ରିପୋର୍ଟ କାର୍ଡ / ଭୁବନେଶ୍ବର
ରାଜ୍ୟରେ ଜାରି ରହିଥିବା ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ପାଇଁ ବିଭିନ୍ନ ଜିଲ୍ଲାରେ ବିଦ୍ୟାଳୟ ଛୁଟି ଘୋଷଣା କରାଯାଇଛି। ଆଗକୁ ତାତି ବଢିବା ଆଶଙ୍କାକୁ ଦୃଷ୍ଟିରେ ରଖି ଆଜିଠାରୁ ୧୨ ଜିଲ୍ଲାରେ ଶିକ୍ଷାନୁଷ୍ଠାନ ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଛି। ଅଧିକାଂଶ ଜିଲାରେ ୨୩ ତାରିଖ ପର୍ଯ୍ୟନ୍ତ ଶିକ୍ଷାନୁଷ୍ଠାନ ଗୁଡ଼ିକୁ ଛୁଟି କରାଯାଇଥିବାବେଳେ ଆଉ କିଛି ଜିଲ୍ଲାରେ ସାମୟିକ ଭାବେ ୨୧ ଓ ୨୨ ତାରିଖ ପର୍ଯ୍ୟନ୍ତ ସ୍କୁଲ ବନ୍ଦ ରହିବ। ସ୍ଥାନୀୟ ପରିସ୍ଥିତିକୁ ଦୃଷ୍ଟିରେ ରଖି ଜିଲ୍ଲାପାଳମାନେ ଏହି ନିଷ୍ପତ୍ତି ନେଇଛନ୍ତି। କେବଳ ବିଦ୍ୟାଳୟ ନୁହେଁ, ବହୁ ଜିଲ୍ଲାରେ ଅଙ୍ଗନବାଡ଼ି କେନ୍ଦ୍ର, ମହାବିଦ୍ୟାଳୟ, ବୈଷୟିକ ଶିକ୍ଷାନୁଷ୍ଠାନ ମଧ୍ୟ ବନ୍ଦ ରହିବ। ଛୁଟି ଅବଧିରେ ପରୀକ୍ଷା ଥିଲେ ତାହା ସକାଳୁଆ ହେବ। ଶନିବାର ସୁଦ୍ଧା ରାଜ୍ୟର ୯ ଜିଲ୍ଲା ଯଥା- ସମ୍ବଲପୁର, ନୂଆପଡ଼ା, ଝାରସୁଗୁଡ଼ା, ନବରଙ୍ଗପୁର, ମୟୂରଭଞ୍ଜ, ବୌଦ୍ଧ, ବଲାଙ୍ଗୀର, ସୁବର୍ଣ୍ଣପୁର ଓ କଳାହାଣ୍ଡିରେ ସ୍କୁଲ ଛୁଟି ସମ୍ପର୍କରେ ଘୋଷଣା କରାଯାଇଥିଲା। ରବିବାର ଖୋରଧା, ନୟାଗଡ଼ ଏବଂ ଦେବଗଡ଼ ଜିଲ୍ଲାରେ ଶିକ୍ଷାନୁଷ୍ଠାନ ଛୁଟି ସମ୍ପର୍କରେ ଘୋଷଣା ହୋଇଛି। ଖୋରଧା ଜିଲ୍ଲାରେ ୨୦ରୁ ୨୩ ତାରିଖ ପର୍ଯ୍ୟନ୍ତ ଶିଶୁ ବାଟିକାରୁ ଦ୍ବାଦଶ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢ଼ା ବନ୍ଦ ରହିବ। ସମସ୍ତ ସରକାରୀ, ଅନୁଦାନପ୍ରାପ୍ତ ଏବଂ ବେସରକାରୀ ବିଦ୍ୟାଳୟ ପାଇଁ ଏହି ନିର୍ଦେଶ ଜାରି ହୋଇଛି। ତେବେ ପଞ୍ଚମ ଏବଂ ଅଷ୍ଟମ ଶ୍ରେଣୀ ସପ୍ଲିମେଣ୍ଟାରୀ ପରୀକ୍ଷା ଜାରି ରହିବ। ସେହିପରି ନାମଲେଖା, ପ୍ରଶାସନିକ କାର୍ଯ୍ୟ, ଜନଗଣନା କାର୍ଯ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟକଳାପ ଚାଲୁ ରହିବ। ଶିକ୍ଷକ ଏବଂ ଅଣଶିକ୍ଷକ କର୍ମଚାରୀ ବିଦ୍ୟାଳୟ ଆସିବେ। ନୟାଗଡ଼ ଜିଲ୍ଲାରେ ୨୩ ପର୍ଯ୍ୟନ୍ତ ଶିକ୍ଷାନୁଷ୍ଠାନ ବନ୍ଦ ଘୋଷଣା ହୋଇଛି।






More Stories
ଆଜି ପବିତ୍ର ଅକ୍ଷୟ ତୃତୀୟା:ଅଖିମୁଠି ଅନୁକୂଳ କରିବ ଚାଷୀ, ରଥ କାଠ ଅନୁକୂଳ…..
ଯୋଜନା ବୋର୍ଡ ଏବେ ଇତିହାସ ହେବାକୁ ଯାଉଛି….
ସ୍କୁଲ ଛୁଟି ଘୋଷଣା !…..