Report Card Odisha

| Daily Odia News

ଶ୍ରୀମନ୍ଦିର ଉପରେ ଉଡ଼ିଲା ଡ୍ରୋନ୍…..

ରିପୋର୍ଟ କାର୍ଡ / ପୁରୀ

ପୁଣି ଶ୍ରୀମନ୍ଦିର ଉପରେ ଉଡ଼ିଲା ଡ୍ରୋନ୍। ଭକ୍ତଙ୍କ ସାମ୍ନାରେ ଶ୍ରୀମନ୍ଦିରର ଖୁବ୍ ନିକଟରେ ଡ୍ରୋନ୍ ସହାୟତାରେ ଭିଡିଓ ଶୁଟ୍ କରାଯାଇଛି। ନୋ ଫ୍ଲାଇଂ ଜୋନ୍ ସତ୍ତ୍ୱେ ଅଧ ଘଣ୍ଟା ଧରି ଶ୍ରୀମନ୍ଦିର ପରିସର ଓ ଆଖପାଖରେ ଏକ ଡ୍ରୋନ ଘୂରି ବୁଲିବା ପରେ ବି ପୋଲିସ କି ପ୍ରଶାସନ କେହି ଜାଣିପାରିଲେ ନାହିଁ | କି ଯାଏଁ ଅଭିଯୁକ୍ତଙ୍କୁ ଧରିପାରି ନାହିଁ ପୋଲିସ । ବାରମ୍ବାର ଏଭଳି ଘଟଣା ଘଟୁଥିବାରୁ ଶ୍ରୀମନ୍ଦିର ସୁରକ୍ଷାକୁ ନେଇ ଉଠିଛି ବଡ଼ ପ୍ରଶ୍ନ। ସମୟ ଭୋର୍ ପ୍ରାୟ ୪ଟା ୧୦ ମିନିଟ୍, ଶ୍ରୀମନ୍ଦିର ମୁଖ୍ୟ ଦ୍ୱାର ଖୋଲିବା ପୂର୍ବରୁ ବାହାରେ ଅପେକ୍ଷା କରିଥାନ୍ତି ଶ୍ରଦ୍ଧାଳୁ। ଆଉ ଠିକ୍ ଏହି ସମୟରେ ସିଂହଦ୍ୱାର ସମ୍ମୁଖ ଦୋଳମଣ୍ଡପ ସାହିରୁ ଉଡ଼ିଆସିଲା ଡ୍ରୋନ। ଶ୍ରୀମନ୍ଦିର ମେଘନାଦ ପାଚେରୀ, ଦଧିନଉତି, ନୀଳଚକ୍ର ସବୁଠି ଅଟକି ଅଟକି ଭିଡିଓ ଶୁଟ୍ କରିଥିଲା। ଏମିତିକି ବେଶ ତଳକୁ ଓହ୍ଲାଇ ବି ଭିଡିଓ ରେକର୍ଡ କରିଥିବା ଜଣାପଡ଼ିଛି। ଏସବୁକୁ ବାହାରେ ଥିବା ଶ୍ରଦ୍ଧାଳୁ ଦେଖିଥିଲେ ଓ ନିଜ ଫୋନରେ ରେକର୍ଡିଂ ବି କରିଥିଲେ। ହେଲେ ପୋଲିସ ନା ଶ୍ରୀମନ୍ଦିର ପ୍ରଶାସନର କୌଣସି ଅଧିକାରୀ ଏସମ୍ପର୍କରେ ଜାଣିପାରିଲେ ନାହିଁ | ଚର୍ଚ୍ଚାର ବିଷୟ କି ଶ୍ରୀମନ୍ଦିର ପରିସର ହେଉଛି ନୋ ଫ୍ଲାଇଂ ଜୋନ୍। ତଥାପି ସବୁ ନିୟମକୁ ଫୁ’ କରି ଉଡ଼ାଯାଉଛି ଡ୍ରୋନ୍। ଖାଲି ଡ୍ରୋନ୍ ନୁହେଁ, ରିତିମତ ମୋବାଇଲ୍ ବି ପ୍ରବେଶ କରୁଛି ଶ୍ରୀମନ୍ଦିରକୁ। ବେଫିକର୍ ଭାବେ ସୋସିଆଲ୍ ମିଡିଆରେ ଅପଲୋଡ୍ କରାଯାଉଛି ଫଟୋ ଆଉ ଭିଡିଓ। ହେଲେ ଏଭଳି ତ୍ରୁଟି ସବୁ କେମିତି ଘଟୁଛି? ଶ୍ରୀମନ୍ଦିର ସୁରକ୍ଷା ଦାୟିତ୍ୱରେ ଥିବା ପୁଲିସ୍ ଅଧିକାରୀ କରୁଛନ୍ତି କଣ? ପରିକ୍ରମା ପ୍ରକଳ୍ପ ନିର୍ମାଣ ହେବା ପରେ ଶ୍ରୀମନ୍ଦିର ଚାରିପଟେ ଥିବା ୱାଚ୍ ଟାୱାରକୁ ହଟାଇ ଦିଆଯାଇଛି, ତାହା ବି ଶ୍ରୀମନ୍ଦିର ପ୍ରତି ବିପଦ ବଢ଼ାଇଛି। ଏଥର ସିନା ଡ୍ରୋନ୍ ଉଡ଼ିବା ସମୟର ଭିଡିଓ ମିଳିଲା, ଅନେକ ସମୟରେ ଡ୍ରୋନ୍ ଉଡ଼ିବା ଘଟଣା ବି ଜଣାପଡ଼େନି। ଏପରି ସ୍ଥଳେ ପୁରୀ ଏସପି କହିଛନ୍ତି ତଦନ୍ତ ଚାଲିଛି, ଅଭିଯୁକ୍ତଙ୍କୁ ଧରାଯିବ। ଅପରପକ୍ଷେ, ଶ୍ରୀମନ୍ଦିର ଚାରିପାଖ ପୁଣିଥରେ ୱାଚ୍ ଟାୱାର ନିର୍ମାଣ କରି ସୁରକ୍ଷା କର୍ମୀ ମୁତୟନ କରିବାକୁ ଚିନ୍ତା କରାଯାଉଥିବା ଆଇନ ମନ୍ତ୍ରୀ ସୂଚନା ଦେଇଛନ୍ତି।

Breaking News