Report Card Odisha

| Daily Odia News

ଯବାନଙ୍କ ମନୋବଳ ବଢ଼ାଇଲେ ଡିଜିପି…..

ରିପୋର୍ଟ କାର୍ଡ / ନୂଆପଡ଼ା

ଓଡ଼ିଶା ଛତିଶଗଡ଼଼ ସୀମାରେ ଗତ ୧୯ ରାତିରୁ ଚାଲିଥିବା ନକ୍ସଲ ଦମନ ଅପରେସନ୍‌ ପରେ ନୂଆପଡ଼ା ଓ ଭବାନୀପାଟଣାରେ ପୋଲିସ ମହାନିର୍ଦ୍ଦେଶକ ୱାଇବି ଖୁରାନିଆ ପହଞ୍ଚି ସ୍ଥିତି ସମୀକ୍ଷା କରିଛନ୍ତି। ନୂଆପଡ଼ା ଜିଲ୍ଲା ପୋଲିସ ମୁଖ୍ୟାଳୟକୁ ଯାଇ ଅପରେସନରେ ସାମିଲ ଏସଓଜି ଯବାନ ମାନଙ୍କ ବିଷୟରେ ବୁଝିବା ସହ ଆହତ ଏସଓଜି ଯବାନ ଓ କୋବ୍ରା ଯବାନଙ୍କ ସହ ଭିଡିଓ କଲ୍‌ରେ କଥା ହୋଇ ସେମାନଙ୍କ ମନୋବଳ ବଢ଼ାଇଛନ୍ତି। ନକ୍ସଲ ବିରୋଧୀ ଅଭିଯାନ ପାଇଁ ନୂଆପଡ଼ା ଆରକ୍ଷୀ ଅଧୀକ୍ଷକ ଗୁଣ୍ଡାଲା ରେଡ୍ଡୀ ରାଘବେନ୍ଦ୍ର ଓଡ଼ିଶାର ଏସଓଜି ଯବାନ, ଛତିଶଗଡ଼଼ ପୁଲିସର ଯବାନ କୋବ୍ରା ବାହିନୀଙ୍କୁ ଅଭିନନ୍ଦନ ଜ୍ଞାପନ ପୂର୍ବକ ପ୍ରଶଂସା କରିଥିଲେ। ନକ୍ସଲ ବିରୋଧୀ ଅଭିଯାନରେ ମାଓବାଦୀ କମିଟି ସଭ୍ୟ ଚଲପତି ସମେତ ଅଞ୍ଜୁ, ଗୁଡ୍ଡୁ ଜୟରାମ ପରି ଅନେକ ମାଓନେତାଙ୍କ ମୃତ୍ୟୁ ହୋଇଛି। ପ୍ରଥମ ଥର ମିଳିତ ଅଭିଯାନରେ ଏହା ସମ୍ଭବ ହୋଇଥିବା କହିଥିଲେ । ତଥ୍ୟ ଅନୁଯାୟୀ ୧୬ ମାଓବାଦୀଙ୍କ ଶବ ଏସଓଜି ଯବାନ ମେନପୁର ଥାନାକୁ ହସ୍ତାନ୍ତର କରିଛନ୍ତି। ମୃତ୍ୟୁସଂଖ୍ୟା ବଢ଼ିପାରେ ବୋଲି କହିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯବାନ ମାନଙ୍କୁ ଅଭିନନ୍ଦନ ଜଣାଇବା ସହ ଯବାନଙ୍କ ଆପଦକାଳୀନ ପ୍ରୋତ୍ସାହନ ରାଶି ୮ହଜାରରୁ ୨୫ ହଜାର ଟଙ୍କାକୁ ବଢାଇଥିବା ସୂଚନା ଦେଇଥିଲେ। କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ୨୦୨୬ ସୁଦ୍ଧା ଦେଶରୁ ମାଓବାଦୀଙ୍କ ମୂଳୋତ୍ପାଟନ ଲକ୍ଷ୍ୟ ରଖିଛନ୍ତି। ସେ ଦିଗରେ ଏହା ହେଉଛି ପ୍ରଥମ ପାହାଚ ବୋଲି ପୋଲିସ ମହାନିର୍ଦ୍ଦେଶକ କହିଥିଲେ । ଏବେ ବି ଉକ୍ତ ସ୍ଥାନରେ ସର୍ଚ୍ଚ ଅପରେସନ ଜାରି ରହିଛି। ସେହିପରି ଶ୍ରୀ ଖୁରାନିଆ ଭବାନୀପାଟଣା ଗସ୍ତ ସମୟରେ ସିଆରପିଏଫ ଶିବିର ପରିଦର୍ଶନ କରିବା ସହ ଜିଲ୍ଲା ପୋଲିସ କାର୍ଯ୍ୟାଳୟରେ ମାଓଦମନ ଅଭିଯାନର ସମୀକ୍ଷା କରିଥିଲେ। ସୂଚନା ଅନୁସାରେ, ସେଠାରେ ବୁଧବାର ସନ୍ଧ୍ୟା ସୁଦ୍ଧା ୩୦ ଜଣ ମାଓବାଦୀଙ୍କ ଶବ ମିଳିଛି। କିଛି ମାଓବାଦୀଙ୍କ ଶବ ନିକଟସ୍ଥ ଗ୍ରାମବାସୀ ନେଇ ଯାଇଥିବା ଜଣାପଡ଼ିଛି। ମାଓ ବିରୋଧୀ ଅଭିଯାନରେ ୪୦ରୁ ୫୦ ମାଓବାଦୀଙ୍କ ମୃତ୍ୟୁ ଆଶଙ୍କା କରାଯାଉଛି । ଜଣେ ଅଧିକାରୀ ନିଜ ନାମ ଗୋପନ ରଖି ଜଣାଇଛନ୍ତି ଯେ, ମୃତ ମାଓନେତାଙ୍କୁ ଦେଖିଲେ ସେଠାରେ ଅତି କମରେ ୫୦ରୁ ୬୦ ମାଓବାଦୀ ରହି ଥାଇପାରନ୍ତି । କେବଳ ଚଲପତିଙ୍କ ସୁରକ୍ଷାରେ ୩୦ରୁ ୪୦ ମାଓବାଦୀ ରୁହନ୍ତି। ମୃତ ମହିଳା ମାଓବାଦୀ ଅଞ୍ଜୁଙ୍କ ମଧ୍ୟ ଅନ୍ୟୁନ ୧୦ ଜଣ ସୁରକ୍ଷାକର୍ମୀ ରହଥାନ୍ତି । ଏପରି ସ୍ଥିତିରେ ମୃତ୍ୟୁୁ ସଂଖ୍ୟା ବଢ଼ିପାରେ ବୋଲି ଆକଳନ କରାଯାଉଛି।

Breaking News