Report Card Odisha

| Daily Odia News

ଭାରତର ନୂଆ ଆଇଟି ନିୟମ ପାଳନ ପାଇଁ ଟ୍ବିଟରକୁ ଦିଲ୍ଲୀ ହାଇକୋର୍ଟଙ୍କ ନିର୍ଦ୍ଦେଶ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଟ୍ବିଟରକୁ ଭାରତ ସରକାରଙ୍କ ନୂତନ ସୂଚନା ଓ ପ୍ରଯୁକ୍ତିବିଦ୍ୟା ନିୟମ ପାଳନ କରିବାକୁ ପଡ଼ିବ ବୋଲି ଦିଲ୍ଲୀ ହାଇକୋର୍ଟ ସୋମବାର ଏହି ନିର୍ଦ୍ଦେଶ ଦେଇଛନ୍ତି। ନୂଆ ନିୟମ ଉପରେ ରୋକ୍‌ ଲଗାଇବାକୁ ଅନୁରୋଧ କରିଥିବା ଟ୍ବିଟରକୁ କୋର୍ଟ କହିଛନ୍ତି, ଯଦି ନିୟମ ଉପରେ ରୋକ୍‌ ଲଗା ନ ଯାଏ, ତେବେ କମ୍ପାନୀକୁ ଏହାକୁ ପାଳନ କରିବାକୁ ହେବ। ଅନ୍ୟପଟେ ଟ୍ବିଟର ପକ୍ଷରୁ ଦିଲ୍ଲୀ ହାଇକୋର୍ଟରେ କୁହାଯାଇଛି ଯେ, ସେ ନୂତନ ଆଇଟି ନିୟମ (ମଧ୍ୟବର୍ତ୍ତୀ ନିର୍ଦେଶାବଳୀ ଏବଂ ଡିଜିଟାଲ ମିଡିଆ ଆଚାର ସଂହିତା) ୨୦୨୧ର ଅନୁପାଳନ କରିନେଇଛି। ଗତ ମେ ୨୮ ତାରିଖରୁ କମ୍ପାନୀ ନୂଆ ଅଭିଯୋଗ ନିବାରଣ ଅଧିକାରୀ ନିଯୁକ୍ତ କରିଦେଇଛି। ତେବେ କାହାକୁ ଅଧିକାରୀ ଭାବେ ନିଯୁକ୍ତ କରାଯାଇଛି ସେ ନେଇ ଟ୍ବିଟର ପକ୍ଷରୁ କୌଣସି ସୂଚନା ଦିଆଯାଇ ନାହିଁ। କୋର୍ଟ କହିଛନ୍ତି ଯେ, ଯଦି ଡିଜିଟାଲ ମିଡିଆ ସମ୍ପର୍କିତ ନୂଆ ଆଇଟି ନିୟମ ଉପରେ ରୋକ୍‌ ଲଗାଯାଏ ନାହିଁ, ତେବେ ଟ୍ବିଟରକୁ ଏହାର ପାଳନ କରିବାକୁ ହେବ। ବିଚାରପତି ରେଖା ପଲ୍ଲୀ ଏହି ମନ୍ତବ୍ୟ ଦେବା ସହିତ ଆଡ୍‌ଭୋକେଟ ଅମିତ ଆଚାର୍ଯ୍ୟଙ୍କ ପିଟିଶନ ଉପରେ କେନ୍ଦ୍ର ଏବଂ ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ବିଟରକୁ ନୋଟିସ ଜାରି କରି ନିଜ ପକ୍ଷ ରଖିବାକୁ ନିର୍ଦେଶ ଦେଇଛନ୍ତି। ଅମିତ ଆଚାର୍ଯ୍ୟ ନିଜ ପିଟିଶନରେ ଦାବି କରିଛନ୍ତି ଯେ, ଟ୍ବିଟର ନିୟମ ପାଳନ କରିନାହିଁ। ମାତ୍ର ଟ୍ବିଟର କୋର୍ଟଙ୍କ ସାମ୍ନାରେ ଦାବି କରୁଛି ଯେ ନିୟମ ପାଳନ କରିଛି ଏବଂ ଅଭିଯୋଗ ନିବାରଣ ଅଧିକାରୀଙ୍କୁ ନିଯୁକ୍ତି ଦେଇଛି। କେନ୍ଦ୍ର ସରକାର ବି ଏହି ଦାବିକୁ ଖଣ୍ଡନ କରିଛନ୍ତି। କୋର୍ଟ କହିଛନ୍ତି ଯଦି ନୂଆ ନିୟମ ଉପରେ ରୋକ୍‌ ଲଗା ନ ଯାଏ, ତେବେ ଟ୍ବିଟରକୁ ଏହାକୁ ପାଳନ କରିବାକୁ ହେବ।

Breaking News