ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଦେଶରେ କରୋନା ମହାମାରୀର ଭୟଙ୍କର ରୂପଧାରଣ କରିଛି । ମହାରାଷ୍ଟ୍ର ଦିଲ୍ଲୀ ସମେତ ଆଉ କେତେକ ରାଜ୍ୟରେ କରୋନା ସଂକ୍ରମଣ ସଂଖ୍ୟା ଅଧିକ ରହିଛି | ଅନେକ ରାଜ୍ୟରେ ଅକ୍ସିଜେନର ଅଭାବ ଦେଖାଦେଇଛି। ଏଭଳି ସ୍ଥିତିକୁ ଦୃଷ୍ଟିରେ ରଖି ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କରୋନାରେ ସର୍ବାଧିକ ପ୍ରଭାବିତ ହୋଇଥିବା ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହ ଶୁକ୍ରବାର ବୈଠକ କରିଛନ୍ତି । ଏହି ବୈଠକରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରୀୱାଲ ମଧ୍ୟ ସାମିଲ ଅଛନ୍ତି। ବୈଠକରେ କେଜରୀୱାଲ ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି ଯେ, ଆପଣ ରାଜ୍ୟଗୁଡ଼ିକୁ କୁହନ୍ତୁ ସେମାନେ ଅକ୍ସିଜେନ୍ ଟ୍ରକ୍ଗୁଡ଼ିକୁ ଅଟକାଇବେ ନାହିଁ। ସେ ପୁନଶ୍ଚ କହିଛନ୍ତି, ସାର୍ ଯଦି ଆପଣ କହିବେ ତାହେଲେ ସେମାନେ ଅକ୍ସିଜେନ୍ ଯୋଗାଣ ବନ୍ଦ କରିବେ ନାହିଁ। ମୁଖମନ୍ତ୍ରୀ କେଜରୀୱାଲ କହିଛନ୍ତି ଯେ, ଆମେ ଏମିତି ଲୋକଙ୍କ ମରିବା ପାଇଁ ଛାଡ଼ିପାରିବୁ ନାହିଁ। ଯଦି କଠୋର ପଦକ୍ଷେପ ନିଆ ନ ଯାଏ, ତାହେଲେ ଦିଲ୍ଲୀ ଅବସ୍ଥା ଶୋଚନୀୟ ହୋଇଯିବ। କେଜରୀୱାଲଙ୍କ କହିବାନୁଯାୟୀ, ୪୮୦ ଟନରୁ କେବଳ ୩୮୦ ଟନ୍ ଅକ୍ସିଜେନ୍ ବର୍ତ୍ତମାନ ସୁଦ୍ଧା ଦିଲ୍ଲୀରେ ପହଞ୍ଚିଛି। ଦିଲ୍ଲୀ ଅବସ୍ଥା ବହୁତ ଖରାପ। ଅନ୍ୟ ରାଜ୍ୟଗୁଡ଼ିକ ଅକ୍ସିଜେନ୍ ଟ୍ରକକୁ ଦିଲ୍ଲୀ ଆସିବା ବେଳେ ଅଟକାଉଛନ୍ତି। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ମୋଦୀଙ୍କୁ ନିବେଦନ କରିଛନ୍ତି ଯେ, ଅକ୍ସିଜେନ୍ ଟ୍ରକ୍ଗୁଡ଼ିକୁ ସେନାଙ୍କ ତତ୍ତ୍ୱାବଧାନରେ ଆସୁ ଏବଂ ପ୍ଲାଣ୍ଟରେ ମଧ୍ୟ ସେନା ନିୟୋଜିତ କରାଯାଉ। ସେ ପ୍ରଶ୍ନ କରିଛନ୍ତି ଯେ, କ’ଣ ଦିଲ୍ଲୀର ୨ କୋଟି ଲୋକଙ୍କୁ ଅକ୍ସିଜେନ୍ ମିଳିବନାହିଁ? ଏହାସହିତ ସେ କହିଛନ୍ତି, ଦିଲ୍ଲୀର ହସ୍ପିଟାଲଗୁଡ଼ିକରେ ଯଥାଶୀଘ୍ର ଅକ୍ସିଜେନ୍ ଯୋଗାଣର ଆବଶ୍ୟକତା ଅଛି। ଏଭଳି ପରିସ୍ଥିତିରେ ବଙ୍ଗଳା ଏବଂ ଓଡ଼ିଶାରୁ ଆସୁଥିବା ଅକ୍ସିଜେନକୁ ବିମାନରେ ଆଣିବା ବ୍ୟବସ୍ଥା କରନ୍ତୁ, ଯଦ୍ୱାରା ଯଥାଶୀଘ୍ର ଆମେ ବହୁ ପରିମାଣର ଷ୍ଟକ୍ ପାଇପାରିବୁ। କେଜରୀୱାଲ ଏହା ମଧ୍ୟ କହିଛନ୍ତି ଯେ, କରୋନା ଲଢେଇ ପାଇଁ ଦେଶବ୍ୟାପୀ ଏକ ଆକ୍ସନ ପ୍ଲାନ୍ ପ୍ରସ୍ତୁତ କରିବା ଆବଶ୍ୟକ। ଯେପର୍ଯ୍ୟନ୍ତ ଏପରି କରା ନ ଯାଇ ସେପର୍ଯ୍ୟନ୍ତ ଆମ ଲଢେଇ ଅସମ୍ପୂର୍ଣ୍ଣ ରହିବ।






More Stories
ପୁରୀରୁ TMC ବିଧାୟକ ଗିରଫ…..
ଇରାନ ଉପରେ ଆମେରିକାର ଆକ୍ରମଣ……
୧୮ରେ ରାଜ୍ୟସଭା ଉପନିର୍ବାଚନ…..