Report Card Odisha

| Daily Odia News

ନିର୍ବାଚନୀ ରାଲିରେ କରୋନା ଏସଓପି ପାଳନ ହେଉନାହିଁ କାହିଁକି ନିର୍ବାଚନ ଆୟୋଗଙ୍କୁ ପ୍ରଶ୍ନ କଲେ ହାଇକୋର୍ଟ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଦେଶରେ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି। ଏହା ମଧ୍ୟରେ ନିର୍ବାଚନୀ ରାଲିରେ ରାଜନୈତିକ ଦଳର ନେତାମାନେ କରୋନା ଗାଇଡଲାଇନ ଉଲଙ୍ଘନ ମାମଲା ସାମ୍ନାକୁ ଆସିଛି। ଏହି ମାମଲାକୁ ଆଧାର କରି ଦିଲ୍ଲୀ ହାଇକୋର୍ଟରେ ପିଟିସନ ଦାଏର କରାଯାଇଛି। ହାଇକୋର୍ଟ ଶୁଣାଣି କରି କେନ୍ଦ୍ର ଗୃହ ମନ୍ତ୍ରାଳୟ ଓ ନିର୍ବାଚନ ଆୟୋଗକୁ ନୋଟିସ ଜାରି ଜବାବ ମାଗିଛନ୍ତି। ଦିଲ୍ଲୀ ହାଇକୋର୍ଟ କେନ୍ଦ୍ର ଗୃହ ମନ୍ତ୍ରାଳୟ ଓ କେନ୍ଦ୍ର ନିର୍ବାଚନ ଆୟୋଗକୁ ନୋଟିସ ଜାରି କରି ଏପ୍ରିଲ ୩୦ ସୁଦ୍ଧା ଜବାବ ଦେବାକୁ କହିଛନ୍ତି। ଦିଲ୍ଲୀ ହାଇକୋର୍ଟରେ ଦାଏର ଆବେଦନରେ କୁହାଯାଇଛି ଯେ କେନ୍ଦ୍ର ସରକାର କରୋନା ଭାଇରସ ସଂକ୍ରମଣ ରୋକିବାକୁ ଏସଓପି ଜାରି କରିଛନ୍ତି। କିନ୍ତୁ ରାଜନୈତିକ ଦଳ ନେତା ନିର୍ବାଚନୀ ରାଲି ସମୟରେ ଏସଓପି ପାଳନ କରିନାହାନ୍ତି। ଆବେଦନରେ ଦାବି କରାଯାଇଛି ଯେ କେନ୍ଦ୍ର ନିର୍ବାଚନ ଆୟୋଗକୁ ନିର୍ଦ୍ଦେଶ ଦିଆଯାଉ ଯେ କେନ୍ଦ୍ର ଦ୍ୱାରା ଜାରି ନିର୍ଦ୍ଦେଶ କଡାକଡି ଭାବେ ପାଳନ କରାଯାଉ। ମାର୍ଚ୍ଚ ୧୭ ତାରିଖରେ ଉତ୍ତର ପ୍ରଦେଶ ଡିଜିପି ଓ ଥିଙ୍କ ଟ୍ୟାଙ୍କ ସିଏଏସସି ଚେୟାରମ୍ୟାନ ବିକ୍ରମ ସିଂହ ହାଇକୋର୍ଟରେ ପିଟିସନ ଦାଏର କରିଥିଲେ। କୋର୍ଟ ୨୨ ତାରିଖରେ ଶୁଣାଣି କରି ନୋଟିସ ଜାରି କରି କେନ୍ଦ୍ର ଗୃହ ମନ୍ତ୍ରାଳୟ ଓ ନିର୍ବାଚନ ଆୟୋଗକୁ ଏପ୍ରିଲ ୩୦ ସୁଦ୍ଧା ଜବାବ ଦେବାକୁ ଆଦେଶ ଦେଇଥିଲେ। କାହିଁକି ଦାଏର ହୋଇଥିଲା ଏହି ପିଟିସନ ? ଏହି ପିଟିସନ ସେହି ଆବେଦନ ସହ ଦାଏର କରାଯାଇଥିଲା ଯେଉଁଥିରେ କୁହାଯାଇଥିଲା ଯେ ଗୋଟିଏ ପଟେ ସାଧାରଣ ଜନତାଙ୍କୁ ମାସ୍କ ନ ପିନ୍ଧିବରୁ ଜରିମାନା ଆଦାୟ କରାଯାଉଛି ଓ ଅପରପକ୍ଷରେ ରାଜନୈତିକ ଦଳର ରାଜନେତା ଖୋଲାଖୋଲି ମାସ୍କ ବିନା ରାଲି କରୁଛନ୍ତି, ପ୍ରଚାର ପ୍ରସାର କରୁଛନ୍ତି। ଏପରିକି ରାଜନୈତିକ ଦଳଗୁଡିକର ରାଲିରେ ମଧ୍ୟ କୌଣସି ନିୟମ ପାଳନ କରାଯାଉ ନଥିବା ନେଇ ଅଭିଯୋଗ ।

Breaking News