Report Card Odisha

| Daily Odia News

ରାକେଶ୍ୱରଙ୍କୁ ମୁକ୍ତ ପରେ ପତ୍ନୀ କହିଲେ ମୋ ଜୀବନର ସବୁଠାରୁ ଖୁସି ମୁହୂର୍ତ୍ତ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଛତିଶଗଡରେ ନକ୍ସଲଙ୍କ ଦ୍ୱାରା ଅପହୃତ ହୋଇଥିବା କୋବ୍ରା କମାଣ୍ଡୋ ରାକେଶ୍ୱର ସିଂ ମାନହାସଙ୍କୁ ଗୁରୁବାର ମୁକ୍ତ କରାଯିବା ପରେ ତାଙ୍କ ପତ୍ନୀ ମିନୁ ଅତ୍ୟନ୍ତ ଭାବବିହ୍ୱଳ ହୋଇ କହିଛନ୍ତି କି ସ୍ୱାମୀଙ୍କୁ ମୁକ୍ତ କରାଯିବା ତାଙ୍କ ପାଇଁ ଜୀବନର ସବୁଠାରୁ ଖୁସି ମୁହୂର୍ତ୍ତ। ନକ୍ସଲମାନେ ତାଙ୍କୁ ମୁକ୍ତ କରିବାକୁ ଛତିଶଗଡ ସରକାର ଏବଂ ମଧ୍ୟସ୍ଥଙ୍କ ପକ୍ଷରୁ ଉଦ୍ୟମ ଚାଲିଥିବାବେଳେ ମାନହାସଙ୍କ ପରିବାର ସାରା ଦିନ ଉତ୍କଣ୍ଠା ମଧ୍ୟରେ ରହିଥିଲେ। ଶେଷରେ ମାନହାସ ମୁକ୍ତ ହେବାପରେ ପରିବାର ଖୁସିରେ ଫାଟିପଡିଥିଲେ। ମାନହାସ ଏକ ଆମ୍ବୁଲାନ୍ସ ମଧ୍ୟରୁ ଓହ୍ଲାଉଥିବାର ଭିଡିଓ ଦେଖିବାପରେ ତାଙ୍କ ପରିବାର ଓ ସଂପର୍କୀୟଙ୍କ ଆଖିରେ ଲୁହ ଭରିଯାଇଥିଲା। ମାନହାସଙ୍କୁ ମୁକ୍ତ କରିବାକୁ ଏକ ଭିଡିଓ ବାର୍ତ୍ତାରେ ଆକୁଳ ନିବେଦନ କରିଥିବା ତାଙ୍କର ୫ବର୍ଷର ଝିଅ ମୋବାଇଲରେ ବାପାଙ୍କ ଫଟୋକୁ ଚୁମ୍ବନ ଦେଉଥିବା ଦେଖିବାକୁ ମିଳିଥିଲା। ମାନହାସଙ୍କ ପତ୍ନୀ ମିନୁ କହିଥିଲେ, ସ୍ୱାମୀଙ୍କ ମୁକ୍ତି ନେଇ ସେ ଆଶାବାଦୀ ଥିଲେ। ସେଥିପାଇଁ ସେ କେନ୍ଦ୍ର ସରକାର, ଛତିଶଗଡ ସରକାର ଏବଂ ଅନ୍ୟ ଯେଉଁମାନେ ଏଥିପାଇଁ ଉଦ୍ୟମ କରିଛନ୍ତି, ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି। ସୂଚନାଯୋଗ୍ୟ ଯେ ମାନହାସଙ୍କ ଘର ଜାମ୍ମୁ କାଶ୍ମୀରର ଜାମ୍ମୁ-ଅଖନୁର ରାସ୍ତାର ବୁର୍ନାଇଠାରେ ଅବସ୍ଥିତ।

Breaking News