Report Card Odisha

| Daily Odia News

ପାଞ୍ଚ ରାଜ୍ୟରେ ଭୋଟ ଗଣତି ଜାରି, ବଙ୍ଗରେ ଦିଦି ଆଗରେ….

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

କଡ଼ା ସୁରକ୍ଷା ମଧ୍ୟରେ ଆଜି ପାଞ୍ଚଟି ରାଜ୍ୟରେ ଭୋଟ ଗଣତି ଜାରିରହିଛି । ଆସିଯିବ ପାଞ୍ଚଟି ରାଜ୍ୟର ବିଧାନସଭା ନିର୍ବାଚନର ଫଳାଫଳ । ପଶ୍ଚିମବଙ୍ଗ, ତାମିଲନାଡୁ, କେରଳ, ପୁଡୁଚେରୀ ଓ ଆସାମ ପାଇଁ ୮ଟି ପର୍ଯ୍ୟାୟରେ ହୋଇଥିବା ମତଦାନର ଭୋଟ ଗଣତି ହେଉଛି । ଏକଜିଟ୍ ପୋଲର ଅନୁମାନ ଏକଜାକ୍ଟ ପୋଲରେ କେତେ ପ୍ରମାଣିତ ହେବ ତା’ ଉପରେ ରହିଛି ସମସ୍ତଙ୍କ ନଜର । ପଶ୍ଚିମବଙ୍ଗରେ ଦିଦି-ମୋଦି କାଣ୍ଟେ କି ଟକ୍କର ଅନୁମାନ କରାଯାଉଥିବା ବେଳେ ଆସାମ ପୁଡ଼ୁଚେରୀରେ ବିଜେପି ସଫଳତା ପାଇବ ବୋଲି ଆକଳନ କରିଛି ଏକଜିଟ୍ ପୋଲ ସର୍ଭେ । ସେହିଭଳି କେରଳରେ କ୍ଷମତା ଏଲଡିଏଫ୍ ହାତରେ ରହିବ ଓ ତାମିଲନାଡ଼ୁରେ ଏଆଇଏଡିଏମକେକୁ ଧରାଶାୟୀ କରି ଷ୍ଟାଲିନଙ୍କ ଡିଏମକେ ଗାଦି ହାତେଇବ ବୋଲି ଯେଉଁ ଆକଳନ କରାଯାଉଛି ତାହା କେତେ ସତ ପ୍ରମାଣିତ ହେବ ତାକୁ ହିଁ ଅପେକ୍ଷା । ମଧ୍ୟାହ୍ନ ଗୋଟାଏ ପର୍ଯ୍ୟନ୍ତ ହୋଇଥିବା ଗଣତିରେ ଦିଦିଙ୍କ ମ୍ୟାଜିକ ଦେଖିବାକୁ ମିଳିଛି। ଦୀର୍ଘ ସମୟ ପର୍ଯ୍ୟନ୍ତ ଏହି ଟ୍ରେଣ୍ଡ ରହିଛି। ତେଣୁ ପଶ୍ଚିମବଙ୍ଗରେ ଟିଏମସି ପୁଣି ସରକାର ଗଠନ କରିବ ବୋଲି ଆଶା ରହିଛି। ଦିନ ଗୋଟାଏ ସୁଦ୍ଧା ଟିଏମସି ୨୦୫ ସିଟରେ ଆଗୁଆ ଥିବା ବେଳେ ବିଜେପି ୮୪ ସିଟରେ ଆଗୁଆ ରହିଛି|  ଆସାମରେ ବିଜେପି ଆଗୁଆ ରହିଛି। ମୋଟ୍ ୧୨୬ଟି ଆସନରୁ ଦିନ ଗୋଟାଏ ସୁଦ୍ଧା ବିଜେପି ୮୦ଟି ଆସନରେ ଆଗୁଆ ଥିବା ବେଳେ କଂଗ୍ରେସ ମେଣ୍ଟ ୪୬ଟି ସିଟରେ ଆଗୁଆ ରହିଛି। ତେବେ ବିଜେପିର ଭଲ ପ୍ରଦର୍ଶନକୁ ନେଇ ବେଶ ସନ୍ତୋଷ ପ୍ରକାଶ କରିଛନ୍ତି ଆସାମ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନଓ୍ୱାଲ। ସେ କହିଛନ୍ତି ଦଳ ରାଜ୍ୟରେ ସରକାର ଗଠନ କରିବ।ସେହିଭଳି ତାମିଲନାଡ଼ୁରେ ଏଥର ହେବାକୁ ଯାଉଛି ପରିବର୍ତ୍ତନ। ଡିଏମକେ ଟ୍ରିପଲ୍ ଡିଜିଟରେ ଆଗରେ ରହିଛି। ଦିନ ଗୋଟାଏ ସୁଦ୍ଧର ଡିଏମକେ ୧୧୯ ସିଟରେ ଆଗରେ ରହିଥିବା ବେଳେ ଏଆଇଏଡିଏମକେ ୮୧ ସିଟରେ ଆଗରେ ରହିଛି। ସେହିଭଳି କଂଗ୍ରେସ ୧୨ଟି ସିଟରେ ଆଗୁଆ ରହିଥିବା ବେଳେ ୪ ନମ୍ବର ସ୍ଥାନରେ ରହିଛି ପିଏମକେ। ସେ ୮ଟି ସିଟରେ ଆଗୁଆ ରହିଛି। ତେବେ ବିଜେପି ମାତ୍ର ୪ଟି ସିଟରେ ଆଗୁଆ ରହି ଶେଷ ସ୍ଥାନରେ ରହିଛି। ସେହିପରି ପୁଡୁଚେରୀରେ ମଧ୍ୟ ଏଥର ସରକାର ପରିବର୍ତ୍ତନର ଇସାରା ମିଳୁଛି।

 

 

 

Breaking News