେଳାଗଲେ ଖେଳାଳି, ମ୍ୟାଚ୍‌ ଅଧିକାରୀ, ସେବା ପ୍ରଦାନକାରୀ ଓ ଆୟୋଜକଙ୍କ ସ୍ବାସ୍ଥ୍ୟ ପ୍ରତି ସେପରି ବିପଦ ସୃଷ୍ଟି ହେବନାହିଁ। ଭାରତ-ଇଣ୍ଡିଜ୍ ଟ୍ବେଣ୍ଟି୨୦ର ପ୍ରସ୍ତୁତି ଓସିଏ ଜୋର୍‌ସୋରରେ ଚଳାଇଛି। ବିଶେଷକରି ପଡ଼ିଆକୁ ନୂତନ ଭାବେ ପ୍ରସ୍ତୁତ କରାଯାଇଛି। ବାଲି ବିଛାଇ ପସ୍ତୁତ କରା ଯାଇଥିବା ଷ୍ଟାଡିୟମ୍‌ର ଆଉଟ୍‌ଫିଲ୍‌ଡରେ ପାଣି ଜଲ୍‌ଦି ଶୁଖି ଯାଇଥାଏ। ଫଳରେ ବର୍ଷା ଛାଡ଼ିବାର କିଛି ସମୟ ପରେ ମ୍ୟାଚ୍‌ ଆରମ୍ଭ ହୋଇପାରିବ। ଏପରି ପଡ଼ିଆ ବିଦେଶ​‌େ​‌ର ଦେଖାଯାଏ। ଏହା ସହ ନୂଆ ଫ୍ଲଡ୍‌ଲାଇଟ୍‌ ଲଗାଯାଉଛି। ପୁଣି ୬ ଓ ୭ନଂ ଗ୍ୟାଲେରୀର ମରାମତି କାମ ଜୋର୍‌ସୋରରେ ଚାଲିଛି। ଓସିଏର ସମ୍ପାଦକ ସଞ୍ଜୟ ବେହେରା ଫେବୃଆରୀ ୧୫ରେ ବାରବାଟୀ ଷ୍ଟାଡିୟମ୍‌ରେ ଭାରତ-ୱେଷ୍ଟଇଣ୍ଡିଜ୍‌ ଟ୍ବେଣ୍ଟି୨୦ ମ୍ୟାଚ୍‌ ଖେଳାଯିବା ନେଇ ଦୃଢ଼ ଆଶାବାଦୀ ଅଛନ୍ତି। ସଞ୍ଜୟ ଆମକୁ କହିଛନ୍ତି, ଓଡ଼ିଶା ସରକାର ଓ ବିସିସିଆଇ ପକ୍ଷରୁ କରୋନା ସମୟରେ ମ୍ୟାଚ୍‌ ଆୟୋଜନ ପାଇଁ ଯାହାସବୁ ନିୟମାବଳୀ ଓ ଆଚାର ସଂହିତା ରଖିବେ; ଆମେ ଏହାକୁ କଡ଼ାକଡ଼ି ପାଳନ କରିବୁ। ଓସିଏ ପୂର୍ବରୁ ସଫଳତାର ସହ ବହୁତ ଆନ୍ତର୍ଜାତିକ କ୍ରିକେଟ୍‌ ମ୍ୟାଚ୍‌ ଆୟୋଜନ କରିସାରିଛି। ତେଣୁ କରୋନା ନିୟମାବଳୀ ମାନି ମ୍ୟାଚ୍‌ ଆୟୋଜନ ପାଇଁ ଆମେ ପ୍ରସ୍ତୁତ। ଆମ ପାଇଁ ଜନ ସାଧାରଣଙ୍କ ନିରାପତ୍ତା ପ୍ରାଥମିକତା। ତେଣୁ ଯଦି ରାଜ୍ୟ ସରକାର ଆମକୁ ବିନା ଦର୍ଶକରେ ଏହି ମ୍ୟାଚ୍‌ ଆୟୋଜନ ପାଇଁ ପରାମର୍ଶ ଦିଅନ୍ତି; ଆମେ ଏହା ମଧ୍ୟ ମାନିବାକୁ ପ୍ରସ୍ତୁତ। କାରଣ କରୋନା ସମୟରେ ବିନା ଦର୍ଶକରେ କ୍ରିକେଟ୍‌ ମ୍ୟାଚ୍‌ ଖେଳାଯିବା ନୂଆ କଥା ନୁହେଁ।

Breaking News