Report Card Odisha

| Daily Odia News

ମାଟ୍ରିକ୍‌ ପରୀକ୍ଷାରେ ତ୍ରୁଟି,ହିନ୍ଦୀ ଖାତାରେ ସଂସ୍କୃତ ଲେଖିଲେ……

ରିପୋର୍ଟ କାର୍ଡ / ରାଉରକେଲା

ସରିଛି ଚଳିତବର୍ଷର ମାଟ୍ରିକ୍‌ ପରୀକ୍ଷା। ତେବେ ଜଣେ ଛାତ୍ର ହିନ୍ଦୀ ଖାତାରେ ସଂସ୍କୃତ ପରୀକ୍ଷା ଦେବାକୁ ବାଧ୍ୟ ହୋଇଥିଲେ। ବୋର୍ଡର ତ୍ରୁଟି ଯୋଗୁ ଛାତ୍ରଙ୍କ ଭବିଷ୍ୟତକୁ ନେଇ ଚିନ୍ତାରେ ପଡିଛନ୍ତି ପରିବାର। ଭୁଲ୍‌ ସୁଧାରିବାକୁ ପରିବାର ଲୋକ ବୋର୍ଡକୁ ନିବେଦନ କରିଛନ୍ତି। ରାଉରକେଲା ଦେଓଗାଁ ଉଚ୍ଚବିଦ୍ୟାଳୟର ୧୦ମ ଶ୍ରେଣୀରେ ପଢ଼ୁଥିଲେ ଅମୀୟ ମଲ୍ଲିକ। ତାଙ୍କର ପରୀକ୍ଷାକେନ୍ଦ୍ର ସାରନଗରୀ ବାଲିଯୋଡ଼ିସ୍ଥିତ ଫକୀରମୋହନ ନୋଡାଲ୍‌ ବିଦ୍ୟାପୀଠରେ ପଡ଼ିଥିଲା। ଗତକାଲି ଶେଷଦିନରେ ସଂସ୍କୃତ ଓ ହିନ୍ଦୀ ପରୀକ୍ଷା ଥିଲା। ଅମୀୟ ଫର୍ମ ପୂରଣ ବେଳେ ତୃତୀୟ ଭାଷା ସଂସ୍କୃତ ଲେଖିଥିଲେ। ପରୀକ୍ଷା ପରିଚାଳନା ଦାୟିତ୍ବରେ ଥିବା ଅଧିକାରୀଙ୍କ ତ୍ରୁଟି ଯୋଗୁ ଦିଆଯାଇଥିଲା ହିନ୍ଦୀ ପ୍ରଶ୍ନପତ୍ର। ସଂସ୍କୃତ ପରିବର୍ତ୍ତେ ହିନ୍ଦୀ ପ୍ରଶ୍ନପତ୍ର ଦେଖି ଅମୀୟ ଆଶ୍ଚର୍ଯ୍ୟ ହୋଇଥିଲେ। ଏ ସଂକ୍ରାନ୍ତରେ ଅମୀୟ ପରୀକ୍ଷା ତଦାରଖ କରୁଥିବା ନିରୀକ୍ଷକଙ୍କୁ ଜଣାଇଥିଲେ। ହେଲେ ନିରୀକ୍ଷକ ଅମୀୟଙ୍କୁ ହିନ୍ଦୀ ଖାତାରେ ସଂସ୍କୃତ ଲେଖିବାକୁ କହିଥିଲେ। କେହି ତାଙ୍କ କଥା ନ ଶୁଣିବାରୁ ଅମୀୟ ହିନ୍ଦୀଖାତାରେ ସଂସ୍କୃତ ଲେଖିବାକୁ ବାଧ୍ୟ ହୋଇଥିଲେ। ପରୀକ୍ଷାଦେଇ ଘରକୁ ଫେରିବା ପରେ ଅମୀୟ ସମସ୍ତ କଥା ପରିବାର ଲୋକଙ୍କୁ ଜଣାଇଥିଲେ। ଅମୀୟଙ୍କ ପିତାମାତା ବିଦ୍ୟାଳୟରେ ପହଞ୍ଚି ପ୍ରଧାନଶିକ୍ଷକଙ୍କୁ ଏ ତ୍ରୁଟି ସମ୍ପର୍କରେ କହିଥିଲେ ହେଁ କିଛି ସୁଫଳ ମିଳିନଥିଲା। ଛାତ୍ର ଅମୀୟ କହିଛନ୍ତି, ପରୀକ୍ଷାକେନ୍ଦ୍ରରେ ମୋତେ ସଂସ୍କୃତ ପରିବର୍ତ୍ତେ ହିନ୍ଦୀ ଖାତା ଦିଆଯାଇଥିଲା। ପରୀକ୍ଷା ତଦାରଖ କରୁଥିବା ଶିକ୍ଷକଙ୍କୁ ସଂସ୍କୃତ ଖାତା ମାଗିଥିଲି। ହେଲେ କେହି ତାଙ୍କ କଥା ଶୁଣି ନଥିଲେ। ପରୀକ୍ଷାକେନ୍ଦ୍ରର ଅଧୀକ୍ଷକ ତଥା ଫକୀରମୋହନ ନୋଡାଲ୍‌ ବିଦ୍ୟାପୀଠର ପ୍ରଧାନଶିକ୍ଷୟିତ୍ରୀ ପ୍ରତିଭାରାଣୀ କିସାନ କହିଛନ୍ତି, ଛାତ୍ରଙ୍କ ଆଡମିଟ୍‌ କାର୍ଡରେ ସଂସ୍କୃତ ପରିବର୍ତ୍ତେ ହିନ୍ଦୀ ଲେଖାଯାଇଥିବାରୁ ଏଭଳି ସମସ୍ୟା ଉପୁଜିଲା। ଏ ସମ୍ପର୍କରେ ଜିଲ୍ଲା ଶିକ୍ଷାଧିକାରୀଙ୍କ ସହ ବିଭାଗୀୟ ଉଚ୍ଚଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଛୁ। ସମସ୍ତେ ଚାହିଲେ ସମସ୍ୟାର ସମାଧାନ କରାଯାଇପାରିବ ବୋଲି ସେ କହିଛନ୍ତି। ତେବେ ଏଠି ପ୍ରଶ୍ନ ଉଠୁଛି, ଏଭଳି ତ୍ରୁଟି ପାଇଁ କିଏ ଦାୟୀ? କେମିତି ସଂସ୍କୃତରେ ପରୀକ୍ଷାଦେବାକୁ ଥିବାବେଳେ ତାଙ୍କ ନିକଟକୁ ହିନ୍ଦୀ ଖାତା ଆସିଲା? ଛାତ୍ରଙ୍କ ଭବିଷ୍ୟତକୁ ଦୃଷ୍ଟିରେ ରଖି ଶିକ୍ଷାବିଭାଗ ଏଥିପ୍ରତି ଦୃଷ୍ଟିଦେବାକୁ ଅମୀୟଙ୍କ ପିତାମାତା ନିବେଦନ କରିଛନ୍ତି।

Breaking News