ରିପୋର୍ଟ କାର୍ଡ / ଭୁବନେଶ୍ୱର
ପ୍ରାୟ ୪୦ ମିନିଟ ଲୁଟେରାଙ୍କ ସହ ଛକାପଞ୍ଝା ପରେ ଧରିଲା ପୋଲିସ। ଚେଷ୍ଟା ପରେ ୩ ଜଣଙ୍କୁ କାବୁ ସହ କୋଟିଏରୁ ଅଧିକ ଟଙ୍କା ବି ଉଦ୍ଧାର କଲା। ଆଜି କଟକ ଆଠଗଡ଼ରୁ ତିଗିରିଆ ଯାଉଥିବା ଏକ ଏଟିଏମ୍ ଟଙ୍କା ବୋଝେଇ ସିଏମ୍ଏସ୍ ଭ୍ୟାନକୁ ୪ ଡକାୟତ ହାଇଜାକ୍ କରି ନେବା ପରେ ଟଙ୍କା ବାକ୍ସ ଧରି ଅନ୍ୟ ଏକ ଗାଡ଼ିରେ ଫେରାର ମାରୁଥିଲେ । ହେଲେ ଖବର ପାଇ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେଇଥିଲା ପୋଲିସ। ଢେଙ୍କାନାଳ ସଦର ଥାନା ପୋଲିସର ଏକ ଟିମ୍ ଲୁଟେରାଙ୍କ ଗାଡ଼ିକୁ ପିଛା କରି ସେମାନଙ୍କ ମଧ୍ୟରୁ ୩ ଜଣଙ୍କୁ ଧରିବା ସହ ଟଙ୍କା, ବନ୍ଧୁକ ଓ ଅନ୍ୟ ମାରଣାସ୍ତ୍ର ଉଦ୍ଧାର କରିବାରେ ସଫଳ ହୋଇଛି। ସେପଟେ ଏ ଘଟଣାରେ ପାଇଁ କଟକ ଓ ଢେଙ୍କାନାଳ ଜିଲ୍ଲା ପୋଲିସକୁ ସାବାସି ଦେଇଛନ୍ତି ଡିଜିପି। ବିଲ ଗହୀର ଭିତରେ ରହିଥିଲେ ମାଳ ମାଳ ପୋଲିସ। ଗୋଟେ ପଟେ ଲୁଟେରାକୁ ଜେରା, ଅନ୍ୟପଟେ ଗଣା ଚାଲିଥିଲା ବିଡ଼ା ବିଡ଼ା ଟଙ୍କା। ପୂରା ଫିଲ୍ମ ସୁଟିଂ ବେଳର ରିଲ ଭଳି ଲାଗୁଥିଲା ପୂରା ଦୃଶ୍ୟ। କଟକ ଆଠଗଡ଼ରୁ ଅନୁଗୁଳ ଅଭିମୁଖେ ଯାଉଥିଲା ସିଏମ୍ଏସର ଏଟିଏମ୍ ଟଙ୍କା ବୋଝେଇ ଭ୍ୟାନ୍। ଦିନ ପ୍ରାୟ ଗୋଟାଏ ହେବ। ଖୁଣ୍ଟାକଣ୍ଟା ନିକଟରେ ହଠାତ ଏକ ଡିଜାୟାର ଗାଡ଼ିରେ ଆସି ଭ୍ୟାନକୁ ଅଟକାଇଥିଲେ ୪ରୁ ୫ ଜଣ ମୁଖାପିନ୍ଧା ଲୁଟେରା । ସିଏମ୍ଏସ ଭ୍ୟାନର ଡ୍ରାଇଭର, ସିକ୍ୟୁରିଟି ଓ ଅନ୍ୟ ଦୁଇ କର୍ମଚାରୀ। କିଛି ବୁଝିବା ପୂର୍ବରୁ ସେମାନଙ୍କ ମୁଣ୍ଡରେ ବନ୍ଧୁକ ଓ ଖଣ୍ଡା ଲଗାଇଥିଲେ ଲୁଟେରା। ଲୁଟେରା ଦଳ ଜଣେ ସିକ୍ୟୁରିଟି ଗାର୍ଡଙ୍କୁ ଗୁରୁତର ଆହତ କରି ପରେ ଟଙ୍କା ଭର୍ତ୍ତି ଭ୍ୟାନକୁ ହାଇଜାକ୍ କରିନେଇଥିଲେ।
Discussion about this post